ଓଡିଶା

odisha

ETV Bharat / state

ବରