ଭୁବନେଶ୍ବର: ବିଜେପିରେ ମିଶିଲେ ମୋହନାର ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ପାଇକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଚକ୍ରଧର ପାଇକ ପଦ୍ମ କ୍ୟାମ୍ପରେ ଯୋଗ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ସଂଗଠନ ସଜାଡୁଛି ଦଳ । ଆଜି ରାଜ୍ୟ କାର୍ଯ୍ୟାଳୟରେ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଜେଡ଼ି ଏବଂ କଂଗ୍ରେସର ନେତା ଏବଂ କର୍ମୀମାନେ ଯୋଗ ଦେଇଛନ୍ତି । ଏହାସହ ଚଳଚ୍ଚିତ୍ର ତଥା ଟେଲି ଅଭିନେତ୍ରୀ ଶ୍ଵେତା ଆଚାର୍ଯ୍ୟ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ବଲାଙ୍ଗୀର, ଭଦ୍ରକ କେନ୍ଦ୍ରାପଡ଼ା, କୋରାପୁଟ, ଗଞ୍ଜାମ ଏବଂ ଭୁବନେଶ୍ବର ମଧ୍ୟ ନିର୍ବାଚନ ଶତାଧିକ ବିଜେଡି ଏବଂ କଂଗ୍ରେସ ନେତା ବିଜେପିରେ ମିଶିଛନ୍ତି । ବିଜେପି ନେତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ।
ସେହିପରି ଆହୁରୀ ମଧ୍ୟ କହିଛନ୍ତି ,"ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ମୋଦିଜୀଙ୍କ ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିକୁ ଆପଣାଉଛନ୍ତି । ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା । "