କେନ୍ଦୁଝର:ଭୋଜନ ପ୍ରିୟ କଳାଠାକୁର । ଷାଠିଏ ପଉଟିରେ ମହାପ୍ରଭୁଙ୍କ ଶରଧା । ଆଜି ବ୍ୟଞ୍ଜନ ଦ୍ବାଦଶୀରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରାଯାଇଛି ଶହେରୁ ଊର୍ଦ୍ଧ୍ବ ବ୍ୟଞ୍ଜନ । କେନ୍ଦୁଝର ସିଦ୍ଧ ଜଗନ୍ନାଥଙ୍କ ଠାରେ ଶହେରୁ ଊର୍ଦ୍ଧ୍ବ ପ୍ରକାରର ବ୍ୟଞ୍ଜନ ପରସା ଯାଇଥିବା ବେଳେ ଏହାକୁ ଗ୍ରହଣ କରି ଆପ୍ୟାୟିତ ହେଲେ ସିଦ୍ଧ ଜଗନ୍ନାଥ । 2015 ମସିହାରୁ ସିଦ୍ଧ ଜଗନ୍ନାଥଙ୍କ ଠାରେ ବ୍ୟଞ୍ଜନ ଦ୍ବାଦଶୀ ପାଳନ କରାଯାଉଥିବା ବେଳେ ପ୍ରସାଦ ପାଇ ଆନନ୍ଦିତ ଭକ୍ତ ।
ମହାପ୍ରଭୁଙ୍କୁ ପରସା ଯାଏ 100ରୁ ଊର୍ଦ୍ଧ୍ବ ବ୍ୟଞ୍ଜନ:
କେନ୍ଦୁଝର ଜିଲ୍ଲାର ସର୍ବ ପୁରାତନ ଏହି ମନ୍ଦିରରେ ଏକ ଶହରୁ ଉର୍ଦ୍ଧ୍ବ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ । ବିଭିନ୍ନ କିସମର ଖେଚୁଡ଼ି, ଘାଣ୍ଟ, ଶାଗ, ଦହି ଭାତ, ଡାଲି, ତରକାରୀ, ବଡ଼ି ଆଦି ଶୁଦ୍ଧ ଘିଅରେ ପ୍ରସ୍ତୁତ କରାଯାଇଥାଏ । ଏହାସହ ବିଭିନ୍ନ ପ୍ରକାରର ମିଠା ଯେପରିକି କପୁରକେଳି, ଝିଲି, ଆରିସା, କାକରା ପିଠା ତିଆରି କରାଯାଇଥାଏ । କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ବିଭିନ୍ନ ପ୍ରକାରର ବଡ଼ି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଦ୍ବାଦଶୀ ଦିନ ମହାପ୍ରଭୁଙ୍କୁ ଫଳମୂଳ, କ୍ଷୀର କୋଳି, ବର କୋଳି, ଭୁରୁଡୁ କୋଳି ଅର୍ପଣ କରାଯିବା ସହ ଶହେରୁ ଊର୍ଦ୍ଧ୍ବ ବ୍ୟଞ୍ଜନ ଅର୍ପଣ କରାଯାଇଥାଏ । ପରେ ଏହାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ।
ପ୍ରସାଦ ପାଇବାକୁ କୋଣ ଅନୁକୋଣରୁ ଛୁଟନ୍ତି ଭକ୍ତ:
ବ୍ୟଞ୍ଜନ ଦ୍ବାଦଶୀରେ ଲାଗି ହେଉଥିବା ଏହି ପ୍ରସାଦ ପାଇବାକୁ ଚାହିଁ ବସିଥାନ୍ତି ଭକ୍ତ । ସେଥିପାଇଁ ତ ଏହି ଦିନ ସିଦ୍ଧ ଜଗନ୍ନାଥଙ୍କ ପ୍ରସାଦ ପାଇବାକୁ ଜିଲ୍ଲାରୁ କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଥାଏ ।
କଣ କୁହେ କିମ୍ବଦନ୍ତୀ:
କିମ୍ବଦନ୍ତୀ ଅନୁସାରେ, ମା’ ଯଶୋଦା ହଠାତ୍ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି । ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ି ଯାଇଥିବା ଦେଖାଗଲେ । ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ । ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି । ସେଠୁ ଯଶୋଦା ନିଜେ ରୋଷେଇ ଘରକୁ ଯାଇ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଥିଲେ । ସେହିଭଳି ଆଜିର ଏହି ଦିନରେ ନାନାଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ମଠ ମନ୍ଦିରରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ।