କେନ୍ଦ୍ରାପଡା: ଶିଶୁ କନ୍ୟାକୁ ନେଇ ନଦୀକୁ ଡେଇଁଲେ ମାଆ । ଅଳ୍ପକେ ବର୍ତ୍ତିଲା ଦୁଇ ଜୀବନ । ଏଭଳି ଏକ ଅଭାନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ । ପାରିବାରିକ କହଳକୁ ନେଇ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଉକ୍ତ ମଆ ,ଝିଅଙ୍କୁ ଉଦ୍ଧାର କରିବା ପାଇଁ ବପା ମଧ୍ୟ ନଦୀକୁ ଡେଇଁଥିଲେ । ତେବେ ଉକ୍ତ ଶିଶୁ କନ୍ୟା ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଟାଳ ପଞ୍ଚାୟତ ଅନ୍ତର୍ଗତ ଖନ୍ଦଳ ଗାଁରେ ବଡ଼ ଅଘଟଣରୁ ବର୍ତ୍ତିଛନ୍ତି ମାଆ ଓ ୯ ମାସର ଶିଶୁ କନ୍ୟା । ନାବାଳିକା ଝିଅକୁ ଧରି ଜନ୍ମକଲା ମାଆ ନଦୀକୁ ଡେଇଁଲେ । ଆଜି (ଶୁକ୍ରବାର) ଅପରାହ୍ନରେ ଅଟାଳ ପଞ୍ଚାୟତ ଖନ୍ଦଳ ଗାଁର ମନୀଷା ବେହେରା ପାରିବାରିକ କଳହକୁ କେନ୍ଦ୍ରକରି ତାଙ୍କର ୯ ମାସର ଶିଶୁ କନ୍ୟାକୁ ନେଇ ଆଳି ଗଡ଼ଗଡି ସେତୁ ଉପରୁ ଖରସ୍ରୋତା ନଦୀକୁ ଡେଇଁ ପଡ଼ିଥିଲେ ।ଏହା ପରେ ତାଙ୍କ ସ୍ବାମୀ କିଶୋର ବେହେରା ଶିଶୁ କନ୍ୟା ଓ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ନଦୀକୁ ଡେଇଁ ପଡିଥିଲେ ।
ତେବେ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକମାନେ ଏକ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଶିଶୁ କନ୍ୟାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଥିବା ନେଇ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି ।