ଓଡିଶା

odisha

ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ନୀତି ଓ ଉପଚାର, ସ୍ନାନ ସମୟରେ ପିନ୍ଧିଥିବା ଓଦା ବସ୍ତ୍ର ହେଲା ଓଲାଗି - Anabasara Rituals of Deities

By ETV Bharat Odisha Team

Published : Jun 24, 2024, 10:51 PM IST

Anabasara Rituals of Deities: ଅଣସର ଗୃହରେ ଚାଲିଛି ଚତୁର୍ଦ୍ଧାବିଗ୍ରହଙ୍କ ଗୁପ୍ତନୀତି । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ବରରେ ପୀଡ଼ିତ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ପଥି ଦିଆଯାଉଛି । ଅଧିକ ପଢ଼ନ୍ତୁ

Anabasara Rituals of Deities
Anabasara Rituals of Deities (ETV Bharat Odisha)

ପୁରୀ: ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡିତ ଅଛନ୍ତି ମହାପ୍ରଭୁ । ଅଣସର ପିଣ୍ଡିର ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ଉପଚାର । ଦଇତାପତିମାନେ ପ୍ରତ୍ୟେକ ଦିନ ଅଣସର ଘରକୁ ଯାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା କରୁଛନ୍ତି । ପଣା ଓ ଚକଟା ଭୋଗ ସହ ଧଳା ଫୁଲ ମହାପ୍ରଭୁଙ୍କୁ ଲାଗି କରାଯାଉଛି । ସ୍ନାନ ସମୟରେ ଶ୍ରୀଜୀଉ ପିନ୍ଧିଥିବା ଓଦା ବସ୍ତ୍ରକୁ ଆଜି (ସୋମବାର) ଅଣସରର ତୃତୀୟ ଦିନରେ ଓଲାଗି କରାଯାଇଛି । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ବରରେ ପୀଡ଼ିତ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ପଥି ଦିଆଯାଉଛି ।

Anabasara Rituals of Deities (ETV Bharat Odisha)

ଶ୍ରୀମନ୍ଦିରରେ ଦୈନନ୍ଦିନ ଭଜନ, କୀର୍ତ୍ତନ, ଗୀତ, ଘଣ୍ଟ ଘଣ୍ଟା ଓ ବାଜା ସବୁକୁ ନିଷିଦ୍ଧ କରାଯାଇଛି । ଜ୍ବରରେ ପୀଡିତ ଥିବା ମହାପ୍ରଭୁଙ୍କ ପାଇଁ ଦଇତାପତି ସେବାୟତମାନେ ଅଣସର ପଣା ପ୍ରସ୍ତୁତ କରିଛନ୍ତି । ଶ୍ରୀମନ୍ଦିର ଅଣସର ଘର ତାଟି ବାହାରେ ଦଇତାପତି ସେବାୟତ ମାନେ କ୍ଷୀର, ସର, ଚିନି, କର୍ପୁର, ନୈବେଦ୍ୟ ଲାଗି କରିସାରିବା ପରେ ଏହାକୁ ଘରକୁ ଆଣି ସେଥିରେ ଅଣସର ପଣା ପ୍ରସ୍ତୁତ କରିଥାନ୍ତି । ଜ୍ବରରୁ ଉପଶମ ପାଇବା ପାଇଁ ଏହା ମହାପ୍ରଭୁଙ୍କ ପାଖରେ ଲାଗି କରାଯାଏ ବୋଲି କହିଛନ୍ତି ଦଇତାପତି ସେବାୟତ । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁ ପଟି ଦିଅଁ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସେପଟେ ରତ୍ନ ସିଂହାସନରେ ମହାପ୍ରଭୁ ନଥିବାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ କମିଛି । ତେବେ ଅନେକ ଭକ୍ତ ଏଭଳି ନୀତି ଓ ପରମ୍ପରା ବିଷୟରେ ଜାଣିବା ପାଇଁ ଶ୍ରୀମନ୍ଦିରକୁ ଆସିଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପାଖେଇ ଆସୁଛି ରଥ ଯାତ୍ରା; ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ - RathaKhala Halchal

ସେପଟେ ଦେବସ୍ନାନ ପୂର୍ଣ୍ଣିମାରେ ଦାରୁଦିଅଁ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ଡିରେ ଗୁପ୍ତ ଉପଚାର ପାଇଁ ବିଜେ ହୋଇଥିବାବେଳେ ଅଣସର ଅବସରରେ ପୁରୀ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ହୋଇଛି । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଭଳି ସମାନ ଫଳ ମିଳିଥାଏ । ଏଥିପାଇଁ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ପୀଠ ଚଳଚଞ୍ଚଳ ହୋଇଛି । ହଜାର ହଜାର ଭକ୍ତ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ତେବେ ସକାଳୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହେଇଥିବାବେଳେ ଏହାକୁ ଭକ୍ତ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି । ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details