ଭୁବନେଶ୍ବର: ମଧୁବାବୁ ପେନସନ୍ ଯୋଜନାରେ ମିଳୁଥିବା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ରାଶି 3ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି ନିଷ୍ପତ୍ତି ସମ୍ପର୍କରେ ଗତକାଲି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିବା ପରେ ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି ହୋଇଛି । ହେଲେ ଏହାକୁ ନେଇ ଭିନ୍ନ ଢଙ୍ଗରେ ବିଜେପି ସରକାରକୁ ସମାଲୋଚନା କରିଛି ବିରୋଧୀ ବିଜେଡି । ଭତ୍ତା 3 ହଜାର ଟଙ୍କା ହେବା କାନକୁ ଶୁଣିବାକୁ ଭଲ ଲାଗିବ । ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଆର୍ଥିକ ବ୍ୟବସ୍ଥା, ଯୋଜନା ଲୋକଙ୍କ ପାଖରେ ସ୍ପଷ୍ଟ ହେବା ଉଚିତ ବୋଲି କହି ବିଜେପି ସରକାରକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଶଶୀଭୂଷଣ ବେହେରା ।
ଶଶୀଭୂଷଣ କହିଛନ୍ତି,‘‘ଭତ୍ତା 3 ହଜାର ଟଙ୍କା ହେବା କାନକୁ ଶୁଣିବାକୁ ଭଲ ଲାଗିବ । ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଆର୍ଥିକ ବ୍ୟବସ୍ଥା, ଯୋଜନା ଲୋକଙ୍କ ପାଖରେ ସ୍ପଷ୍ଟ ହେବା ଉଚିତ । କେଉଁ କେଉଁ ଭତ୍ତା ଓଡ଼ିଶା ସରକାର ଦେଇ ଆସୁଛନ୍ତି, ଏହାର ବୃଦ୍ଧି କେତେ ସେ ସଂକ୍ରାନ୍ତରେ ସ୍ପଷ୍ଟ ମତ ଜନସାଧାରଣଙ୍କ ପାଖରେ ରଖିଲେ ଭଲ ହେବ । ଲମ୍ବା ସମୟ ସରକାରର ପରିବର୍ତ୍ତନ ପରେ ଯଦି କିଛି କିଛି ଅସୁବିଧା ନୂଆ ସରକାରଙ୍କୁ ଜଣାପଡୁଛି । ଯଦି ଏହା ଜନସାଧାରଣଙ୍କର ଆବଶ୍ୟକତା ତାହା ପୂରଣ ହେଉଛି ତେବେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ।’’
ସେହିପରି ଆହୁରି ମଧ୍ୟ ଶଶୀ କହିଛନ୍ତି, ଯେଉଁ ସ୍କୁଲଗୁଡିକ ବିଭିନ୍ନ କାରଣରୁ କମ ଉପସ୍ଥାନ ଯୋଗୁ ବନ୍ଦ ଥିଲା, ଏ ସରକାର ଯଦି ତାହା ଖୋଲିବେ ସେଥିରେ ଆପତ୍ତି କିଛି ନାହିଁ । କିନ୍ତୁ ସବୁ ସ୍କୁଲ ଖୋଲିବା ବୋଲି କହିବା ଠିକ ନୁହେଁ । ମଦ ବନ୍ଦ କରିବା କହି ଏବେ ଏହା ଉପରେ ଚିନ୍ତା କରାଯାଉଛି ବୋଲି କହିବା ଓ କିଛି କଥାରେ ନିଷ୍ପତ୍ତି ଘୋଷଣା କରିବା ପରେ ମତ ବଦଳେଇବା ଆଦୌ ଠିକ ନୁହେଁ । ନୂଆ ସରକାର ନିର୍ଦ୍ଦିଷ୍ଟ ଠୋସ କଥା କହିବାର ଆବଶ୍ୟକତା ରହିଛି । ନିର୍ଦ୍ଦିଷ୍ଟ ଯୋଜନା ସହ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର ।