କୋରାପୁଟ: ଆଗକୁ ଆସୁଛି ସାଧରଣ ନିର୍ବାଚନ ୨୦୨୪ । ଅନ୍ୟପଟେ ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଖୁବ ଚର୍ଚ୍ଚା ଧରିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ମେଣ୍ଟ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ଏକାକୀ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ଉଭୟ ଦଳକୁ ଟାର୍ଗେଟ କରି ନିର୍ବାଚନ ଲଢିବାକୁ ଯାଉଛି । ସେନେଇ କଂଗ୍ରେସ ପକ୍ଷରୁ ଆଜି ଜୟପୁର ଠାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ଶୋଭାଯାତ୍ରା କରାଯାଇଛି । ଯେଉଁଥିରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବିଜେପି -ବିଜେଡି ମେଣ୍ଟ ପରେ ବିଜେଡି ନିଜ ଅସ୍ତିତ୍ବ ହରାଇବ ବୋଲି ଭବିଷ୍ୟବାଣୀ କରିଛନ୍ତି । ସେ ବିଜେଡି ଭୋଟର ଓ ନେତାଙ୍କୁ କଂଗ୍ରେସକୁ ଆଦରି ନେବା ପାଇଁ ଅପିଲ କରିଛନ୍ତି ।
ଆଜି ଜୟପୁର ଠାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ଶୋଭାଯାତ୍ରାକୁ ଉଦବୋଧନ ଦେଇ ନବୀନ ପଟ୍ଟନାୟକ ନିଜ ଦଳକୁ ନେଇ ନରେନ୍ଦ୍ର ମୋଦିଙ୍କ ପାଖରେ ସମର୍ପି ଦେଇଛନ୍ତି ବୋଲି ଅଜୟ କୁମାର କଟାକ୍ଷ କରିଛନ୍ତି । ନିର୍ବାଚନ ତାତି ଭିତରେ ଅବିଭକ୍ତ କୋରାପୁଟ ଗଡ଼ରେ କଂଗ୍ରେସ କରିଛି ଏହି ଶକ୍ତି ପ୍ରଦର୍ଶନ ଆଉ ଏକାଠି ହୋଇଛନ୍ତି ଅବିଭକ୍ତ କୋରାପୁଟର ବରିଷ୍ଠ ନେତା । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ବରେ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ କୋରାପୁଟ, ନବରଙ୍ଗପୁର, ରାୟଗଡା ଏବଂ ମାଲକାନଗିରି ଜିଲ୍ଲା ସମେତ ଅନ୍ୟ ଅଞ୍ଚଳରୁ ନେତା ଓ କର୍ମୀମାନେ ଏକାଠି ହୋଇ ବିଶାଳ ଶୋଭା ଯାତ୍ରାରେ ବାହାରିଥିଲେ । ସେମାନେ କଂଗ୍ରେସକୁ ମଜବୁତ କରିବାକୁ ମୈଦାନକୁ ଓହ୍ଲାଇଛନ୍ତି ବୋଲି ସୂଚନା ଦେଇଥିଲେ । କଂଗ୍ରେସ ତାର ପୁରୁଣା ପରିଚୟ ଫେରାଇବାକୁ ସବୁ ପ୍ରକାର ଚେଷ୍ଟା କସରତ ଆରମ୍ଭ କରିଦେଇଛି । ନିର୍ବାଚନ ଆଗରୁ ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନିଜର ସ୍ଥିତି ମଜଭୁତ କରିବା ପାଇଁ ଦୁଇ ଦଳକୁ ଜୋରଦାର ଟାର୍ଗେଟ କରି ଜୟପୁରରେ ଶକ୍ତି ପ୍ରଦର୍ଶନ କରିଛି ।