ସମ୍ବଲପୁର: ଜାତୀୟ ମୁକ୍ତି ସଂଗ୍ରାମର ମହାନାୟକ ତଥା ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ହେଉଛି 217 ତମ ଜନ୍ମ ଜୟନ୍ତୀ । ଏଥିପାଇଁ ସମ୍ବଲପୁର ଜିଲ୍ଲାରେ ଜିଲ୍ଲା ପ୍ରଶାସନ, ପ୍ରମୁଖ ରାଜନୈତିକ ଦଳ ଓ ସ୍ବେଛାସେବୀ ସଂଗଠନ ପକ୍ଷରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l
ସମ୍ବଲପୁରରେ ପାଳିତ ହୋଇଛି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ l ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସହ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ନେତାଜୀ ସୁଭାଷ ବୋଷଙ୍କୁ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।
ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲା ବିଜେଡି ସଭାପତି ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ନେତୃତ୍ବରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଆଜି ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ନେତୃତ୍ବରେ ବରିଷ୍ଠ ବିଜେଡି ନେତା ସିଦ୍ଧାର୍ଥ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବିଜେଡି ମହାନଗର ସଭାପତି ସତୀଶ ବିଶି, ଯୁବ ବିଜେଡି ନେତା ନିଶାନ୍ତ ବହିଦାର, ବିଜେଡି ନେତ୍ରୀ ସୁରେଖା ସାହୁ, ବନ୍ଦିତା ମିଶ୍ରଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଏହି ଜୟନ୍ତୀ ପାଳନରେ ସାମିଲ ହୋଇ ଥିଲେ । ଏହି ଅବସରରେ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ, ସଂଘର୍ଷ, ତ୍ୟାଗ ଓ ବଳିଦାନର ସ୍ମୃତିଚାରଣ କରିବା ସହ ତାଙ୍କ ଆଦର୍ଶ ସମ୍ବଲପୁରବାସୀଙ୍କୁ ପ୍ରେରିତ କରିଆସୁଥିବା ବିଜେଡି ନେତା କହିଛନ୍ତି ।