ପୁରୀ:ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ଜିପିଆର ସର୍ଭେ କାର୍ଯ୍ୟ କରାଯିବ । ତେବେ ପ୍ରଥମ ଦିନରେ ଆଜି ଜିପିଆର ସର୍ଭେ କାର୍ଯ୍ୟ ଶେଷ ହୋଇଛି । ସର୍ଭେ କାର୍ଯ୍ୟ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି," ଆସନ୍ତା ତିନି ଦିନ ଧରି ଜିପିଆର ସର୍ଭେ କାର୍ଯ୍ୟ ଶେଷ ହେବା ପରେ ମିଳିଥିବା ତଥ୍ୟକୁ ଅନୁଶୀଳନ କରାଯିବ । ଏହାପରେ ଏହି ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ଜିପିଆର ସର୍ଭେ ସର୍ବେକ୍ଷଣ ଶେଷ ହୋଇନଥିବାରୁ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ଥିବା ଏବେ ଠାରୁ କିଛି କହିହେବ ନାହିଁ ।"
ସରିଲା ପ୍ରଥମ GRP SURVEY:
ଆଜି ଦିନ ୨ଟାରୁ ଦୀର୍ଘ ଚାରିଘଣ୍ଟା ଧରି ଜିପିଆର ସର୍ଭେ ଅନୁଷ୍ଠିତ ହୋଇଥିଲା । ନ୍ୟାସନାଲ ଜିଓ ଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଆନନ୍ଦ ପାଣ୍ଡେଙ୍କ ତତ୍ତ୍ଵାବଧାନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କରାଯାଉଛି । ବୈଜ୍ଞାନିକ ଆନନ୍ଦ ପାଣ୍ଡେ କହିଛନ୍ତି," ପ୍ରଥମ ଦିନରେ ରତ୍ନଭଣ୍ଡାରର ମାଟି ତଳେ କ'ଣ ରହିଛି ସେନେଇ ଜିପିଆର ସର୍ଭେ କରାଯାଇଛି । ତିନୋଟି ମେସିନ୍ ସାହାଯ୍ୟରେ ଚଟାଣରୁ ଭୂମି ତଳକୁ ୧୦ ମିଟର ପର୍ଯ୍ୟନ୍ତ ଜିପିଆର ସର୍ଭେ କରାଯାଇଛି । ଏହା ଆହୁରି ଦୁଇଦିନ ସର୍ଭେ କରାଯିବ । ଏହାପରେ ଜିପିଆର ସର୍ଭେରୁ ମିଳିଥିବା ତଥ୍ୟକୁ ଅନୁଶୀଳନ କରାଯିବା ପରେ ରତ୍ନଭଣ୍ଡାର ତଳେ ଗୁପ୍ତ ସୁଡ଼ଙ୍ଗ, କୋଠରୀ ଅବା ରତ୍ନ ଅଳଙ୍କାର ଅଛି କି ନାହିଁ ତାହା ସ୍ପଷ୍ଟ ହୋଇଯିବ । ଆସନ୍ତା ଦୁଇଦିନ ଭିତରେ ସମସ୍ତ ଜିପିଆର ସର୍ଭେ କାର୍ଯ୍ୟକୁ ଶେଷ କରିବା ପାଇଁ ଟାର୍ଗେଟ ରଖାଯାଇଛି । ଜିପିଆର ସର୍ଭେ ସରିବା ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ।"