ମାନକାନଗିରି:ସହିଦ ଦିବସ ସପ୍ତାହ ପାଳନ ନେଇ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାଓବାଦୀ)ଙ୍କ ପ୍ରେସ ରିଲିଜ । ଆସନ୍ତା 28ରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ପାଳନ ହେବ ସହିଦ ଦିବସ ସପ୍ତାହ । ଆନ୍ଧ୍ର ଓଡିଶା ସ୍ବତନ୍ତ୍ର ଜୋନାଲ କମିଟିର ପ୍ରେସ ବିଜ୍ଞପ୍ତି । ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ଦିବସ ପାଳନ ପାଇଁ ଆହ୍ବାନ । ତେବେ ଗତ ୧ ବର୍ଷରେ ୨୦୦, ୬ ମାସରେ ୧୬୦ ନକ୍ସଲ ସାଥିଙ୍କର ମୃତ୍ୟୁ ହୋଇଛି ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାଓବାଦୀ) ତରଫରୁ ଗତକାଲି ପ୍ରେସ ବିଜ୍ଞପ୍ତି ଜାରି ହୋଇଥିଲା । ଏଥରେ ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ଦିବସ ସପ୍ତାହ ପାଳନ କରାଯିବା ନେଇ ଆହ୍ବାନ ଦେଇଛନ୍ତି । କମ୍ରେଡ ଚାରୁ ମଜୁମଦାରଙ୍କ ମୃତ୍ୟୁ ଦିବସକୁ ନକ୍ସଲ ସଂଗଠନ ସହିଦ ଦିବସ ରୂପେ ପାଳନ କରିଥାଏ । ତେବେ ଏହି ପ୍ରେସ ବିଜ୍ଞପ୍ତିରେ ସଂଗଠନ ଗତ ୧ ବର୍ଷ ମଧ୍ୟରେ ୨୦୦ ନକ୍ସଲ,ଲୋକ ଏବଂ ଅନ୍ୟ ସାଥିଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ୬ ମାସ ମଧ୍ୟରେ ୧୬୦ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ସ୍ବୀକାର କରିଛନ୍ତି ।
ଖୁବ କମ୍ ସମୟରେ ଏତେ ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଥିବା କହିଛନ୍ତି । ଏମାନଙ୍କ ମଧ୍ୟରୁ ୬ ମାସର ଶିଶୁ ମଙ୍ଗଳି ସହ ୬୦ ବର୍ଷର ବୃଦ୍ଧ ରହିଛନ୍ତି ବୋଲି କହିଛନ୍ତି । ଗତ ୨୦୨୩ ଓ ୨୦୨୪ରେ ମୃତ୍ୟୁବରଣ କରିଥିବା ସାଥି କମ୍ରେଡମାନଙ୍କର ବଳିଦାନକୁ ଭୁଲିବା ନାହିଁ ଏବଂ ତାଂକର ଆତ୍ମାର ଶାନ୍ତି ପାଇଁ ଲଢେଇ ଜାରି ରଖିବା ବୋଲି କୁହାଯାଇଛି ।
କେବଳ ଛତିଶଗଡରେ ଗତ ୬ ମାସ ମଧ୍ୟରେ ୧୪୦ ଜଣ ସାଥିଙ୍କର ଶତ୍ରୁ ଗୁଳିରେ ମୃତ୍ୟୁ ହୋଇଥିବା ସ୍ବୀକାର କରିଛି ସଂଗଠନ । ଅପରେସନ କଗାର ନାମରେ ଛତିଶଗଡ ସରକାର ନକ୍ସଲ ଦମନ ନେଇ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକୁ ସମସ୍ତେ ବିରୋଧ କରିବା ଉଚିତ ବୋଲି କହିଛି ସଂଗଠନ । କେନ୍ଦ୍ର ଓ ରାଜ୍ୟ ସରକାର ଦଳିତ ଲୋକଙ୍କ ଧନ ସଂପତ୍ତି ଲୁଟ କରି ନେବାକୁ ଚେଷ୍ଟା ଜାରି ରଖିଛନ୍ତି କିନ୍ତୁ ଆମ ପାର୍ଟି ପ୍ରତିବନ୍ଧକ ସାଜିଥିବା କୁହାଯାଇଛି । ଆମ ସଂଗଠନକୁ ସଂପୂର୍ଣ୍ଣ ବିଲୋପ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । କିନ୍ତୁ ଏହା କେବେ ସମ୍ଭବ ହେବ ନାହିଁ ବୋଲି କୁହାଯାଇଛି ।