କଟକ: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ ଡାକ୍ତରଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । ଜିଲ୍ଲାର ସ୍ଥିତ ଏସସିବି ମେଡ଼ିକାଲ କଲେଜ ଟ୍ରମା କେୟାରର ଦାୟିତ୍ୱରେ ଥିବା ଏହି ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତି ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ବେଳେ ଆହତଙ୍କ ଚିକିତ୍ସାରେ ବିଳମ୍ବ କରାଯିବା ସହ ଘରୋଇ ମେଡିକାଲକୁ ନେବାକୁ ଡାକ୍ତର ଜଣଙ୍କ କହୁଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଏସସିବି ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କଲେ ରୋଗୀଙ୍କ ସମ୍ପର୍କୀୟ ।
ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱର ଅଞ୍ଚଳର ସନ୍ତୋଷ ପାଢ଼ୀଙ୍କ ଘରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବଳରାମ ମିଶ୍ର ଛାତ କାଟୁଥିବା ବେଳେ ହଠାତ କଟର ବ୍ଲେଡ ଛିଟକି ପଡ଼ି ବଳରାମଙ୍କ ହାତରେ ବାଜିଥିଲା । ଏହାପରେ ବଳରାମଙ୍କ ପ୍ରବଳ ରକ୍ତସ୍ରାବ ହେବା ପରେ ଘର ମାଲିକ ସନ୍ତୋଷ ଓ ତାଙ୍କର ସହଯୋଗୀ ପ୍ରଥମେ ଭୁବନେଶ୍ୱର ଏକ ଡାକ୍ତରଖାନାକୁ ନେଇଥିଲେ । ପରେ ସେଠାରୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ବଳରାମଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପାଖାପାଖି ଦିନ ଦୁଇଟା ସମୟରେ ଏସସିବି ମେଡିକାଲରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କର କୌଣସି ଚିକିତ୍ସା କରାଯାଇନଥିଲା । ଏପରି ଦୁଇ ଘଣ୍ଟା ବିତିଯିବା ପରେ ମଧ୍ୟ ଦୁର୍ଘଟଣା ଜନିତ କାଜୁଆଲିଟି ଦାୟିତ୍ୱରେ ଥିବା ଡାକ୍ତର ବାରମ୍ବାର ଆହତଙ୍କୁ ଘରୋଇ ମେଡିକାଲକୁ ନେବାପାଇଁ ପ୍ରବର୍ତ୍ତାଇ ଥିଲେ ।