ନିମାପଡା (ପୁରୀ) : ବିଶ୍ବପ୍ରସିଦ୍ଧ ପ୍ରସ୍ତର ଐତିହ୍ୟ କୋଣାର୍କସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବା ପାଇଁ ସର୍ଭେ ଓ ସମୀକ୍ଷା ବୈଠକ ହୋଇଛି । ଏନେଇ ସ୍ଥିତି ଅନୁଧ୍ୟାନ କରିଛି ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା’ ASIର ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍ । ADG ଙ୍କ ସମେତ ୧୫ ଜଣିଆ କୋର ଟିମ୍ ଆଜି କୋଣାର୍କ ମନ୍ଦିର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ମନ୍ଦିରର ଐତିହ୍ୟ ଓ ପର୍ଯ୍ୟଟକଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ମନିଟରିଂ ହେବ ।
- 3 ଘଣ୍ଟା ଧରି ସମୀକ୍ଷା କଲା ଏଡିଜିଙ୍କ ନେତୃତ୍ବାଧୀନ ଟିମ୍
ଆଜି କୋଣାର୍କ ମନ୍ଦିର ପରିସରରେ ଦୀର୍ଘ୍ ୩ ଘଣ୍ଟା ଧରି ଏହି ସମୀକ୍ଷା କରାଯାଇଥିଲା । ଅଧିକାରୀମାନେ ମନ୍ଦିରର ବିଭିନ୍ନ ଅଂଶରେ ସର୍ଭେ କରିବା ପରେ ଚୂଡାକୁ ମଧ୍ୟ ଚଢିଥିଲେ । ଦଧିନଉତି ସହ ବିଭିନ୍ନ ଅଂଶଙ୍କୁ ଭଲ ଭାବେ ନିରୀକ୍ଷଣ କରିଥିଲେ । ଆଜିର ସର୍ଭେ ଆଧାରରେ ବାଲି କଢାଯିବା ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସୂଚନା ମିଳିଛି ।
- ୧୯୦୩ ମସିହାରେ ଗର୍ଭଗୃହରେ କରାଯାଇଥିଲା ବାଲି ଭର୍ତ୍ତି :-
ସୂର୍ଯ୍ୟମନ୍ଦିର ପ୍ରତି ବିପଦ ଆଶଙ୍କାରେ ୧୯୦୩ ମସିହାରେ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ବାରକୁ ବନ୍ଦ କରି ଦିଆଯାଇଥିଲା । ସେବେଠାରୁ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ବନ୍ଦ ରହିଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି ବାହାରିବା ନେଇ ପୁନଃଶ୍ଚ 2022 ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୩ ଜାନୁଆରୀ ମାସରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍ ଲଗାଯାଇଥିଲା । ପରେ ଟନେଲ ଓ ଲିଫ୍ଟ ନିର୍ମାଣ ପାଇଁ ଫର୍ମାଟ ଓ ଲେଆଉଟ କାର୍ଯ୍ୟ ଆରମ୍ଭ ହୋଇଥିଲା । ବଡ଼ ଲୁହା ବିମ ବସାଯାଇ ମୁଳଦୂଆ ପକା ଯାଇଥିଲା । ସେହିଭଳି ଦକ୍ଷିଣ ପାର୍ଶ୍ୱରେ ଲୁହା ବିମ୍ ସାହାଯ୍ୟରେ ମନ୍ଦିର ଚୂଡାକୁ ପାହାଚ ନିର୍ମାଣ ସରିଛି ।
ଏହା ମଧ୍ୟ ପଢ଼ନ୍ତୁ...ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ! ଆଇନ ମନ୍ତ୍ରୀ କହିଲେ, 'ତୁରନ୍ତ ମରାମତି ହେବ' |