ଯାଜପୁର : ଦିନକୁ ଦିନ ବଢୁଛି ଦୁର୍ଘଟଣା । ବଢୁଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଗାଡ଼ି ଚାଳନା ସମୟରେ ଡ୍ରାଇଭରର ଅସାବଧାନତା ହେଉ କିମ୍ବା ଅନ୍ୟ କିଛି କାରଣ, ପ୍ରତିଦିନ ଘଟୁଛି ଏକାଧିକ ଦୁର୍ଘଟଣା ଏବଂ ଯାଉଛି ଲୋକଙ୍କ ଜୀବନ । ଅନେକ ସମୟରେ ଏପରି ହେଉଛି ଯେ, ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ତତକ୍ଷଣାତ ପହଞ୍ଚି ପାରୁନାହିଁ ସହାୟତା । ସଠିକ ସମୟରେ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ, ଉଦ୍ଧାରକାରୀ ଟିମ୍, ଅଗ୍ନିଶମ ଟିମ୍, ପୋଲିସ କିମ୍ଭା ସ୍ଥାନୀୟ ପ୍ରଶାସନ । ଫଳରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥାନ୍ତି ଆହତ । ବେଳେ ବେଳେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ଘଟିବାରୁ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ଚାଲିଯାଏ । ଅନ୍ୟପକ୍ଷରେ ରାସ୍ତାରେ ଯାଉଥିବା ପଥଚାରୀମାନେ ମଧ୍ୟ ଭୟରେ ଆହତଙ୍କୁ ହସ୍ପିଟାଲ ନେବାକୁ ଡରିଥାନ୍ତି ।
ଏପରି ପରିସ୍ଥିତିରେ ସାହସ ଜୁଟାଇ ଦୁର୍ଘଟଣାରେ ଶିକାର ଆହତମାନଙ୍କୁ ସଠିକ ସମୟରେ ହସ୍ପିଟାଲରେ ପହଞ୍ଚାଇଥାନ୍ତି କିଛି ଯୁବକ । ଆମେ କହୁଛୁ ଯାଜପୁରର କିଛି ଉଦ୍ୟମୀ ଯୁବକଙ୍କ କଥା । ଯେଉଁମାନେ ସ୍ବେଚ୍ଛାକୃତ ଭାବେ, ବିନା ପାରିଶ୍ରମିକରେ ଦୀର୍ଘ ୬ ବର୍ଷ ହେଲା ମାନବ ସେବାରେ ନିୟୋଜିତ ହୋଇଛନ୍ତି । କେବଳ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ସହାୟତା ନୁହେଁ, ସେମାନେ ନିସ୍ବାର୍ଥପର ଭାବେ ଅସହାୟ ମଣିଷ ଏବଂ ପଶୁଙ୍କ ସେବା ମଧ୍ୟ କରୁଛନ୍ତି । ଏହାସହ ଅଞ୍ଚଳର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ କାମ ମଧ୍ୟ କରୁଛନ୍ତି ।
AME APANANKA PAIN HELPING GROUP (ETV BHARAT ODISHA) ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ''ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୂପ" । ଦୁର୍ଘଟଣା ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜୁଛି ଏହି ଗ୍ରୂପ । ପୋଲିସ ପହଞ୍ଚିବା ପୂର୍ବରୁ ଏମାନେ ପହଞ୍ଚି ଲୋକଙ୍କ ଜୀବନ ବଞ୍ଚାଇଥାନ୍ତି । ଜନସେବା ମନୋଭାବ ପାଇଁ ଅନେକ ସ୍ଥାନରୁ ସମ୍ମାନିତ ହେବା ସହ ପ୍ରଶଂସା ମଧ୍ୟ ସାଉଁଟିଛି ସଂଗଠନର ସଦସ୍ୟ ।
