ଭୁବନେଶ୍ୱର:ଶେଷ ହେଲା ଏକାମ୍ର ଉତ୍ସବ । ଶେଷ ସନ୍ଧ୍ୟାରେ ଜୁବିନଙ୍କ ଗୀତର ଧୁନରେ ନାଚିଲା ଗାଇଲା ଓ ଝୁମିଲା ଭୁବନେଶ୍ୱର । ରାଜଧାନୀରେ ୭ ଦିନ ଧରି ଚାଲିଥିବା ଏକାମ୍ର ଉତ୍ସବ ଶେଷ ହୋଇଛି । ସପ୍ତମ ତଥା ଶେଷ ସନ୍ଧ୍ୟାରେ ବଲିଓଡ଼ କଣ୍ଠଶିଳ୍ପୀ ଜୁବିନ ନୌଟିୟାଲଙ୍କ ଲାଇଭ ପ୍ରଦର୍ଶନ ରହିଥିବା ବେଳେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଷ୍ଟେଜରେ ଓଡ଼ିଆ ଓ ଅନେକ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥିଲେ ଜୁବିନ ।
ଜୁବିନ ଷ୍ଟେଜରେ ଅନେକ ହିଟ୍ ହିନ୍ଦୀ ଗୀତଗୁଡିକୁ ଗାଇଥିବା ବେଳେ ଶେଷରେ ଜଗନ୍ନାଥଙ୍କୁ ସମର୍ପିତ 'ତୁମେ ଚାହିଁଲ ବୋଲି ଚକାଆଖି' ଗାଇ ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ । ପରେ ପରେ 'ରାମ ଆୟେଙ୍ଗେ' ଗାଇ ଲାଇଭ ବ୍ୟାଣ୍ଡର ପ୍ରଦର୍ଶନକୁ ଶେଷ କରିଥିଲେ । ଜୁବିନଙ୍କ ପୂର୍ବରୁ ଶେଷ ସନ୍ଧ୍ୟାରେ ଓଲିଉଡ଼ କଣ୍ଠଶିଳ୍ପୀ ଦୀପ୍ତିରେଖା ଓ ଶୁଭାଶିଷ ଅନେକ ହିଟ୍ ଓଡ଼ିଆ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିଣିଥିଲେ । ୭ ଦିନର ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱରବାସୀଙ୍କୁ ନିଆରା ଏକ ଅନୁଭୂତି ଦେଇଥିବା ବେଳେ ପୁରା ଭୁବନେଶ୍ୱର ବ୍ୟାଣ୍ଡର ତାଳେ ତାଳେ ବେଶ ନାଚିଥିଲେ ଝୁମିଥିଲେ ଓ ଗାଇଥିଲେ । ଆଉ ଖୁସିର ସମୟକୁ ନିଜ କ୍ୟାମେରାରେ କଏଦ କରି ରଖିଛନ୍ତି ।
ତେବେ ଓଡ଼ିଆ ଭାଷା, ସଂସ୍କୃତିକୁ ନେଇ ଆରମ୍ଭ ହୋଇଥିବା ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଚଳିତ ଥର ଏକାମ୍ର ଉତ୍ସବରେ ଏକାଧିକ କାର୍ଯ୍ୟକ୍ରମ ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟକୁ ନେଇ ହୋଇଥିଲା । ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ପକ୍ଷରୁ ଆୟୋଜିତ ଏହି ଉତ୍ସବ ରାଜଧାନୀବାସୀଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା । ଆକର୍ଷଣୀୟ ସାଜସଜ୍ଜା ସହ ପ୍ରଦର୍ଶନୀ ପଡ଼ିଆରେ ଲୋକଙ୍କ ମନୋରଞ୍ଜନ ପାଇଁ ସଙ୍ଗୀତର ମୂର୍ଚ୍ଛନା ସନ୍ଧ୍ୟା ସହ ଭୁବନେଶ୍ଵର କାହାଣୀ ଉତ୍ସବ, ଆମ ବ୍ୟଞ୍ଜନ, ଏକାମ୍ର ୱାକ୍ସ, ଏକାମ୍ର ରାତ୍ରି ଫ୍ଲୀ ମାର୍କେଟ ଆୟୋଜନ କରାଯାଇଥିଲା ।
ଶେଷ ସନ୍ଧ୍ୟାରେ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଜୁବିନ ନୌଟିୟାଲଙ୍କ ଲାଇଭ ପ୍ରଦର୍ଶନ ରହିଥିଲା । ଯାହାକୁ ଦେଖିବାକୁ ଶ୍ରୋତାଙ୍କ ଭିଡ଼ ବେଶ୍ ଜମିଥିଲା । ଏଥିସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆମ ବ୍ୟଞ୍ଜନ ଓ ରାତ୍ରୀକାଳୀନ ବଜାରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା । ସନ୍ଧ୍ୟାରେ ଏକାମ୍ର ରାତ୍ରୀ ଫ୍ଲୀ ମାର୍କେଟରେ ଯୋଗ ଦେଇଥିବା ଶିଳ୍ପୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା ।