ଭୁବନେଶ୍ବର: ରାଜଧାନୀରେ ଆଶ୍ରମ ବିବାଦ ଘଟଣା । ତୁଳସୀ ପତ୍ର ପାଦ ତଳେ ରଖି ପୂଜାକୁ ବିରୋଧ କରି ଭରତପୁର ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ମାମଲା ରୁଜୁ କରିଛି ପୋଲିସ । ସେପଟେ ସ୍ପଷ୍ଟୀକରଣ ରଖିଲେ ଆଶ୍ରମ ମୁଖ୍ୟ ବାବା କାଶୀନାଥ । ଆଶ୍ରମ ବାହାରେ ଉତ୍ତେଜନାମୂଳକ ସ୍ଥିତି ପରିସ୍ଥିତି ଉପୁଜିଛି । ଏନେଇ ଆଶ୍ରମ ବାହାରେ ଓ ଭିତରେ ପୋଲିସ କଡ଼ା ନଜର ରଖିଛି ।
କାହିଁକି ବିବାଦକୁ ଆସିଛି ଆଶ୍ରମ?
ତୁଳସୀ ପତ୍ରକୁ ଗୋଡ଼ ତଳେ ରଖି ପୂଜାର୍ଚ୍ଚନା କରିଥିବା ନେଇ ଅଭିଯୋଗ ହୋଇଥିଲା । ଖଣ୍ଡଗିରିରେ ଥିବା ଆଶ୍ରମକୁ ନେଇ ବିବାଦ ଉପୁଜିଥିଲା । ଏନେଇ ଭରତପୁର ଥାନା ଧର୍ମୀୟ ଭାବନାକୁ କୁଠାରାଘାତ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଆଶ୍ରମ ମୁଖ୍ୟ ବାବା କାଶୀନାଥ । ସେ କହିଛନ୍ତି, "ଏବେ ମୁଁ ବାହାରେ ଅଛି । ଯାହା ଏବେ ଚର୍ଚ୍ଚା ଚାଲିଛି, ଏ ଫଟୋ 10 ବର୍ଷ ତଳର । ଯେତେବେଳେ ପୁଅକୁ ୪ରୁ ୫ବର୍ଷ ହୋଇଥିଲା ଓ ତା' ଜନ୍ମଦିନ ଥିଲା ବନ୍ଧୁଙ୍କ ଘରେ ଫଟୋ ଉଠାଯାଇଥିଲା । ଯେଉଁଠି ତୁଳସୀ ପାଦ ପାଖରେ ଓ ପୁଅ ବସି ରହିଥିବାର ଫଟୋ ରହିଛି । ସେଠାରେ ମୁଁ ନାହିଁ କି ମୋ ପତ୍ନୀ ମଧ୍ୟ ନାହାନ୍ତି । କିଛି ଲୋକ ଯେଉଁମାନେ ମୋଠୁ ଦୂରେଇ ଯାଇଛନ୍ତି । ସେମାନେ ମନ୍ଦ ଉଦ୍ଦେଶ୍ୟ ରଖି ଏପରି କରିଥାଇପାରନ୍ତି । କିଛି କୁଚକ୍ରି ଗୋଷ୍ଠୀ ଏହି ଚକ୍ରାନ୍ତ କରିଛନ୍ତି । ସେମାନେ ଫଟୋ ଉଠାଇ ଆଣି ଜାଣିଶୁଣି ଏପରି ଭାଇରାଲ କରୁଛନ୍ତି । ମୋ ପୁଅକୁ ଠାକୁର ବୋଲି ମୁଁ କହିନାହିଁ ।"
ଏହା ବି ପଢନ୍ତୁ...ବିବାଦରେ ଆଶ୍ରମ, ତୁଳସୀପତ୍ରକୁ ଗୋଡ ତଳେ ଥୋଇ ପୂଜା ଅଭିଯୋଗ
ସେ ଆହୁରି କହିଛନ୍ତି, "ଯେହେତୁ ମୁଁ ଆଧ୍ୟାତ୍ମିକ ଓ ଧାର୍ମିକ ପ୍ରବଚକ । ଅନେକ ସ୍ଥାନରେ ପ୍ରବଚନ ଦିଏ, ମୋ ପରିବର ସଦସ୍ୟ ଓ ବନ୍ଧୁମାନେ ମୋତେ ସମ୍ମାନ ଦିଅନ୍ତି । ଯେହେତୁ ଗୁରୁ ଶିଷ୍ୟ ସମ୍ପର୍କ ରହିଛି । ବିଶ୍ବରେ ଭାଗବତ କଥା ପ୍ରଚାର ପ୍ରସାର କରେ, ମୋତେ ସେମାନେ ଗୁରୁ ବୋଲି ମାନି ନିଅନ୍ତି ଓ ସନାତନ ଧର୍ମ ହିସାବରେ ଗୁରୁ ଶିଷ୍ୟ ପରମ୍ପରା ଅତ୍ୟନ୍ତ ମଧୁର । ଗୁରୁ ଶିଷ୍ୟ ପରମ୍ପରା ବଜାୟ ରହିଛି ।
ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ହସ୍ତକ୍ଷେପ:
ଏହି ମାମଲାରେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ହସ୍ତକ୍ଷେପ କରିଛନ୍ତି । ଯେଉଁ କୁନି ବାବା ସମ୍ପର୍କରେ ପ୍ରଚାର ହେଉଛି, ସେହି ବାବା କିଏ ଓ କ'ଣ କରନ୍ତି? ସେନେଇ ୧୫ଦିନ ଭିତରେ ରିପୋର୍ଟ ଦେବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଏହି ଘଟଣା ଉପରେ ସିଡିପିଓ ଓ ସିଡବ୍ଲୁସି ଅଧିକାରୀ କେଉଁ ତଥ୍ୟ ଯୋଗାଡ଼ କରିଛନ୍ତି ସେନେଇ ମଧ୍ୟ ପଚାରି ବୁଝିଛନ୍ତି ଶିଶୁ ସୁରକ୍ଷା ଅଧିକାର ଆୟୋଗ ।
ଇଟିଭି ଭାରତ, ଭୁବନେଶ୍ବର