ବୌଦ୍ଧ: ବିକାଶ ଖୋଜୁଛି ଆଢେଣୀଗଡ । ବୌଦ୍ଧ ଜିଲ୍ଲାର ଏହି ଆଦିବାସୀ ଆଧ୍ୟୁଷିତ ଅଞ୍ଚଳ ନୟାଗଡ଼ ଓ କନ୍ଧମାଳ ସୀମାକୁ ଲାଗି ରହିଛି । ତେବେ ଏହି ସୀମାନ୍ତ ପଞ୍ଚାୟତରେ ବିକାଶ ଯେମିତି ବାଟବଣା ହୋଇଯାଇଛି । ଏଠାରେ ରହୁଥିବା ଲୋକ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ବିକାଶମୂଳକ ଯୋଜନାର ଲାଭ ପାଇ ପାରୁନଥିବା ଅଭିଯୋଗ କରିଛନ୍ତି । ଦେଶ ଏତେ ଉନ୍ନତି କରିଥିଲେ ମଧ୍ୟ ଏଠାକାର ଲୋକ ସାଧାରଣ ପାନୀୟ ଜଳର ସୁବିଧା ପାଉନଥିବା ଅଭିଯୋଗ ଆସିଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସୀମାନ୍ତ ପଞ୍ଚାୟତ ଆଢେଣୀଗଡ । ଆଢେଣୀଗଡ ପଞ୍ଚାୟତ ବୌଦ୍ଧ ଜିଲ୍ଲାରେ ଥିବା ବେଳେ ଏହାର ସୀମା ଉଭୟ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାକୁ ସଂଲଗ୍ନ ହୋଇରହିଛି । ଏଠାରେ ଅଧିକାଂଶ ଆଦିବାସୀମାନେ ବସବାସ କରିଆସୁଛନ୍ତି । ବୌଦ୍ଧ ଜିଲ୍ଲାର ଶେଷ ସୀମାରେ ଥିବା ହେତୁ ଏହି ପଞ୍ଚାୟତର ଦୁର୍ଗମ ବାଲେଜୁ, ଛତ୍ରସାହି, ମାଣ୍ଡାଲି, ଲେଙ୍ଗେରପାଜୁ, କଣ୍ଡରା, କାଚପାଜୁ,ବାଙ୍କପାଜୁ ଭଳି ଅନେକ ଗ୍ରାମରେ ବିକାଶର ଧାରା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଆସୁଛି । ବିଶେଷକରି ବଣ ଜଙ୍ଗଲ ଘେରା ଏସବୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ଏକପ୍ରକାର ଅପହଞ୍ଚ ହୋଇରହିଛି । ଗମନାଗମନର ଅବ୍ୟବସ୍ଥା ଯୋଗୁଁ ଏସବୁ ଦୁର୍ଗମ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ସ୍ବପ୍ନ ହୋଇ ରହିଥିବା ବେଳେ ପାନୀୟ ଜଳ ସମସ୍ୟା ପିଢ଼ି ପରେ ପିଢ଼ି ଲାଗି ରହୁଛି ।
ଏହା ମଧ୍ୟ ପଢ଼ନ୍ତୁ...ବଦଳିଲେ ବୌଦ୍ଧ ଜିଲ୍ଲାର ଉପଜିଲ୍ଲାପାଳ, ଅପହଞ୍ଚ ଇଲାକାକୁ ଚାଲି ଚାଲି ପହଞ୍ଚି ଥିଲେ ଚର୍ଚ୍ଚାରେ