ଭୁବନେଶ୍ବର:ସାଧାରଣ ନିର୍ବାଚନ ସ୍ଵଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଛି ବିଜେଡ଼ି । ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଇଭିଏମ, ନିର୍ବାଚନ ଆୟୋଗଙ୍କ ସ୍ଵଚ୍ଛତାକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ଇଭିଏମରେ ପଡିଥିବା ଭୋଟ ଓ କାଉଣ୍ଟ ହୋଇଥିବା ଭୋଟ ଭିତରେ 5 କୋଟିର ବ୍ୟବଧାନ ଅଛି । ନଚେତ୍ ଓଡ଼ିଶାର 18 ସହ ଦେଶର 79ଟି ସାଂସଦ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା । ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ବିଜେପିର ଆସ୍କା ବିଧାୟକ ସରୋଜ କୁମାର ପାଢୀ ।
ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ମତଦାନ ଭୋଟ ଓ ଗଣତି ଭୋଟ ଭିତରେ 5 କୋଟିର ବ୍ୟବଧାନ ଅଛି । ଫଳରେ ଓଡିଶାର 18 ସମେତ ଦେଶର 79 ସଂସଦୀୟ କ୍ଷେତ୍ରରେ ଫଳାଫଳ ଉପରେ ଏହାର ପ୍ରଭାବ ପଡିଛି । ନିର୍ବାଚନ ଫଳାଫଳ ଅଲଗା ହୋଇଥିଲେ ବିଜେପି କେନ୍ଦ୍ରରେ ସରକାରରେ ନଥାନ୍ତା । ଇଭିଏମ ଓ ଇସିଆଇଙ୍କ ସ୍ଵଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର । ଓଡ଼ିଶା ଓ ଆନ୍ଧ୍ରରେ ବିଜେପି ଏହି ଷଡଯନ୍ତ୍ର କରିଛି । ଗଣତନ୍ତ୍ରର ବେକ ମୋଡି ଦେଇଛି । ଲୋକ ଭୋଟ ଦେଇଛନ୍ତି କିନ୍ତୁ ସେମାନଙ୍କ ଠାରୁ ଗଣତନ୍ତ୍ର ଅଧିକାର ଛଡାଇ ନେଇଛି ବିଜେପି । ଏହା ଗଣତନ୍ତ୍ର ବ୍ୟବସ୍ଥାରେ କଳଙ୍କିତ ଅଧ୍ୟାୟ ।"
ଲେଖାଶ୍ରୀ ଆହୁରି କହିଛନ୍ତି, "ଓଡ଼ିଶାରେ ବିଜେପି 2019 ନିର୍ବାଚନରେ ମାତ୍ର 8ଟି ଲୋକସଭା ଆସନ ଜିତିଥିଲା । ଏଥର 21ରୁ 20 ଲୋକସଭା ଆସନ ଜିତିବା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି । ବିଜେଡି 12ରୁ ଶୂନ୍ୟ ହୋଇଯିବା ଆଶ୍ଚର୍ଯ୍ୟଜନକ । ଲୋକଙ୍କ ମତକୁ ବିଜେଡି ସ୍ବୀକାର କରିଛି । 2019 ନିର୍ବାଚନରେ ଏ କଥା ଆସିଥିଲା କିନ୍ତୁ ଚଳିତ ବର୍ଷ ରିପୋର୍ଟରେ 5 କୋଟି ଭୋଟ ବ୍ୟବଧାନ ରହିଛି । ଇଭିଏମକୁ ନେଇ ମାମଲା ସୁପ୍ରିମକୋର୍ଟରେ ଚାଲିଛି । ନିର୍ବାଚନ ଆୟୋଗ ନିର୍ବାଚନ ପରିଚାଳନା କରୁଛନ୍ତି । କିଛି ହେରଫେର ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର କହୁଛନ୍ତି । କିନ୍ତୁ କିଛି ନିର୍ଦ୍ଧିଷ୍ଟ କାରଣରୁ ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ହେଉଛି ।