ପାରଳାଖେମୁଣ୍ଡି: ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ହଙ୍ଗାମା । ଟଙ୍କା ନମିଳିବାରୁ ଅଙ୍ଗନବାଡ଼ି ଦିଦିକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି । ଫଳରେ ପାରଳାଖେମୁଣ୍ଡି ଓ ମୋହନାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା ।
କାହିଁକି ତେଜିଲା ଅସନ୍ତୋଷ?
ଏନେଇ ଆବେଦନକାରୀ କହିଛନ୍ତି, 'ସୁଭଦ୍ରା ଯୋଜନା' ପାଇଁ ବ୍ଲକ ଅଫିସ ବାରମ୍ବାର ଗଲେ ଟଙ୍କା ନମିଳିବାରୁ ସରକାରଙ୍କ ଟୋଲ-ଫ୍ରି ହେଲ୍ପଲାଇନ ନମ୍ୱରକୁ ଫୋନ କରିଲୁ । ହେଲେ ସନ୍ତୋଷଜନକ ଉତ୍ତର ମିଳିନଥିଲା ।" ଫଳରେ ସେମାନେ ଅଙ୍ଗନବାଡ଼ି କର୍ମୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହ ରାସ୍ତାରୋକ କରିଥିବା କହିଛନ୍ତି ହିତାଧିକାରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକର କୁମୁଳସିଂ ପଞ୍ଚାୟତ ଅନ୍ତର୍ଗତ ହାତୀବାଡ଼ି ଗ୍ରାମରେ। ସେହି ଗାଁର ୩୫ ଜଣ ମହିଳା ସୁଭଦ୍ରା ଯୋଜନା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଫଳରେ ଅଙ୍ଗନବାଡି କର୍ମୀଙ୍କୁ ମହିଳାଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଗତକାଲି(ଗୁରୁବାର) ମହିଳାମାନେ ଅଙ୍ଗନବାଡି କର୍ମୀ ଜମ୍ବୁବତି ଦେବୀଙ୍କୁ ଅଙ୍ଗନବାଡି କେନ୍ଦ୍ର ଗୃହରୁ ଟାଣି ଆଣି ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହ ରାସ୍ତାରୋକ କରିଥିଲେ । ଫଳରେ ପାରଳାଖେମୁଣ୍ଡି ଓ ମୋହନାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନଂ ୩୨୬(A)ରେ ଗମନାଗମନ ଠପ ହୋଇଯାଇଥିଲା। ଖବର ପାଇ ରାୟଗଡ ଥାନା ପୋଲିସ, ସିଡିପିଓ, ବିଡିଓ, ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରିବା ସହ ଯୋଜନାର ଅର୍ଥରାଶି ମିଳିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।