କଟକ/ପୁରୀ:ପିପିଲିରେ ବ୍ୟାପି ଥିବା ବାର୍ଡଫ୍ଲୁର ନିରାକରଣ ପାଇଁ ପ୍ରୟାସ ଜାରି ରଖିଛି ପ୍ରଶସାନ । ତେବେ ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ମଣିଷଙ୍କ ଦେହରେ ବାର୍ଡ ଫ୍ଲ ଭୂତାଣୁ ଚିହ୍ନଟ ହୋଇନଥିଲେ ଏହି ଭୁତାଣୁ କୁକୁଡ଼ା ଠାରୁ ମଣିଷକୁ ବ୍ୟାପିବା ଆଶଙ୍କାକୁ ନେଇ ସମସ୍ତେ ଚିନ୍ତାଗ୍ରସ୍ତ ଅଛନ୍ତି । ଏହାରି ଭିତରେ ବାର୍ଡଫ୍ଲୁ ସ୍ଥିତିକୁ ଦେଖି ଏସସିବିରେ ୪ଟି ଆଇସିୟୁ ଓ ୨୦ଟ ବେଡ ବିଶିଷ୍ଟ ଏକ ସ୍ବତନ୍ତ୍ର ଚିକିତ୍ସା ୟୁନିଟ ଖୋଲାଯାଇଛି । ସେପଟେ ୧୨୦ ଡିଗ୍ରୀ ଠାରୁ କମ ଉତ୍ତାପରେ ରନ୍ଧା କୁକୁଡ଼ା ମାଂସ ଓ ଅଣ୍ଡା, ବିଶେଷ କରି ସୁପ, କବାବ, ଅଣ୍ଡା ପୋଚ, ହାଲ୍ଫ ବଏଲ ଅଣ୍ଡା ନ ଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
କ'ଣ କହିଲ SCBର CDMO ?
SCBର CDMO ମକରନ୍ଦ ବେଉରା କହିଛନ୍ତି,"ବାଡ ଫ୍ଳକୁ ବ୍ୟାପିବା ଆଶଙ୍କାରେ ପିପିଲି ଏବଂ ଏହାର ଆଖପାଖ ଅଞ୍ଚଳରେ କୁକୁଡ଼ା ମରା ଅଭିଯାନକୁ ଯୋରଦାର କରିଛି ପ୍ରଶାସନ । ଏହି ଭୂତାଣୁ କୁକୁଡ଼ାଙ୍କ ଠାରୁ ମଣିଷଙ୍କୁ ବ୍ୟାପିବାର ସମ୍ଭାବନା ରହୁଥିବାରୁ ଏହାକୁ ନେଇ ରାଜ୍ୟ ସରକାର ସତର୍କତା ମଧ୍ୟ ଜାରି କରିଛନ୍ତି । ବଡ କଥା ହେଉଛି କି ଏପର୍ଯ୍ୟନ୍ତ ଓଡ଼ିଶାର କୌଣସି ବ୍ୟକ୍ତିଙ୍କ ଦେହରେ ବାର୍ଡ ଫ୍ଲ ଭୁତାଣୁ ଚିହ୍ନଟ ହୋଇନାହିଁ । ଏପରି ସ୍ଥଳେ କଟକରେ ଏପରି ଅବସ୍ଥା ସୃଷ୍ଟି ହୋଇନାହିଁ । ଏହା ଉପରେ ନଜର ରଖାଯାଇଛି । ବର୍ତ୍ତମାନ କଟକରେ ସେମିତି କିଛି ଭୟ ନାହିଁ । "
SCBରେ ସ୍ବତନ୍ତ୍ର ବ୍ୟବସ୍ଥା:
ସେ ଆହୁରି ମଧ୍ୟ କହିଛନ୍ତି,"ମଣିଷ ଶରୀରରେ ଏହି ରୋଗର ଗୁରୁତର ପ୍ରଭାବ ପଡୁଥିବାରୁ ଏହାର ମୁକାବିଲା ପାଇଁ ଏସସିବିରେ ଆଗୁଆ ପସ୍ତୁତି କରାଯାଇଛି । ଉଭୟ ବାର୍ଡ ଫ୍ଲ ଓ ମଙ୍କି ପକ୍ସ ରୋଗୀଙ୍କ ଚିକିତ୍ସା ପାଇଁ ଏସସିବିରେ ୪ଟି ଆଇସିୟୁର ବ୍ୟବସ୍ଥା କରାଯାଇଥିବା ବେଳେ ଓ ୨୦ଟି ବେଡ ବିଶିଷ୍ଟ ଏକ ସ୍ବତନ୍ତ୍ର ଚିକିତ୍ସା ୟୁନିଟ ମଧ୍ୟ ଖୋଲାଯାଇଛି । ଏପର୍ଯ୍ୟନ୍ତ ବାର୍ଡ ଫ୍ଲ କିମ୍ବା ମଙ୍କି ପକ୍ସରେ ଆକ୍ରାନ୍ତ ହୋଇ ଏସସିବିକୁ କୌଣସି ରୋଗୀ ଆସିନାହାଁନ୍ତି । ଯଦି ଆସନ୍ତି ତେବେ ସେମାନଙ୍କ ଚିକିତ୍ସା ପାଇଁ ଏସସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।"
ଚିକେନ ଖାଉଥିଲେ ସାବଧାନ !
ବାର୍ଡ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚିକେନ ପ୍ରେମୀ ଲୋକଙ୍କୁ ସତର୍କ କରାଇଛନ୍ତି ବିଶେଷଜ୍ଞ । ଏନେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି," କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ସମୟରେ ସତର୍କ ଅବଲମ୍ବନ କରିବା ସହ ୧୨୦ ଡିଗ୍ରୀ ଉତ୍ତାପରେ ଅତି କମରେ ୨୦ ମିନିଟ ପର୍ଯ୍ୟନ୍ତ ରାନ୍ଧା ନ ଯାଇଥିବା କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ବିପଦ ଜନକ ହୋଇ ପାରେ । ଏହା ବ୍ୟତିତ ଅଧା ରନ୍ଧା କୁକୁଡ଼ା ମାଂସ ଓ ଅଣ୍ଡା ବିଶେଷ କରି ଚିକେନ କିମ୍ବା ଅଣ୍ଡାରେ ପ୍ରସ୍ତୁତ ହୋଉଥିବା ସୁପ୍, କବାବ୍, ଅଣ୍ଡା ପୋଚ୍ ଓ ହାଲ୍ଫ ବଏଲ ଅଣ୍ଡା ଖାଆନ୍ତୁ ନାହିଁ । ଏପରିକି କିଛି ଦିନ ପଯ୍ୟନ୍ତ ହୋଟେଲ କିମ୍ବା ଠେଲା ଗାଡ଼ିରେ ବିକ୍ରି ହେଉ ଥିବା କୁକୁଡ଼ା ମାଂସ ଖାଇବାଠୁ ଦୂରେଇ ରୁହନ୍ତୁ ।