ଓଡିଶା

odisha

By ETV Bharat Odisha Team

Published : Mar 3, 2024, 8:40 PM IST

ETV Bharat / state

ସାତକୋଶିଆରେ ପକ୍ଷୀ ଗଣନା, ଦେଶର 32 ପକ୍ଷୀ ବିଶେଷଜ୍ଞ ସାମିଲ

Bird Survey: ସାତକୋଶିଆ ଅଭୟାରଣ୍ୟରେ ଆରମ୍ଭ ହୋଇଛି ସ୍ଥଳ ପକ୍ଷୀ ସର୍ବେକ୍ଷଣ । ପ୍ରାୟ ୩୨ ଜଣ ପକ୍ଷୀ ବିଶେଷଜ୍ଞ ଏଥିରେ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ

Bird Survey
Bird Survey

ସାତକୋଶିଆରେ ପକ୍ଷୀ ଗଣନା, ଦେଶର 32 ପକ୍ଷୀ ବିଶେଷଜ୍ଞ ସାମିଲ

ଅନୁଗୋଳ:ସାତକୋଶିଆ ଅଭୟାରଣ୍ୟରେ ଆରମ୍ଭ ହୋଇଛି ସ୍ଥଳ ପକ୍ଷୀ ସର୍ବେକ୍ଷଣ । ସାରା ରାଜ୍ୟରେ କେବଳ ସାତକୋଶିଆରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୩୨ ଜଣ ପକ୍ଷୀ ବିଶେଷଜ୍ଞ ଏଥିରେ ଭାଗ ନେଇଛନ୍ତି । "ପରିବେଶ ସନ୍ତୁଳନରେ ପକ୍ଷୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କେଉଁ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା କମୁଛି ଏବଂ କେଉଁ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ବଢୁଛି ତାହା ଜାଣିବା ଜରୁରୀ । ଏହାକୁ ନଜରରେ ରଖି ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି" ବୋଲି ସାତକୋଶିଆ ଡିଏଫଓ କହିଛନ୍ତି ।

ସୂଚନା ଅନୁସାରେ, ସାତକୋଶିଆ ମହାନଦୀ ଗଣ୍ଡରେ ପ୍ରତିବର୍ଷ ଜଳଚର ପକ୍ଷୀ ଗଣନା କରାଯାଏ । ହେଲେ ଏତେ ବଡ଼ ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ସ୍ଥଳ ପକ୍ଷୀ ଥିବାରୁ ସର୍ବେକ୍ଷଣ କରାଯିବାର ଆବଶ୍ୟକତା ରହିଛି । ଯାହାକୁ ଦୃଷ୍ଟିରେ ରଖି ଗତ ବର୍ଷଠାରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା । ପକ୍ଷୀମାନଙ୍କର ପରିବେଶ ସନ୍ତୁଳନ ପାଇଁ ବହୁତ ବଡ ଭୂମିକା ରହିଛି । ସେମାନେ ବିଜ ବିକ୍ଷେପଣ ଓ ପରାଗ ସଙ୍ଗମ କରୁଥିବାରୁ ଜଙ୍ଗଲ ଅଭିବୃଦ୍ଧି ଘଟୁଛି । ଏହାଛଡା ଅନେକ ପ୍ରଜାତିର ଅତ୍ୟଧିକ ବଂଶ ବୃଦ୍ଧି କରୁଥିବା କୀଟ ପତଙ୍ଗ ଖାଇଦିଅନ୍ତି । ଛୋଟ ଛୋଟ ପକ୍ଷୀ ଅନ୍ୟର ଆହାର ମଧ୍ୟ ହୋଇଥାଆନ୍ତି । ତେଣୁ ସେମାନଙ୍କ ଅବସ୍ଥିତି ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ । ପକ୍ଷୀମାନଙ୍କ ସମ୍ପର୍କରେ ଜାଣିଲେ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇପାରିବ । ଏସବୁ ଦୃଷ୍ଟିରୁ ସାତକୋଶିଆ କର୍ତ୍ତୃପକ୍ଷ ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଗତ ବର୍ଷ ସର୍ବେକ୍ଷଣରୁ ସାତକୋଶିଆରେ ୨୪୮ ପ୍ରଜାତିର ପକ୍ଷୀ ଥିବା ଜଣାପଡିଥିଲା।

ସାତକୋଶିଆ ପମ୍ପାସର ରେଞ୍ଜ ତରଭାଠାରେ ଏହି ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସାତକୋଶିଆ ଫିଲଡ଼ ଡାଇରେକ୍ଟର ସୁଧାଂଶୁ ଶେଖର ଖୋରା, ସାତକୋଶିଆ ଡ଼ିଏଫଓ ସରୋଜ କୁମାର ପଣ୍ଡା, ଭବାନୀପାଟଣା ଡିଏଫଓ ଅନୁରାଗ ମିଶ୍ର ଏବଂ ଫରେଷ୍ଟ ରେଞ୍ଜରସ ଟ୍ରେନିଂ କଲେଜର ନିର୍ଦ୍ଦେଶକ ସଂଗ୍ରାମ ବେହେରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବିଶେଷ କରି ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, ଗୋଆ, ତାମିଲନାଡୁ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରୁ ୩୨ ଜଣ ପକ୍ଷୀ ବିଶେଷଜ୍ଞ ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଛନ୍ତି । ଏଥିପାଇଁ ସାତକୋଶିଆ କର୍ତ୍ତୃପକ୍ଷ ପୂର୍ବରୁ ଆବେଦନ ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ସଂଗମ ନଗରୀରେ ବିଦେଶୀ ପକ୍ଷୀଙ୍କ ସମାଗମ, ପ୍ରୟାଗରାଜକୁ ଛୁଟୁଛନ୍ତି ପର୍ଯ୍ୟଟକ

ଗଣନା ପାଇଁ ୨ ଶହରୁ ଅଧିକ ବିଶେଷଜ୍ଞ ଆବେଦନ କରିଥିଲେ ମଧ୍ୟ ବଛା ବଛା ୩୨ ଜଣଙ୍କୁ ସୁଯୋଗ ଦିଆଯାଇଛି। ସାତକୋଶିଆର ରାଇଗୋଡା, ମଝିପଡା, ଟିକର ପଡା, ଜିଲିଣ୍ଡା, କନ୍ଧ ଅଏଡା, ହାତିଗିରିଜା ଆଦି ଜଙ୍ଗଲ ଗୁଡିକରେ ୧୬ଟି କ୍ୟାମ୍ପ କରାଯାଇଛି । ପ୍ରତ୍ୟକ କ୍ୟାମ୍ପରେ ଦୁଇ ଜଣ ଲେଖାଏଁ ବିଶେଷଜ୍ଞ ରହି ପକ୍ଷୀ ସର୍ବେକ୍ଷଣ କରିବେ। ଯଦିଓ ଗତ ଦୁଇ ବର୍ଷ ହେଲା ସାରା ରାଜ୍ୟର କେବଳ ସାତକୋଶିଆରେ ପକ୍ଷୀ ସର୍ବେକ୍ଷଣ କରା ଯାଉଛି, ତେବେ ସବୁ ଜଙ୍ଗଲ, ଅଭୟାରଣ୍ୟ ଏବଂ ବ୍ୟାଘ୍ର ପ୍ରକଳ୍ପ ଗୁଡିକରେ ଏଭଳି କରାଯିବାର ଆବଶ୍ୟକତା ରହିଛି ବୋଲି ପକ୍ଷୀ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।


ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details