ଅସହାୟଙ୍କ ସାହା 'ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୂପ":
ଯାଜପୁର ଜିଲ୍ଲାର 20 ନମ୍ବର ଓ 16 ନମ୍ବର ଜାତୀୟ ରାଜପଥ । ରାଜପଥରେ ଅନେକ ସମୟରେ ବଡ଼ ବଡ଼ ଗାଡ଼ି ଦୁର୍ଘଟଣା ଯୋଗୁଁ ନିରିହ ମଣିଷ ଓ ପଶୁଙ୍କର ମୃତ୍ୟୁ ଘଟୁଛି । ଦୁର୍ଘଟଣାକୁ ଦେଖି ଦେଖି ଅତିଷ୍ଟ ହୋଇ 2018 ମସିହାରେ ୧୦ ଜଣ ଯୁବକଙ୍କୁ ନେଇ ଗଠିତ ହୋଇଥିଲା 'ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୂପ' ।ଦୁର୍ଘଟଣା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ, ସେବାକୁ ନିଜର ବ୍ରତ ଭାବି ସେବା କରିଥାନ୍ତି ଗ୍ରୁପର ସଦସ୍ୟ । ଦିନ ହେଉ କି ରାତି, ଖରା ହେଉ କି ବର୍ଷା, ଶୀତ ହେଉ କି କାକର କୌଣସି ଦୁର୍ଘଟଣା ଖବର ପାଇଲେ, ଦୁର୍ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି ।
AME APANANKA PAIN HELPING GROUP RESCUING MENTAL ILLNESS PERSON (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ସେଚ୍ଛାସେବୀଙ୍କୁ ସଲାମ: ଯେବେ ରଥଯାତ୍ରାରେ ଘଟିଲା ଅଘଟଣ, ଦେବଦୂତ ସାଜି ପହଞ୍ଚିଥିଲେ ଆପଦ ମିତ୍ର - Ratha Yatra Social Workers - RATHA YATRA SOCIAL WORKERS
ଏହା ମଧ୍ୟ ପଢନ୍ତୁ-ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା - ANGUL AIR POLLUTION
ମାନସିକ ବିକାରଗ୍ରସ୍ତଙ୍କ ସେବା କରୁଛନ୍ତି ଗ୍ରୁପ ସଦସ୍ୟ:
ଖାଲି ସେତିକି ନୁହେଁ ଅନେକ ମାନସିକ ବିକାରଗ୍ରସ୍ତ ଲୋକଙ୍କର ମଧ୍ୟ ସେବା କରୁଛନ୍ତି ଏମାନେ । ଯେଉଁମାନଙ୍କୁ ଦେଖିଲେ ଲୋକେ ଘୃଣା କରନ୍ତି ସେମାନଙ୍କୁ ନିଜ ପରିବାରର ସଦସ୍ୟ ଭଳି ସେବା କରୁଛନ୍ତି । ଏହି ଗ୍ରୁପର କାର୍ଯ୍ୟକୁ ଦେଖି ଧୀରେ ଧୀରେ ଅନୁପ୍ରାଣିତ ହୋଇ ଶହେରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଏଥିରେ ସାମିଲ ହେଲେଣି । ସେପଟେ ଆଗାମୀ ଦିନରେ କିଭଳି ଜାତୀୟ ରାଜପଥ ଉପରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କମିବ ତା ଉପରେ ସଂଗଠନ ଅଧିକ ନଜର ଦେବ ବୋଲି କହିଛନ୍ତି ସଂଗଠନର ସଭାପତି ଅଶୋକ କୁମାର ଦାସ ।
MEMBERS OF AME APANANKA PAIN HELPING GROUP (ETV BHARAT ODISHA) ଦୁର୍ଘଟଣା ସମୟରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଥାନ୍ତି:
