ବାମରାକୁ NAC ମାନ୍ୟତା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ବାମରାକୁ ଏନଏସି ମାନ୍ୟତା ଦାବିରେ 12 ଘଣ୍ଟିଆ ବାମରା ବନ୍ଦ ଡାକରା l ବନ୍ଦ ପାଳନରେ ସାଧାରଣ ଜନତା ସହ ଦଳମତ ନିର୍ବିଶେଷରେ ସବୁ ଦଳର ନେତା ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।
ସମ୍ବଲପୁର ଜିଲ୍ଲା ବାମରାକୁ ଏନଏସି ଘୋଷଣା ନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ସୁଦ୍ଧା ଏନଏସି ଘୋଷଣା କରାନଯିବାକୁ ଆଜି ବାମରା ସହରାଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ୩୫ ଗୋଟି ନୂଆ ଏନଏସି ଘୋଷଣା କରିଥିବା ବେଳେ ଏଥିରୁ ବାମରା ବାଦ ପଡିଥିବାରୁ ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଅବଳମ୍ବନ କରି ୧୨ ଘଣ୍ଟିଆ ବାମରା ବନ୍ଦ କରିଛନ୍ତି। ସକାଳ 6 ରୁ ସନ୍ଧ୍ୟା 6 ଟା ଯାଏଁ ବାମରା ବନ୍ଦ ପାଳନ ହୋଇଛି l ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଥିବା ବେଳେ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଜନସାଧାରଣ ସ୍ଵତଃପୂର୍ତ୍ତ ଭାବେ ବନ୍ଦ ପାଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ- ବାମରା ଷ୍ଟେସନରେ ଜନଆନ୍ଦୋଳନ; ଟ୍ରେନ୍ କିଛି ବାତିଲ, କିଛି ଦିଗ ପରିବର୍ତ୍ତନ
ବାମରା ନାଗରିକ କ୍ରିୟାନୁଷ୍ଠାନ କମିଟିର ନେତୃତ୍ବରେ ବଣିକ ସଂଘ ଓ ସମସ୍ତ ସମସ୍ତ ସଂଘ ସାମିଲ ହୋଇ ଏହି ବନ୍ଦକୁ ସଫଳ କରିଛନ୍ତି l ଆଜିର ଏହି ବନ୍ଦ ପାଳନ ଆନ୍ଦୋଳନରେ କୁଚିଣ୍ଡାର ପୂର୍ବତନ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପୂର୍ବତନ ବିଜେପି ବିଧାୟକ ରବି ନାରାୟଣ ନାୟକ ଓ ବର୍ତ୍ତମାନର ବିଜେଡି ବିଧାୟକ କିଶୋର ଚଦ୍ର ନାୟକ ସମର୍ଥନ କରିବା ସହ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି l କୁଚିଣ୍ଡା ବିଧାୟକ କିଶୋର ନାୟକ କହିଛନ୍ତି ଯେ ଏହା କୌଣସି ରାଜନୈତିକ ଦଳର ଦାବି ନୁହେଁ ଏହା ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସାମୁହିକ ଦାବି l ବାମରା ଏନଏସି ହେବା ପାଇଁ ସବୁ ପ୍ରକାର ଯୋଗ୍ୟତା ରହିଛି l ଏଥିପାଇଁ ରିପୋର୍ଟ ମଧ୍ୟ ଦିଆଯାଇଛି l କେଉଁ ପରିସ୍ଥିତିରେ ଏହା ଘୋଷଣା ହେଲାନି ସେନେଇ ଆମେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛୁ ବୋଲି କହିଛନ୍ତି କୁଚିଣ୍ଡା ବିଧାୟକ କିଶୋର ନାୟକ l ବର୍ତ୍ତମାନ ମଧ୍ୟ ଆମେ ଆଶାବାଦୀ ଅଛୁ ଏନଏସି ଘୋଷଣା ହେବ ବୋଲି ସେ କହିଛନ୍ତି ।
ଅନ୍ୟପଟେ କୁଚିଣ୍ଡାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ରବି ନାରାୟଣ ନାୟକ କହିଛନ୍ତି ଯେ ବାମରା ଏନଏସି ହେବାପାଇଁ ଏହାର ସବୁ ଯୋଗ୍ୟତା ରହିଛି l ଏଥିପାଇଁ ବହୁ ପୂର୍ବରୁ ରିପୋର୍ଟ ମଧ୍ୟ ପ୍ରଧାନ କରାଯାଇଛି l ରିପୋର୍ଟ ଦିଆଯାଇଛି ଓ ବାମରା ଏକ ITDA ଅଞ୍ଚଳ ହୋଇଥିବା ସତ୍ବେ ଏହା କୁ NAC ଘୋଷଣା କରାଗଲା ନାହିଁ l ତେଣୁ ଆଗାମୀ ଦିନରେ ଅଞ୍ଚଳ ବାସୀ ଭୋଟ ବର୍ଜନ କରିବାର ଚେତାବନୀ ଦେଉଛନ୍ତି l ଆଉ ଆଜି ଲୋକେ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଛନ୍ତି l ତେଣୁ ଆଗାମୀ ଦିନରେ ସରକାର ଏହାକୁ NAC ମାନ୍ୟତା ଦେବେ ବୋଲି ଆଶା କରୁଛୁ ବୋଲି କହିଛନ୍ତି ରବି ନାୟକ l ବର୍ତ୍ତମାନର ସରକାରୀ କଳର ତ୍ରୁଟି ଯୋଗୁଁ ବାମରା NAC ଘୋଷଣା ହେଲାନି ବୋଲି ପରୋକ୍ଷରେ କହିଛନ୍ତି ରବି ନାୟକ l ସରକାର ମଧ୍ୟ ସ୍ଥାନୀୟ ଜନ ପ୍ରତିନିଧିଙ୍କ ବଦଳରେ ଜିଲ୍ଲାପାଳଓ ତହସିଲଦାର ମାନଙ୍କୁ ରିପୋର୍ଟ ମାଗୁଛନ୍ତି ବୋଲି କହିଛନ୍ତି ରବି ନାୟକ l
ଇଟିଭି ଭାରତ, ସମ୍ବଲପୁର