ମାଲକାନଗିରି:ନବୀନ ଓଡ଼ିଶା ବ୍ୟାଗକୁ ନେଇ ମାଲକାନଗିରିରେ ଉତ୍ତେଜନା । ଏହି ବ୍ୟାଗ ପୋଡିଦେଲେ ବିଜେପି କର୍ମୀ । ରାଜ୍ୟ ସରକାର ନିଜର ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଉଛନ୍ତି । ଏପରି ପରିସ୍ଥିତିରେ ପ୍ରତି ପଞ୍ଚାୟତ, ମ୍ୟୁନିସିପାଲଟି, ଏନଏସି ୱାର୍ଡରେ ଚାଉଳ ପାଉଥିବା ହିତାଧିକାରୀଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଓ 5T ପ୍ରିଣ୍ଟ ଥିବା ଝୋଟୋ ବ୍ୟାଗ ଦିଆଯାଉଛି । ଖାଲି ବ୍ୟାଗ ଦେଉଥିବାକୁ ଏହାକୁ ବିରୋଧ କରାଯାଇଛି ।
କେତେକ ପଞ୍ଚାୟତମାନଙ୍କରେ ରାଜ୍ୟ ସରକାରଙ୍କ ବ୍ୟାଗ ବଣ୍ଟନ ଅଭିଯାନ ଆରମ୍ଭ ହୋଇଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ପଞ୍ଚାୟତରେ ବ୍ୟାଗ ବଣ୍ଟନ କରାଯାଉଛି । ଏଥିସହିତ ୧ ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆରମ୍ଭ କରାଗଲାଣି । ଏହି ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମକୁ କେତେକ ସ୍ଥାନରେ ହିତାଧିକାରୀ ବିରୋଧ କରି ତାଙ୍କୁ ଦିଆଯାଇଥିବା ବ୍ୟାଗକୁ ସର୍ବ ସମ୍ମୁଖରେ ନିଆଁ ଲଗାଇ ପୋଡି ଦେଇଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଜଣେ ହିତାଧିକାରୀଙ୍କ ବ୍ୟାଗ ପୋଡିବା ଘଟଣା ସମ୍ପର୍କରେ ମାଲକାନଗିରି ବିଡିଓ ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ୍ ଉକ୍ତ ବ୍ୟକ୍ତିଙ୍କୁ ଖୋଜୁଥିବାରୁ ଉକ୍ତ ହିତାଧିକାରୀଙ୍କୁ ସମର୍ଥନ ଦେଇ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ଝୋଟି ବ୍ୟାଗ୍ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଲେଖା ଥିବା ଶଙ୍ଖ ମାର୍କ ବ୍ୟାଗ ପୋଡ଼ି ଦେଇଥିଲେ ।