ଭୁବନେଶ୍ବର:ଆଜି ଦେଶ ପାଳୁଛି 75ତମ ସାଧାରଣତନ୍ତ୍ର ଦିବସ । କାଶ୍ମୀରରୁ କନ୍ୟା କୁମାରୀ ସବୁଠି ଉଡୁଛି ତ୍ରିରଙ୍ଗା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଳିତ ହୋଇଯାଇଛି ଗଣତନ୍ତ୍ର ଦିବସ । ମୁଖ୍ୟ ଅତିଥି ଜିଲ୍ଲାସ୍ତରୀୟ ସମାରୋହରେ ସାମିଲ ହୋଇ ପତାକା ଉତ୍ତୋଳନ କରିଛନ୍ତି । କଳାହାଣ୍ଡି, ନୂଆପଡା, ସମ୍ବଲପୁର, ଜଗତସିଂହପୁର, ନବରଙ୍ଗପୁର, ଭଦ୍ରକ ଜିଲ୍ଲାରେ ପାଳିତ ହୋଇଯାଇଛି ଗଣତନ୍ତ୍ର ଦିବସ ।
ନୂଆପଡା ଜିଲ୍ଲାର ମିନି ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି 75ତମ ସାଧାରଣତନ୍ତ୍ର ଦିବସ । ମୁଖ୍ୟ ଅତିଥି ଭାବରେ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଜିଲ୍ଲାର ସାମଗ୍ରିକ ବିକାଶ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ନାରୀ ଶସକ୍ତିକରଣ ମିଶନ ଶକ୍ତି ମହିଳା ମାନଙ୍କ ସଫଳତା ବିଷୟରେ ଉଦବୋଧନ ଦେଇଥିଲେ । ଆଗାମି ଦିନରେ ନୂଆପଡା ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ ବିଧାୟିକା ।
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥଭାବେ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ପରେ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଚାରଣ କରି ସାଧାରଣତନ୍ତ୍ର ଦିବସର ମହତ୍ତ୍ୱ ସହ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲାର ଭୂମିକା ସମ୍ବନ୍ଧରେ ସୂଚନା ଦେଇଥିଲେ । ବିଭିନ୍ନ ସ୍କୁଲ, ଓ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଭଦ୍ରକ ଜିଲ୍ଲାର ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ଥରୀୟ 75ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସର୍ବ ପ୍ରଥମେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟପାଲିଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରମୁଖ ପଦାଧିକାରୀ ମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ବୌଦ୍ଧରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ ସହିତ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ବୌଦ୍ଧରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଜିଲ୍ଲା ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଦେଶ ମାତୃକାର ମୁକ୍ତି ତଥା ସେବା ପାଇଁ ଉତ୍ସର୍ଗୀକୃତ ମହାପୁରୁଷ, ଜନନାୟକଙ୍କ ସ୍ମୃତି ଚାରଣ କରିଥିଲେ ।