ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଉଚ୍ଚଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗର ବିଗତ ଦୁଇ ଦଶନ୍ଧିର ସଫଳତା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ଆଗକୁ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ବିଷୟରେ ଆଲୋଚନା କରାଯାଇଛି ।
ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୦୦ ମସିହାରେ ୫୪୮ ଟି ଡିଗ୍ରୀ କଲେଜ ଥିବାବେଳେ ଆଜି ଏହା ବୃଦ୍ଧି ଘଟି ୧୦୪୦ ଡିଗ୍ରୀ କଲେଜରେ ପହଁଚିଛି । ବିଶ୍ୱବିଦ୍ୟାଳୟ ସଂଖ୍ୟା ମଧ୍ୟ ୫ରୁ ୨୪ରେ ପହଞ୍ଚିଛି, ଯେଉଁଥିରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ଓ ୭ଟି ବେସରକାରୀ ବିଶ୍ୱବିଦ୍ୟାଳୟ ରହିଛି । ସେହିଭଳି କିଛି ଦିନ ପୂର୍ବରୁ ପୁରୀର ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ଓ ଏହାର କାର୍ଯ୍ୟକ୍ଷମ ଓଡ଼ିଶା ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ରାଜ୍ୟରେ ୮ଟି ଏ-ଗ୍ରେଡ ବିଶ୍ୱବିଦ୍ୟାଳୟ, ଗୋଟିଏ ଏ ବିଶ୍ୱବିଦ୍ୟାଳୟ, ୪ଟି ବି ନାକ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ରହିଛି । ରାଜ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ କେବଳ ପରିମାଣରେ ନୁହେଁ, ଗୁଣବତ୍ତାରେ ମଧ୍ୟ ସ୍ପଷ୍ଟ ହୋଇଛି । ରାଜ୍ୟରେ ୨୧ଟି 'ଫଙ୍କସନାଲ ରିସର୍ଚ୍ଚ ସେଣ୍ଟର ଅଫ ଏକ୍ସିଲେନ୍ସ' ମଧ୍ୟ ଖୋଲାଯାଇଛି ।"
ଅତନୁ ଏହା ମଧ୍ୟ କହିଛନ୍ତି, "୫T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ୫T ନୀତି ଅନୁଯାୟୀ, କଲେଜ ଗୁଡିକର ସ୍ଥାୟୀ ଭିତ୍ତିଭୂମି ତିଆରି ହୋଇଛି । ଏଠାରେ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରୁମ ଓ ଲ୍ୟାବୋରଟୋରୀର ସୁବିଧା ପାଇ ପାରିବେ । ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ଅନ୍ତର୍ଗତ ଛାତ୍ରଛାତ୍ରୀ ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, କଳିଙ୍ଗ ଶିକ୍ଷା ସାଥି ଯୋଜନା ଆଦିର ଲାଭ ନେଇପାରିବେ । ସେହିପରି ବିଜୁ ଯୁବ ସଶକ୍ତିକରଣ ଯୋଜନା, ଗ୍ରୀନ୍ ପସେଜ ଯୋଜନା, ମାଗଣା ସିଭିଲ ସର୍ଭିସ କୋଚିଂ ଭଳି ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରାଯାଇଛି ।"