ଭୁବନେଶ୍ବର:ନାମାଙ୍କନ ଭରିଲେ ବାବୁ ସିଂ । ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଶହ ଶହ ସମର୍ଥକଙ୍କ ସହ ଆସି ଭୁବନେଶ୍ୱରର ଉପଜିଲ୍ଲାପାଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି । ପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ନିକଟରେ ପୂଜା ଅର୍ଚ୍ଚନା ସହ ଆଜ୍ଞା ମାଳ ନେଇ ବାବୁ ସିଂ ବିରାଟ ପଟୁଆର ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି । ଭୁବନେଶ୍ୱର ସାଂସଦ ବା ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ଆଜିର ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଶହ ଶହ ସମର୍ଥକଙ୍କ ସାମିଲ ହୋଇଥିଲେ ।
ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସତ୍ତ୍ବେ ସବୁ ବର୍ଗର ଲୋକଙ୍କ ସମର୍ଥନକୁ ନେଇ ବିଜେପି ପତାକା ସହ ଗେରୁଆମୟ ହୋଇଥିଲା ରାଜଧାନୀର ରାଜରାସ୍ତା । ସେହିପରି ଜୟଶ୍ରୀ ରାମ ଜୟ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ନାରାରେ ପ୍ରକମ୍ପିତ ହୋଇଥିଲା ରାଜଧାନୀ । ଆଜି ବାବୁ ସିଂ ଲିଙ୍ଗରାଜ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଗ୍ୟାରେଜ, ରବି ଟକିଜ ଛକ ଦେଇ ଏକାମ୍ର ଭୁବନେଶ୍ୱରବାସୀଙ୍କ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବାକୁ ପାଥେୟ କରି ଦଳୀୟ ନେତା ଓ କର୍ମୀ ସହ ଆସି ନାମାଙ୍କନ ଭରିଛନ୍ତି ।
ନାମାଙ୍କନ ଭରିବା ପରେ ପ୍ରତିକ୍ରିୟା ରଖି ବାବୁ ସିଂ କହିଛନ୍ତି ଯେ, ଚଳିତ ଥର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଦୁର୍ନୀତି, ଅତ୍ୟାଚାର,ଭ୍ରଷ୍ଟାଚାର ହଟିବ । ଦୀର୍ଘଦିନରୁ ନିର୍ବାଚନ ମଣ୍ଡଳୀରେ ଚାଲିଆସିଥିବା ଦୁର୍ନୀତି ସରକାରଙ୍କ ଭ୍ରଷ୍ଟାଚାର ଶାସନ ହଟିବ । ଜନସାଧାରଣଙ୍କ ଆଶୀର୍ବାଦ ମାଆ ମାନଙ୍କ ଆଶୀର୍ବାଦ ଓ ଯୁବକମାନଙ୍କ ଉତ୍ସାହ ସହ ଭାରତୀୟ ଜନତା ପାର୍ଟି ଚଳିତ ଥରର ନିର୍ବାଚନୀ ବୈତରଣୀ ପାର କରିବ । ନାମାଙ୍କନ ଭରିବା ପରେ ଆମେ ନିର୍ବାଚନର ପ୍ରଥମ ପାହାଚ ଅତିକ୍ରମ କରିଛୁ, ଲାଗୁଛି ଚଳିତ ବର୍ଷ ନିର୍ବାଚନ ବିଜେପି ସପକ୍ଷରେ ରହିବ ।