ନିମାପଡା:ନିମାପଡାରେ ବିଜେଡି କର୍ମୀଙ୍କୁ ଆକ୍ରମଣ । ଦିନରେ ଧମକ ଓ ବିଳମ୍ବିତ ରାତ୍ରିରେ ବିରୋଧି ଦଳର କର୍ମୀ ତାଙ୍କୁ ଛୁରାମାଡ କରିଥିବା ଅଭିଯୋଗ । ଛୁରାମାଡର ଶିକାର ହୋଇଥିବା ବିଜେଡି କର୍ମୀ ହେଉଛନ୍ତି ନିରଞ୍ଜନ ସାହୁ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିମାପଡ଼ା ବ୍ଳକ ତୁଳସୀପୁର ପଞ୍ଚାୟତର ଭଇଁଚି ଗୋରଡିରେ ଏପରି ଘଟଣା ଘଟିଛି । 4 ଜଣ ବ୍ୟକ୍ତି ନିରଞ୍ଜନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦିନ ବେଳା ଆହତ ନିରଞ୍ଜନ ସାହୁଙ୍କୁ 4 ଜଣ ଯୁବକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ । ଏହାପରେ ଗତକାଲି ସନ୍ଧ୍ୟାରେ ଭଇଁଚି ଗୋରଡିରେ ଥିବା କୁକୁଡ଼ା ଫାର୍ମରୁ କାମ ସାରି ବିଳମ୍ବିତ ରାତିରେ ଫେରିବା ବେଳେ ସେହି ଚାରି ଜଣ ଯୁବକ ତାଙ୍କୁ ଛୁରା ମାଡ କରିଥିଲେ । ମରଣାନ୍ତଙ୍କ ଆକ୍ରମଣ ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକେ ନିରଞ୍ଜନଙ୍କୁ ଉଦ୍ଧାର କରି ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ହସ୍ପିଟାଲରୁ ଫେରି ଯୁବକ ଜଣକ ବର୍ତ୍ତମାନ ଘରେ ରହିଛନ୍ତି । ଏନେଇ ସେ ଚାରିଛକ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଚାରିଛକ ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଚଳାଇଛି । ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା ସୂଚନା ରହିଛି। ନିରଞ୍ଜନ ବିଜେଡି ଦଳର କର୍ମୀ ହୋଇଥିବା ବେଳେ ତାଙ୍କୁ ବିରୋଧି ଦଳର କର୍ମୀ ଆକ୍ରମଣ କରିଥିବା ତାଙ୍କ ସହଯୋଗୀ କହିଛନ୍ତି ।