ଭୁବନେଶ୍ବର: ଧରାପଡିଲା ହିରୋ ମାର୍କା ଯୁବକର ଭିଲେନଗିରି । ନିଜକୁ ଜଣେ ନାଭାଲ ଅଫିସର କହି ଯୁବତୀଙ୍କୁ ପ୍ରେମରେ ଫଶାଉଥିଲା । ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି କରୁଥିଲା ବ୍ଲାକମେଲିଂ । ଭିଡିଓ ପଠାଇ ଭାଙ୍ଗୁଥିଲା ବାହାଘର । ଏମିତି ଜଣେ 420 ବ୍ଲାକମେଲର ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ବର ମହିଳା ଥାନା ପୋଲିସ । ଗିରଫ ଯୁବକ ଜଣଙ୍କ ହେଉଛି ଜଗତସିଂହପୁର ବିରିଡି ପତିପୁରର ସୌମ୍ୟରଞ୍ଜନ ମିଶ୍ର ।
ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ନିଜକୁ ନାଭାଲ ଅଫିସର କହି ମୁମ୍ବାଇରେ କାମ କରୁଥିବାର ପରିଚୟ ଦେଉଥିଲା । ଏକ ମାଟ୍ରିମୋନିଆଲ ସାଇଟ୍ରେ ନିଜ ପ୍ରୋଫାଇଲ୍ ଅପଲୋଡ୍ କରି ବିବାହ ପ୍ରସ୍ତାବ ପାଇଁ ଆଗ୍ରହୀ ଯୁବତୀଙ୍କ ସହ ଭାବ ବଢାଉଥିଲା । ପରେ ଧିରେ ଧିରେ ବାହାଘର ଆଳ ଦେଖାଇ ଯୁବତୀଙ୍କୁ ଏକାନ୍ତକୁ ଡାକି ସମ୍ପର୍କ ବଢାଉଥିଲା । ଆଉ ହୋଟେଲ ବା ନିଛାଟିଆ ସ୍ଥାନରେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ରେକର୍ଡ କରୁଥିଲା । ଆଉ ଏହାପରେ ବ୍ଲାକ୍ମେଲ୍ କରୁଥିଲା । ଏହିଭଳି ଢଙ୍ଗରେ ଜଣେ ଯୁବତୀଙ୍କ ସହ ସମ୍ପର୍କ ବଢାଇ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରିଥିଲା ଅଭିଯୁକ୍ତ । ଯୁବତୀ ଜଣଙ୍କ ଯେତେବେଳେ ଜାଣିବାକୁ ପାଇଲେ ଯେ ଯୁବକ ଜଣକ ପ୍ରକୃତରେ ନାଭାଲ ଅଫିସର ନୁହେଁ, ବରଂ ଗୋଟାଏ ଠକ, ଏନେଇ ପରିବାର ଲୋକଙ୍କୁ କହି ବାହାଘର ଭାଙ୍ଗିବା ସହ ତାଙ୍କଠୁ ଦୂରେଇ ରହିଲେ । ହେଲେ ଯୁବକ ଜଣଙ୍କ ଅନ୍ତରଙ୍ଗ ଭିଡିଓ ଜରିଆରେ ବ୍ଲାକ୍ମେଲ୍ ଆରମ୍ଭ କରିଥିଲା । ପରେ ଏନେଇ ପରିବାର ଲୋକଙ୍କୁ ଦେଖାଇଦେବ କହି ଯୁବତୀଙ୍କ ଠାରୁ 50 ହଜାର ଟଙ୍କା ନେଇଥିଲା । ପ୍ରଥମ ପର୍ଯାୟରେ ଟଙ୍କା ନେବା ପରେ ଆଉ ଥରେ ଟଙ୍କା ପାଇଁ ସେ ପୀଡିତାଙ୍କୁ ବ୍ଲାକ୍ମେଲ୍ କରିଥିଲା । ଏନେଇ ପୀଡିତା ମନା କରିବାରୁ ତାଙ୍କର ବାହାଘର ଲାଗିଥିବା ଅନ୍ୟ ଯୁବକଙ୍କୁ ସେହି ଭିଡିଓ ପଠାଇ ଅଭିଯୁକ୍ତ ବ୍ଲାକ୍ମେଲ୍ କରିଥିଲା ।