ଭୁବନେଶ୍ୱର:ଚିନ୍ତା ବଢାଉଛି ଡେଙ୍ଗୁ । ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ବର୍ଷ ଆରମ୍ଭରୁ ଏବେସୁଦ୍ଧା ମୋଟ ୪୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଆଶ୍ୱସ୍ତିକର ବିଷୟ ହେଉଛି ଯେ, ଡେଙ୍ଗୁ କାରଣରୁ ରାଜ୍ୟରେ ଏବେସୁଦ୍ଧା କାହାର ମୃତ୍ୟୁ ହୋଇନାହିଁ । ଅନ୍ୟପଟେ ଏବାବଦରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିବା ବେଳେ ପ୍ରତ୍ୟେକ ବିଭାଗ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ଡେଙ୍ଗୁ ଗତ ବର୍ଷ ତୁଳନାରେ ଏଥର କମ ରହିଛି । ବର୍ଷ ଆରମ୍ଭରୁ ବର୍ତ୍ତମାନ ଯାଏ ମୋଟ ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସବୁଠୁ ଅଧିକ ସଂଖ୍ୟା ୧୩୦ ରହିଛି । କିନ୍ତୁ ରାଜ୍ୟରେ ଡେଙ୍ଗୁରେ କାହାରି ମୃତ୍ୟୁ ହୋଇ ନାହିଁ । ବୁଧବାର ୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ମ୍ୟାଲେରିଆ କେସ ମଧ୍ୟ ଦେଖାଯାଉଛି । କିନ୍ତୁ କାହାରି ମୃତ୍ୟୁ ହୋଇନାହିଁ ।"
ଡେଙ୍ଗୁ ନିରାକରଣ ପାଇଁ ମାର୍ଗଦର୍ଶିକା ଜାରି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆଉମଧ୍ୟ କହିଛନ୍ତି, " ଡେଙ୍ଗୁ ତଦନ୍ତ ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ପ୍ରତ୍ୟେକ ବିଭାଗ ପାଇଁ ମାର୍ଗ ଦର୍ଶିକା ଜାରି ହୋଇଛି । ଖାସ କରି ସ୍କୁଲ ପିଲାମାନେ ଏବଂ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ବିଶେଷ ସଚେତନ କରାଯାଇଛି । ଯେଉଁ ପିଲାମାନେ ହଷ୍ଟେଲରେ ରହୁଛନ୍ତି ମଶାରୀ ଟାଙ୍ଗି ଶୋଇବା ପାଇଁ ପରାମର୍ଶ ଦିଆଯାଇଛି । ଏ ବାବଦରେ ତଦାରଖ ମଧ୍ୟ କରିବାକୁ ମଧ୍ୟ ସ୍କୁଲ ଅଧିକାରୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ହଷ୍ଟେଲରେ ପ୍ରତିଦିନ ମଶା ଧୂଆଁ ଦିଆଯିବ। ପିଲାମାନଙ୍କୁ ଡେଙ୍ଗୁ ବାବଦରେ ପ୍ରଧାନ ଶିକ୍ଷକ ସଚେତନ କରାଇବେ । ବିଭିନ୍ନ ମାର୍ଗଦର୍ଶିକା ସବୁ ବିଭାଗ ପାଇଁ ଜାରି ହୋଇଛି ।"