ଓଡିଶା

odisha

ETV Bharat / state

ନିର୍ବାଚନ ପାଇଁ ପ୍ରସ୍ତୁତ ବଲାଙ୍ଗୀର, ରାଜନୈତିକ ଦଳ ଓ ମିଡିଆକୁ MCC ମାନିବାକୁ ପ୍ରଶାସନର ପରାମର୍ଶ

2024 Election Preparation: ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ବ୍ୟାପକ ବ୍ୟବସ୍ଥା ।

2024 Election Preparation
2024 Election Preparation

By ETV Bharat Odisha Team

Published : Mar 18, 2024, 10:15 PM IST

2024 Election Preparation

ବଲାଙ୍ଗୀର: ସବୁଠି ନିର୍ବାଚନୀ ତାତି ।ବଲାଙ୍ଗୀର 2024 ନିର୍ବାଚନ ପାଇଁ ପୋଲିସ ପ୍ରଶାସନର ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭୋଟରଙ୍କୁ ସଚେତନ କରିବା ସହ ରାଜନୈତିକ ଦଳ ଓ ମିଡିଆକୁ ନିୟମ ମାନି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ କମିଟି ଗଠନ କରିଛନ୍ତି ଜିଲ୍ଲାପାଳ । ତେବେ ଚଳିତ ବର୍ଷ ବଲାଙ୍ଗୀରରେ ମୋଟ 13 ଲକ୍ଷ 23 ହଜାର 162 ଭୋଟର କରିବେ ମତଦାନ ।

ସାଧାରଣ ନିର୍ବାଚନ ବିଗୁଲ ବାଜି ସାରିବା ପରେ ଏବେ ସୁରୁଖୁରରେ ନିର୍ବାଚନ ପରିଚାଳନା ପାଇଁ ପ୍ରଶାସନଠୁ ନେଇ ସବୁଠି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବଲାଙ୍ଗୀର ଜିଲ୍ଲା ପ୍ରଶାସନ ମଧ୍ୟ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନ ସଂକ୍ରାନ୍ତରେ ବଲାଙ୍ଗୀର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲାପାଳ ଜିଲ୍ଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ ।

ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ବଲାଙ୍ଗୀରରେ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ । ପଞ୍ଚମ ପର୍ଯ୍ୟାୟ ପାଇଁ ଗେଜେଟ୍ ବିଜ୍ଞପ୍ତି ୨୬ ଏପ୍ରିଲ ୨୦୨୪ରେ ପ୍ରକାଶ ପାଇବାକୁ ଥିବାବେଳେ, ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ 3 ରଖାଯାଇଛି । ମେ 6 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ । ମେ 20ରେ ମତଦାନ ଓ ଜୁନ 4ରେ ଭୋଟ ଗଣତି ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଉମଧ୍ୟ ଜିଲ୍ଲାପାଳ ଜିଲ୍ଲା ସ୍ତରରେ ଖର୍ଚ୍ଚ ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲାସ୍ତରୀୟ ମିଡିଆ ସାର୍ଟିଫିକେଟ୍ ଏବଂ ମନିଟରିଂ କମିଟି ଗଠନ ହୋଇଥିବା କହିଛନ୍ତି । ସେହିପରି ନିର୍ବାଚନ ପରିଚାଳନାରେ ବ୍ୟବହୃତ ନାଗରିକ ଓ ପ୍ରାର୍ଥୀକୈନ୍ଦ୍ରୀକ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗଗୁଡ଼ିକ ଯଥା ସି-ଭିଜିଲ ଆପ୍‌, ସୁବିଧା ପୋର୍ଟାଲ, ପ୍ରାର୍ଥୀ ଆଫିଡେଭିଟ୍ ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ, ଭୋଟର ହେଲ୍ପଲାଇନ ଏବଂ ସକ୍ଷମ ଆପ ବ୍ୟବହାର ପାଇଁ ସୂଚନା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ..ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ପ୍ରଶାସନ

ଜିଲ୍ଲା ନିର୍ବାଚନ ପରିପ୍ରେକ୍ଷୀରେ ଅଧିକ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି, "ଜିଲ୍ଲାରେ ମତଦାତା ସଂଖ୍ୟା ୧୩ ଲକ୍ଷ ୨୩ ହଜାର ୧୬୨ ଥିବାବେଳେ ସେମାନଙ୍କ ମଧ୍ୟରେ ୬ ଲକ୍ଷ ୭୦ ହଜାର ୪୦୬ ଜଣ ପୁରୁଷ ଓ ୬ ଲକ୍ଷ ୫୨ ହଜାର ୪୬୬ ଜଣ ମହିଳା ଭୋଟର ରହିଛନ୍ତି । ସମୁଦାୟ ଭୋଟରମାନଙ୍କ ମଧ୍ୟରୁ ୧୮ ହଜାର ୩୧୫ ଜଣ ଭିନ୍ନକ୍ଷମ ବ୍ୟକ୍ତି ଥିବାବେଳେ ନୂତନ ଭୋଟର ସଂଖ୍ୟା ୩୨ ହଜାର ୧୩୧ ରହିଛି । ସେହିପରି ଜିଲ୍ଲାରେ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ରିଟର୍ଣ୍ଣିଂ ଅଫିସର ଭାବେ ନିୟୋଜିତ ହୋଇଛନ୍ତି । ଜିଲ୍ଲାରେ ମୋଟ 1 ହଜାର 548ଟି ବୁଥରେ ଭୋଟ ଗ୍ରହଣ ହେବ ।" ତେବେ ଏଥର ଗ୍ରୀଷ୍ମ ପ୍ରବାହ ସମୟ ଥିବାରୁ ସବୁ ବୁଥରେ ପାଣି, ଓଆର୍‌ଏସ୍‌ ଓ ଛାଇ ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି । ଏହାଛଡା 85 ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଘରେ ଭୋଟ ଦେବା ବ୍ୟବସ୍ଥା କରାଯିବ । ତେବେ ନିର୍ବଚନୀ ଖର୍ଚ୍ଚ ସହ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନିୟମ ବିରୁଦ୍ଧ କାମ ଉପରେ କଡା ନଜର ରଖାଯିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଭୋଟ ଦେବାକୁ ସେ ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି ଏବଂ ଏହି ଗଣତନ୍ତ୍ରର ପର୍ବରେ ସମସ୍ତଙ୍କୁ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

ସେପଟେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ କହିଛନ୍ତି, "ଏହି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି । କୌଣସି ପ୍ରକାର ଦ୍ବନ୍ଦ୍ବ, ହିଂସା ଏବଂ ଅପ୍ରିତିକର କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।" କିଭଳି ସଠିକ ସମୟରେ ଏବଂ ସଠିକ ଉପାୟରେ ନିର୍ବାଚନ ପରିଚାଳନା କରିହେବ ସେଥିପ୍ରତି ପୋଲିସ ପ୍ରଶାସନ ସର୍ବଦା ଜାଗ୍ରତ ରହିବ ବୋଲି ସେ କହିଛନ୍ତି । ଆଉମଧ୍ୟ ମାଓ ପ୍ରଭାବିତ ଅଂଚଳରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ରହିବ ବୋଲି କହିଛନ୍ତି ପୋଲିସ ଆରକ୍ଷୀ ଅଧିକ୍ଷକ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details