ଭୁବନେଶ୍ବର:ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ବିଜେପି ସଭାପତିଙ୍କ ନାମ ଘୋଷଣା ହୋଇଛି । ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ କିପରି ଆହୁରି ମଜଭୁତ କରିବା ପାଇଁ ଅଣ୍ଟା ଭିଡ଼ିଛି ବିଜେପି । ଗତକାଲି (ଶନିବାର) ବହୁ ମାନସ ମନ୍ଥନ ପରେ ୨୩ଟି ସଂଗଠନୀୟ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବିଜେପି ସାଙ୍ଗଠନିକ ନିୟମ ଅନୁସାରେ ଯେଉଁ ପାର୍ଥୀମାନେ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ,ସେଥି ମଧ୍ୟରୁ ଜିଲ୍ଲା ସଭାପତି ଚୟନ କରାଯାଇଛି ।
ଗଞ୍ଜାମ:
ଗଞ୍ଜାମରେ ଭାରତୀୟ ଜନତା ପାର୍ଟି ଦିନକୁ ଦିନ ମଜବୁତ ହେବାରେ ଲାଗିଛି । ସରକାର ଆସିଲା ପରେ ବିଜେପି ପ୍ରଥମ ଥର ପାଇଁ ସାଂଗଠନିକ ସ୍ତରରେ ପରିବର୍ତ୍ତନ କରିଛି । ତେବେ ଗଞ୍ଜାମରେ ବିଜେପିର ୩ଟି ସାଙ୍ଗଠନିକ ଜିଲ୍ଲା ରହିଥିବାବେଳେ ୩ ଜଣ ନୂଆ ସଭାପତିଙ୍କ ନାଁ ଘୋଷଣା କରିଛି ଦଳ । ବ୍ରହ୍ମପୁର ପାଇଁ ସରୋଜ ସାବତ, ଆସିକା ପାଇଁ ବିଜୟ ସ୍ବାଇଁ ଏବଂ ଘୁମୁସର ପାଇଁ ନୀଳମାଧବ ପାତ୍ରଙ୍କ ନାଁ ଘୋଷଣା ହୋଇଛି ।
କଟକ:
ବିଜେପିର କଟକ ସାଂଗଠନିକ ଜିଲ୍ଲାର ନୂଆ ସଭାପତି ହେଲେ ସୁକାନ୍ତ କୁମାର ବିଶ୍ଵାଳ । ଆଇନ ମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନ ଆନୁଷ୍ଠାନିକ ଭାବରେ ନାଁ ଘୋଷଣା କଲେ । ନିଆଳି,କଟକ ସଦର,ଚୌଦ୍ଵାର କଟକ, ବାରବାଟୀ କଟକ ଏବଂ ବାଙ୍କୀ ନିର୍ବାଚନ ମଣ୍ଡଳୀକୁ ନେଇ ନୂଆ କରି ଗଠନ କରାଯାଇଛି କଟକ ସାଂଗଠନିକ ଜିଲ୍ଲା । ଗତ ସାଧାରଣ ନିର୍ବାଚନରେ ଏହି ୫ ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିଏ କଂଗ୍ରେସ ,୨ଟି ବିଜେଡି ଏବଂ ଅନ୍ୟ ୨ଟି ନିର୍ବାଚନ ମଣ୍ଡଳୀରେ ବିଜେପିର ବାଜିମାତ ହୋଇଛି । ତେଣୁ ନୂଆ ସଭାପତି ଓ ତାଙ୍କ ଟିମ ପାଇଁ ଅନେକ ଆହ୍ବାନ ରହିବ ।
ବଲାଙ୍ଗୀର:
ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ହେଲେ ଶ୍ରୀବଚ୍ଛ ବେହେରା । ସାମ୍ବାଦିକତା, କ୍ରୀଡ଼ା ପରେ ଏବେ ସମ୍ବାଳିବେ ବିଜେପି ଜିଲ୍ଲା ଦାୟିତ୍ବ । ଆଗକୁ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ବିଜେପିକୁ ସଫଳ କରିବା ଓ ସଙ୍ଗଠନକୁ ତୃଣମୂଳସ୍ତରରୁ ମଜବୁତ କରିବାର ଲକ୍ଷ୍ୟ ବୋଲି କହିଛନ୍ତି ନୂତନ ଜିଲ୍ଲା ସଭାପତି । ଶ୍ରୀବଚ୍ଛ ବେହେରା ଜଣେ ସାମ୍ବାଦିକ, ରାଜ୍ୟସ୍ତରୀୟ ଫୁଟବଲ ରେଫରୀ ଭାବରେ ବେଶ୍ ପରିଚିତ । ସେ ପୂର୍ବରୁ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦାୟିତ୍ବ ତୁଲାଇ ଥିଲେ । ତେବେ ଚଳିତଥର ବଲାଙ୍ଗୀର ଜିଲ୍ଲାରୁ ଚାରି ଜଣ ଜିଲ୍ଲା ବିଜେପି ସଭାପତି ପାଇଁ ନାମାଙ୍କନ ଭରିଥିଲେ ।
କେଉଁ କେଉଁ ସଂଗଠନୀୟ ଜିଲ୍ଲା ସଭାପତି ଘୋଷଣା ହୋଇଛି ?
୧. ଗଞ୍ଜାମ - ସରୋଜ ସାବତ ୨. ବଲାଙ୍ଗୀର - ଶ୍ରୀବତ୍ସ ବେହେରା ୩. ଢେଙ୍କାନାଳ - ରାସ ବିହାରୀ ବେହେରା ୪. ସୁନ୍ଦରଗଡ - ଗିରିଶ ସାହୁ ୫. କେନ୍ଦ୍ରାପଡ଼ା - ଶଶାଙ୍କ ଶେଖର ସେଠୀ ୬. ବାଲେଶ୍ବର - ଈଶ୍ବର ଚନ୍ଦ୍ର ବେହେରା ୭. କଟକ - ସୁକାନ୍ତ ବିଶ୍ଵାଳ ୮. ପୁରୀ - ଡ.ଦେବେନ୍ଦ୍ର ନାଥ ତରାଇ୯. କଳାହାଣ୍ଡି - ଯୁଗଳ ପୋଢ଼ ୧୦. ବରଗଡ଼ - ଡ. ଅରୁପାନନ୍ଦ ସାହୁ ୧୧. ଘୁମୁସର (ଭଞ୍ଜନଗର) - ନୀଳମାଧବ ପାତ୍ର ୧୨. ପଶ୍ଚିମ ମୟୂରଭଞ୍ଜ (ରାଇରଙ୍ଗପୁର) - ଜୁରୀଲାଲ ମହନ୍ତ |