ଭୁବନେଶ୍ବର:ଅରବିନ୍ଦ କେଜରିୱାଲଙ୍କୁ ଆଶୀର୍ବାଦ ପାଇଁ ସାମୂହିକ ଉପବାସରେ ବସିଲେ ଆପ୍ ନେତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପ୍ରତିବାଦରେ ଦେଶବ୍ୟାପୀ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ଦଳୀୟ କର୍ମକର୍ତ୍ତା । ରାଜଧାନୀ ଭୁବନେଶ୍ଵରରରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଲୋୟର ପିଏଜମିଠାରେ ଆପର କର୍ମକର୍ତ୍ତାମାନେ ଏକ ଦିବସୀୟ ସାମୂହିକ ଉପବାସ ରହି ଧାରଣା ଦେଇଛନ୍ତି । ଧାରଣାରତ ଆମ ଆଦମୀ ପାର୍ଟି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି, "କେଜ୍ରିୱାଲଙ୍କ ସଚ୍ଚୋଟ ରାଜନୀତିକୁ ନେଇ ସାଧାରଣ ଜନତା ଉପବାସରେ ରହିଛନ୍ତି । କାରଣ ଜନତାଙ୍କ ଆଶୀର୍ବାଦ ହିଁ ମୋଦି ସରକାରଙ୍କ ମିଛ ଷଡ଼ଯନ୍ତ୍ରରୁ ତାଙ୍କୁ ମୁକ୍ତି କରିପାରିବ । ଆଉ ପୁଣି ଥରେ ତାଙ୍କୁ ଲୋକଙ୍କ ସେବା କରିବାକୁ ସୁଯୋଗ ଦେବ ।" ଏହାସହ ନରେନ୍ଦ୍ର ମୋଦିଙ୍କୁ ବର୍ଜନ କରି ସଠିକ ଲୋକନେତାଙ୍କ ବିକଳ୍ପ ଭାବରେ ବାଛନ୍ତୁ ବୋଲି ଆପ୍ ଅନୁରୋଧ କରିଛି।
ସୂଚନା ଅନୁସାରେ, ଗତ ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ନିର୍ବାଚନ ପୂର୍ବରୁ ଏହି ଗିରଫଦାରୀ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ଚର୍ଚ୍ଚା ବଢିଛି । ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳ ଉପରେ ଇଡି ଏବଂ ସିବିଆଇର ଚଢାଉକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, " ଯେଉଁ ଗଣତନ୍ତ୍ରକୁ ପାଇବା ପାଇଁ ଦେଶ ଦୀର୍ଘଦିନ ଧରି ସଂଗ୍ରାମ କରିଥିଲା ସେହି ଗଣତନ୍ତ୍ରକୁ ବିଜେପି, ମୋଦି ଏବଂ ଶାହଙ୍କ ନେତୃତ୍ୱରେ ହତ୍ୟା କରିବାକୁ ବସିଛି। ଦେଶକୁ ବିରୋଧୀ ଶୂନ୍ୟ କରି ସମସ୍ତ କ୍ଷମତା ନିଜ ପାଖରେ କେନ୍ଦ୍ରୀଭୂତ କରିବାକୁ ଯାଉଛନ୍ତି । ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ଇଡି, ସିବିଆଇ ଲଗାଇ ଭୟଭୀତ କରାଯାଉଛି ।"