ଭୁବନେଶ୍ୱର:ଅଖିଳ ଭାରତୀୟ ଅଘ୍ରିଆ ସମାଜର ପ୍ରତିନିଧି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଘ୍ରିଆ ସମାଜକୁ ଭୁବନେଶ୍ୱର ଜମି ଓ 3 କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ । ଆଉ ଏବେ ନୂଆ ମୁଖ୍ୟମନ୍ତ୍ରୀ ସମାଜର ଜାଗା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
ଅଖିଳ ଭାରତୀୟ ଅଘ୍ରିଆ ସମାଜର ପ୍ରତିନିଧି କହିଛନ୍ତି ଯେ, ସେମାନେ ତାଙ୍କ ସମାଜର ବିଭିନ୍ନ କର୍ମ କର୍ତ୍ତା ଓ ବ୍ୟକ୍ତି ବିଶେଷ ଅନେକ କାମରେ ରାଜଧାନୀ ଭୁବନେଶ୍ୱରକୁ ଆସିଥାନ୍ତି । ଏଥିପାଇଁ ସେମାନଙ୍କୁ ଭୁବନେଶ୍ବରରେ ଏକ ଜାଗା ଆବଶ୍ୟକ । ପୂର୍ବ ସରକାର ଏଥିପାଇଁ ବ୍ୟବସ୍ଥା କରିଥିବା ବିଷୟରେ କହିଥିଲେ । କିନ୍ତୁ ସେମାନେ କୌଣସି ଜାଗା ପାଇ ନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ବ୍ୟବସ୍ଥା କରିବାକୁ ସେମାନେ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଘ୍ରିଆ ସମାଜର ପ୍ରତିନିଧିଙ୍କ ସମସ୍ୟା ବିଷୟରେ ଅନୁଧ୍ୟାନ କରାଯିବ । ଅଘ୍ରିଆ ସମାଜର ପ୍ରତିନିଧିଙ୍କ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଆଶ୍ଵାସନା ପାଇ ଅଘ୍ରିଆ ସମାଜର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି । ଏହି ଆଲୋଚନାରେ ଅଘ୍ରିଆ ସମାଜ ପକ୍ଷରୁ ପ୍ରାୟ ୫୦ରୁ ଅଧିକ କର୍ମକର୍ତ୍ତା ଯୋଗ ଦେଇଛନ୍ତି । ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଆଦି ବିଭିନ୍ନ ଜିଲ୍ଲାରୁ ପ୍ରତିନିଧି ମାନେ ଆସିଛନ୍ତି ।