ଅନୁଗୋଳ: ରାଜ୍ୟରେ ପଢୁଥିବା ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଭେଟି । ପୂର୍ବରୁ ସରକାର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ଆବାସିକ ଗୃହ ଓ ଆବାସିକ ବିଦ୍ୟାଳୟ ନିର୍ମାଣ କରିଛନ୍ତି । ସେଠାରେ ହଜାର ହଜାର ଛାତ୍ରଛାତ୍ରୀ ମାଗଣାରେ ରହିବା ଓ ଖାଇବା ସୁବିଧା ପାଉଛନ୍ତି । ଏହି କ୍ରମରେ ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିବାକୁ ଯାଉଛି ଆବାସିକ ଗୃହ । ଏଠାରେ ପଛୁଆ ବର୍ଗର ଛାତ୍ରଛାତ୍ରୀ ମାଗଣାରେ ସମସ୍ତ ସୁବିଧା ପାଇପାରିବେ ।
ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଗୋଳ ବ୍ଲକର ନୂଆ ମଉଜାଠାରେ ପ୍ରାୟ ୪ ଏକର ଜାଗାରେ ନିର୍ମାଣ କରାଯାଇଛି ଆବାସିକ ଗୃହ । ଉଭୟ ବାଳିକା ଓ ବାଳକଙ୍କ ଅଲଗା ହଷ୍ଟେଲ ଥିବା ବେଳେ ପ୍ରତିଟିରେ ୩୦୦ ଲେଖାଏଁ ପିଲା ରହିପାରିବାର ବ୍ୟବସ୍ଥା ହୋଇଛି । ଉଭୟ ଗୃହ ୩ ମହଲା ବିଶିଷ୍ଟ ହୋଇଥିବା ବେଳେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ରହିଛି । ବିଦ୍ୟୁତ ସଂଯୋଗ, ଶଯ୍ୟାଗୃହ, ଗାଧୁଆ ଘର ଓ ଅନ୍ୟାନ୍ୟ ସବୁ ସୁବିଧା ଯୋଗାଇ ଦିଆଯାଇଛି । ବାହାରେ ଫୁଲବଗିଚା ମଧ୍ୟ ରହିଛି ।
୮ କୋଟି ଟଙ୍କାରେ ନିର୍ମିତ ଏହି ଆବାସିକ ଗୃହରେ ଦଶମ ପାସ କରି ବିଭିନ୍ନ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ତାଲିମ କେନ୍ଦ୍ରରେ ପଢୁଥିବା ପିଲାମାନଙ୍କର ରହିବାର ବନ୍ଦୋବସ୍ତ କରାଯାଇଛି । ଏହାର ପରିଚାଳନା ଦାୟିତ୍ବରେ ଏସସି,ଏସଟି ଓ ଓବିସି କଲ୍ୟାଣ ବିଭାଗ ରହିଛି । ଛାତ୍ରଛାତ୍ରୀଙ୍କ ଖାଇବା, ରହିବା, ବିଦ୍ୟୁତ ବିଲ ବାବଦରେ ବାର୍ଷିକ ଲକ୍ଷାଧିକ ଟଙ୍କା ବିଭାଗ ନିଜେ ବହନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦେଶ ଅଛି ।