ଖୋର୍ଦ୍ଧା: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏନଏସି ବିବାଦ । ରାଜ୍ୟ ସରକାର ନିକଟରେ ଘୋଷଣା କରିଥିବା ୩୫ଟି ନୂଆ ଏନଏସିକୁ ନେଇ ସ୍ଥାନେ ସ୍ଥାନେ ଅସନ୍ତୋଷ ଦେଖାଦେଇଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବ୍ୟାପିଛି ଏନଏସି ନିଆଁ । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆକୁ NAC ଘୋଷଣା କରାଯିବା ପରେ ଏବେ ବୋଲଗଡ଼କୁ ମଧ୍ୟ NAC ଘୋଷଣା ପାଇଁ ଦାବି ଜୋର ଧରିଲାଣି । ପୂର୍ବରୁ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ମଧ୍ୟ ତାହାକୁ ପୂରଣ କରି ନାହାନ୍ତି । ତେଣୁ ଆଜି ରାଜରାସ୍ତାରେ ଆନ୍ଦୋଳନ କରିଛି ବୋଲଗଡ଼ ଏନଏସି କ୍ରିୟାନୁଷ୍ଠାନ କମିଟି ।
ଏଥି ପାଇଁ ସିଧାସଳଖ ସରକାରଙ୍କୁ ଦାୟୀ କରିଥିବା ବେଳେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତେଣୁ ସରକାର ବୋଲଗଡ଼କୁ ଏନଏସି ଘୋଷଣା କରି ନିଜ ଲୋକପ୍ରିୟତା ବଜାୟ ରଖିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭାପତି କହିଛନ୍ତି ଯେ ଗତ ୨୦୧୧ ରେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଏ ସମ୍ପର୍କରେ ପ୍ରସ୍ତାବ ଗୃହୀତ ହୋଇଛି ବୋଲି କହିବା ସହ ୨୦୧୯ ମସିହାରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ବୋଲଗଡ଼କୁ ଏନଏସି ମାନ୍ୟତା ମିଳିବା କଥା ଦୋହରାଇଥିଲେ । ସରକାର ନିଜ କଥାକୁ ନରଖି କ୍ରମାଗତ ଭାବେ ବୋଲଗଡ଼କୁ ଅବହେଳା କରାଯାଉଛି ।