ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପୁଣି ସରକାରୀ ବାବୁ । ପଚାଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଜନ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ ପାଢୀ । ବିଲ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ । ଏଥିସହ ପାଟଣାଗଡ଼ ଅଫିସ ସମେତ ତିନୋଟି ଜାଗାରେ ଏକକାଳୀନ ଚଢାଉ ଜାରି ରଖି ଖୋଳତାଡ କରୁଛନ୍ତି ଭିଜିଲାନ୍ସ ।
ସୂଚନା ଅନୁସାରେ, ଜୟନ୍ତ ମେହେର ନାମକ ଜଣେ ଠିକାଦାର ସରକାରୀ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କରିଥିଲେ । ଏହି କାର୍ଯ୍ୟର ଦାୟିତ୍ବରେ ଥିଲେ ସହକାରୀ ଯନ୍ତ୍ରୀ ସୁଜିତ୍ ପାଢୀ । ତେବେ ଠିକାଦାରଙ୍କ ଫାଇନାଲ ବିଲ୍ କରାଇବା ପାଇଁ 1 ଲକ୍ଷ ଟଙ୍କା ଦାବି କରିଥିଲେ l ପ୍ରଥମ କିସ୍ତିରେ ଠିକାଦାର 50 ହଜାର ଟଙ୍କା ଯନ୍ତ୍ରୀଙ୍କୁ ଦେଇଥିଲେ । ହେଲେ ଏହାପରେ ବି ବିଲ କରିନଥିଲେ ସହକାରୀ ଯନ୍ତ୍ରୀ ସୁଜିତ୍ । ବାକି 50 ହଜାର ଟଙ୍କା ଦେବା ପରେ ବିଲ କରିବା ପାଇଁ କହିଥିଲେ । ଟଙ୍କା ଦେବା ପରେ ବି ବିଲ୍ କରାଇ ନଦେବାରୁ ଶେଷରେ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ଠିକାଦାର । ଆଉ ଯୋଜନା ମୁତାବକ ଠିକାଦାରଙ୍କ ଠାରୁ 50 ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଯନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ:ସରକାରୀ ଟଙ୍କାରେ ଅୟସ କରୁଥିଲେ ବାବୁ: ଭିଜିଲାନ୍ସ ଜାଲରେ ପଡିଲେ ମତ୍ସ୍ୟ ଅଧିକାରୀ, ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