ପୁରୀ:ଆଉ ତିନିଦିନ ପରେ ଅର୍ଥାତ ଜୁନ ୨୨ରେ ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣମା । ଏହି ଅବସରରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକ କରିଛନ୍ତି। ଶୃଙ୍ଖଳିତ ସ୍ନାନଯାତ୍ରା ଆୟୋଜନ ନେଇ ମୁଖ୍ୟତଃ ବୈଠକରେ ଆଲୋଚନା କରାଯାଇଛି। ସେହିପରି ପହଣ୍ଡି, ଜଳଲାଗି, ହାତୀବେଶ ସମୟରେ ଯେଭଳି ଶୃଙ୍ଖଳା ରକ୍ଷା ହେବ ସେନେଇ ଗୁରୁତ୍ଵ ଦିଆଯାଇଛି। ଯାହାକୁ ନେଇ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ବିସ୍ତୃତ ସୂଚନା ଦିଆଯାଇଛି।
ଦେବସ୍ନାନ ପୂର୍ଣ୍ଣମା ଦିନ ଭକ୍ତମାନେ ସ୍ନାନମଣ୍ଡପର ଗୋଟିଏ ପାର୍ଶ୍ଵ ଦେଇ ପ୍ରବେଶ ଓ ଅନ୍ୟ ପାର୍ଶ୍ଵ ଦେଇ ପ୍ରସ୍ଥାନ କରିବେ। ସ୍ନାନ ମଣ୍ଡପରେ ସିସିଟିଭି କ୍ୟାମେରା ସହ ଖୁବ୍ କମ୍ ସମୟରେ କିଭଳି ଅଧିକ ଭକ୍ତ ଦର୍ଶନ କରିପାରିବେ ସେନେଇ ନିଷ୍ପତ୍ତି ହୋଇଛି। ସେହିପରି ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ଦର୍ଶନରେ ବାଧା ସୃଷ୍ଟି କରିବେ ନାହିଁ ସେନେଇ ସବୁ ସେବାୟତଙ୍କ ଭିତରେ ସମନ୍ଵୟ ରକ୍ଷା କରାଯିବ ବୋଲି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି। ସେହିପରି ସ୍ନାନଯାତ୍ରା ପାଇଁ ମାର୍କେଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରିକେଡ଼ ବ୍ୟବସ୍ଥା କରାଯାଉଛି। ଭକ୍ତ ମାନେ ସୁନ୍ଦର ଭାବେ ଯେଭଳି ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରିପାରିବେ ସେନେଇ ଗୁରୁତ୍ବ ଦେଇଛି ପୋଲିସ ପ୍ରଶାସନ। ଟ୍ରାଫିକ ବ୍ୟବସ୍ଥାକୁ ନଜରରେ ରଖି ସହରର ବିଭିନ୍ନ ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି। ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।