ବ୍ରହ୍ମପୁର: କଥା ଦେଇ କଥା ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ସେହି ସଭାରେ ମୋଦିଙ୍କ ଫଟୋଚିତ୍ରକୁ ପ୍ରସ୍ତୁତ କରି ଆଣିଥିବା ଯୁବବର୍ଗ ଏବଂ କଳାକାରଙ୍କଠାରୁ ତାହାକୁ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ସେହି ସମୟରେ ପ୍ରତ୍ୟେକ ଫଟୋ ପ୍ରସ୍ତୁତ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ଚିଠି ଲେଖିବେ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ମୋଦିଙ୍କ କଥାରେ ଏଭଳି ଫଟୋଚିତ୍ରକୁ ପ୍ରସ୍ତୁତ କରିଥିବା ଅନେକ ଯୁବ ଚିତ୍ରକର ବେଶ ଖୁସି ଅନୁଭବ କରିଛନ୍ତି । ହେଲେ କିଏ ଅବା ଜାଣିଥିଲା ସତକୁ ସତ ପ୍ରଧାମନ୍ତ୍ରୀଙ୍କ ପକ୍ଷରୁ ଘରକୁ ଚିଠି ଆସିବ ବୋଲି ।
ଚିଠି ପାଇଁଥିବା ଜଣେ କଳାକାର ହେଉଛନ୍ତି ବ୍ରହ୍ମପୁର ସହରର ତୁଳସୀ ନଗର ତୃତୀୟ ଲାଇନରେ ରହି ଆସୁଥିବା ଯୁବଶିଳ୍ପୀ ଚିତ୍ରକର ଲକ୍ଷ୍ମୀନାରାୟଣ ମହାରଣା । ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ଗସ୍ତରେ ଆସୁଥିବାରୁ ସେ ପୂର୍ବରୁ ତାଙ୍କର ରହିଥିବା ଧ୍ୟାନ ମୁଦ୍ରାର ଫଟୋକୁ ପ୍ରସ୍ତୁତ କରି ମୋଦିଙ୍କ ସଭାରେ ପହଞ୍ଚିଥିଲେ । ଯାହାକି ସଭାସ୍ଥଳରେ ଭାଷଣ ଦେଉଥିବା ସମୟରେ ତାହାକୁ ପ୍ରଧାନମନ୍ତ୍ରୀ ଦେଖି ନିଜର ସୁରକ୍ଷା ଦାୟିତ୍ୱରେ ରହିଥିବା ଏସ୍.ପି.ଜିଙ୍କୁ ତାହାକୁ ସଂଗ୍ରହ କରିବାକୁ ସଭାମଞ୍ଚରୁ କହିଥିଲେ । ପରେ ତାଙ୍କୁ ଚିଠି ଲେଖିବେ ବୋଲି କହିଥିଲେ । ତେବେ ଏତେ ବ୍ୟସ୍ତତା ସତ୍ତ୍ବେ ମୋଦିଙ୍କ ପତ୍ର ମିଳିବା ଅତ୍ୟନ୍ତ ଖୁସି ଦେଇଥିବା କହିଛନ୍ତି ଏହି ଚିତ୍ରଶିଳ୍ପୀ ଜଣଙ୍କ । ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଫୋନ୍ ପହଞ୍ଚିବା ପରେ ଏହାକୁ ନେଇ ବ୍ରହ୍ମପୁରର ଲକ୍ଷ୍ମୀ ନାରାୟଣଙ୍କ ପରିବାର ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।