ରାଉରକେଲା:ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ସରଗରମ ରାଜ୍ୟ ରାଜନୀତି । ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପିଲାଣି ନିର୍ବାଚନ ମୈଦାନ । ନିଜ ନିଜର ଦଳୀୟ ସମର୍ଥକମାନଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କଲେଣି ନେତା । ଏହି ଅବସରରେ ଆଜି (ରବିବାର) ପଣା ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ଅବସରରେ ରଘୁନାଥପାଲ୍ଲୀ ବିଧାନସଭା ଆସନ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ଏକ ବିଶାଳ ରାଲି କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ।
ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ନିଶ୍ଚିତ କରିବା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ଏବଂ ବିଜେପି କର୍ମୀଙ୍କ ଜୋରଦାର ପ୍ରୟାସ କରିଛନ୍ତି । ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦୁର୍ଗା ତନ୍ତି । ପ୍ରଥମେ ରାଉରକେଲା ସେକ୍ଟର 6ରୁ ସେକ୍ଟର ୧୭ ଆମ୍ବେଦକର ମୂର୍ତ୍ତି ନିକଟକୁ ବିଶାଳ ରାଲି ଯାଇ ଆମ୍ବେଦକରଙ୍କ ମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ସେକ୍ଟର ୬, ୧୮, ୧୭ ଏବଂ ୧୬ରେ ପ୍ରଚାର କରିଥିଲେ । ଏହି ରାଲିରେ ହଜାର ହଜାର ସଂଖ୍ୟାକ ବିଜେପି କର୍ମୀ ଏବଂ ସମର୍ଥକ ଯୋଗଦେଇ ରାଲିକୁ ତ୍ୱରାନ୍ୱିତ କରିଥିଲେ ।
ଏହି ଅବସରରେ ଦୁର୍ଗା ତନ୍ତି କହିଛନ୍ତି, "ଦୀର୍ଘ ଦିନ ଧରି ଏଠାରେ ଶାସନ କରୁଥିବା ବିଜୁ ଜନତା ଦଳର ବିଫଳତା ହିଁ ଆମକୁ ସଫଳତା ଦେବ । ସାଧାରଣ ଲୋକଙ୍କୁ ଯେଉଁ ମୌଳିକ ସୁବିଧା ମିଳିବା କଥା ରାଜ୍ୟ ସରକାର ତାହା ଯୋଗାଉନାହାନ୍ତି । କେନ୍ଦ୍ର ପଠାଉଥିବା ଯୋଜନାକୁ ଅଟକାଇ ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି । ପ୍ରାଧାନମନ୍ତ୍ରୀ ମୋଦିଙ୍କ ଯେଉଁ ଗ୍ୟାରେଣ୍ଟି ଅଛି ତାକୁ ଆମେ ଲୋକଙ୍କ ପାଖରେ ପହଁଚାଇବୁ । ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀଙ୍କ ଆଶୀର୍ବାଦ ଆଗାମୀ ନିର୍ବାଚନରେ ଆମକୁ ବିଜୟ ଆଡ଼କୁ ଆଗେଇ ନେବ । ଏହି ଆଧାରରେ ଓଡିଶାରେ ଡବଲ ଇଞ୍ଜିନ ସରକରା ଗଢ଼ିବୁ ।"