ଦୁର୍ଘଟଣା ହେଉ କିମ୍ବା ଟ୍ରାଫିକ ସମସ୍ୟା, ବିଭିନ୍ନ ସମୟରେ ପୋଲିସ ସହିତ ମିଶି କାର୍ଯ୍ୟ କରନ୍ତି ଗ୍ରୁପ ସଦସ୍ୟ । ନିଜ ପକେଟ ଖର୍ଚ୍ଚରୁ କିଛି ସଞ୍ଚୟ ଟଙ୍କା ସେବା କାର୍ଯ୍ୟରେ ଲଗାଇ ଖୁସି ଅନୁଭବ କରୁଥିବା କହିଛନ୍ତି କିଛି ସଦସ୍ୟ । ସଂଗଠନ ଉପଦେଷ୍ଟା ସୁବାସ ଧଳ କୁହନ୍ତି, " ଅନେକ ସ୍ବେଚ୍ଛାସେବୀ ସଂଗଠନ ଥିବା ସମୟରେ ଏହି ଗ୍ରୁପର ସେବା କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଗ୍ରୁପର ସଦସ୍ୟମାନେ ଅନେକ ସମୟରେ ଦୁର୍ଘଟଣା ସମୟରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଥାନ୍ତି । ସଦସ୍ୟଙ୍କ ଯୋଗୁଁ ଅନେକ ସମୟରେ ମୃତ୍ୟୁ ମୁଖରେ ପଡ଼ିଥିବା ବ୍ୟକ୍ତି ସଠିକ ସମୟରେ ଡାକ୍ତରଖାନାରେ ପହଞ୍ଚି ଜୀବନ ମଧ୍ୟ ଫେରି ପାଇଛନ୍ତି । "
ଗ୍ରୁପ ସଦସ୍ୟ ନିଃସ୍ବାର୍ଥପର ଭାବେ ସେବା କରୁଛନ୍ତି:
ଏନଏଚ ପୋଲିସ ପାଟ୍ରୋଲିଂ ଅଧିକାରୀ ଅଶୋକ କୁମାର ବଳକହିଛନ୍ତି, ''ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୂପ" ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ । ସେମାନେ ନିଃସ୍ବାର୍ଥପର ଭାବେ ସେବା କରୁଛନ୍ତି । ସେମାନେ ଆହତମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥାନ୍ତି । ଲୋକଙ୍କୁ ଅସୁବିଧା ସମୟରେ ସାହାର୍ଯ୍ୟ କରୁଛନ୍ତି । ଯଦି କେଉଁଠି ଦୁର୍ଘଟଣା ଘଟେ, ଖବର ପାଇଲେ ସେଠାରେ ଗ୍ରୁପ ସଦସ୍ୟ ପହଞ୍ଚିଯାଆନ୍ତି । ଏମାନେ ଅସହାୟର ବନ୍ଧୁ । ''
AME APANANKA PAIN HELPING GROUP AWARDED (ETV BHARAT ODISHA) 'ପୋଲିସ ପହଞ୍ଚିବା ପୂର୍ବରୁ ପହଞ୍ଚିଯାଆନ୍ତି' :
ଗ୍ରୁପ ସଭାପତି ଅଶୋକ କୁମାର ଦାସ କହିଛନ୍ତି, ''2018ରେ ଏହି ଗ୍ରୁପ ଆରମ୍ଭ ହୋଇଥିଲା । ଯୁବ ବର୍ଗର ପିଲାମାନେ ଏଥିରେ ସାମିଲ ହୋଇଥିଲେ । ରାସ୍ତାରେ ଯେତେବେଳେ ଦୁର୍ଘଟଣା ଘଟେ କେହି ସାହାଯ୍ୟ ସହଯୋଗ କରନ୍ତି ନାହିଁ, ଏନେକ ସମୟରେ ଏପରି ଘଟଣାମାନ ଦେଖିଲୁ । ଏହାପରେ ଆମେ ସାହାଯ୍ୟ କରିବାକୁ ଚିନ୍ତାକଲୁ । 10 ଜଣଙ୍କୁ ନେଇ ଗ୍ରୁପ ଆରମ୍ଭ ହୋଇଥିଲା । ବର୍ତ୍ତମାନ 150 ସଦସ୍ୟ ଗ୍ରୁପରେ ଅଛନ୍ତି । କେଉଁଠି ଦୁର୍ଘଟଣା ହେଲେ ପୋଲିସ ପହଞ୍ଚିବା ପୂର୍ବରୁ ଗ୍ରୁପ ସଦସ୍ୟ ପହଞ୍ଚୁଛନ୍ତି । ''
ଇଟିଭି ଭାରତ, ଯାଜପୁର