ଭୁବନେଶ୍ବର:ବିଜେପି ବିରୋଧରେ ଆସିଲା ଆଚରଣ ବିଧି ଉଲ୍ଲଙ୍ଘନର ଅଭିଯୋଗ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ରାଜ୍ୟରେ ଆୟୋଜନ ହେଉ ଅବାଧ ଓ ନିରପେକ୍ଷ ନିର୍ବାଚନ । ବିଜେପି ନେତା ଏଥିପାଇଁ ଦିଅନ୍ତୁ ସୁଯୋଗ । ବାରମ୍ବାର ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନରୁ କ୍ଷାନ୍ତ ରହୁ ବିଜେପି । ଏନେଇ ଆଜି ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ ।
ରାଜ୍ୟସଭା ସାଂସଦ ତଥା ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି ଯେ, ବିଜେଡିର ଏକ ପ୍ରତିନିଧି ଦଳ ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ଆଦର୍ଶ ଅଚରଣ ବିଧି ଉଲ୍ଲଙ୍ଘନ ନେଇ ଅଭିଯୋଗ କରିଛୁ । ଆମେ ଆଣିଥିବା ଅଭିଯୋଗ ନୂଆ ନୁହେଁ । ଆଗରୁ ମଧ୍ୟ ଏଭଳି ଅଭିଯୋଗ ନେଇ ଆସିଛୁ । ଯେତେବେଳେ ଦେଖିବ ଯଥା ପୂର୍ବାଂ ତଥା ପରଂ ପରି ବିଜେପି ନେତା ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରି ଚାଲୁଛନ୍ତି । ଅଭିଯୋଗ ପରେ ବି ବିଜେପି ଓ ବିଜେପି ନେତା ସୁଧୁରୁ ନାହାଁନ୍ତି । ବିଜେପି କୌଣସି ନିୟମକୁ ମାନେ ନାହିଁ । ଯାଜପୁର ଜିଲ୍ଲା ରସଲପୁର ବ୍ଲକ ବାଲିପାଟଣା ପଞ୍ଚାୟତରେ ଥିବା ଗୋପୀନାଥ ଜିୟୁ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।
ବିଜେପିର ଯାଜପୁର ସଂସଦୀୟ ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା ଗୋପୀନାଥ ଜିୟୁ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏକ ଶୋକ ସଭାରେ ସାମିଲ ହୋଇଛନ୍ତି । ସମ୍ବେଦନହୀନ ଭାବେ ସେ ଶୋକସଭାକୁ ଦଳୀୟ ଉତ୍ତରୀୟ ପକାଇ ଯାଇଛନ୍ତି । ବିଜେପିଙ୍କୁ କେମିତି ଭୋଟ ମିଳିବ ଶୋକସଭାରେ ସେ ଆଲୋଚନା କରିଛନ୍ତି । ଏହା ଅତ୍ୟନ୍ତ ଦୁଃଖର କଥା । ଶୋକ ସଭାକୁ ଯାଇ ନିର୍ବାଚନ ପ୍ରଚାର କରିବା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ । ଦ୍ଵିତୀୟ କଥା ହେଉଛି ଗୋଟେ ସରକାରୀ ସ୍କୁଲକୁ ଦଳୀୟ ଉତ୍ତରୀୟ ପକାଇ ଯିବା ବି ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ।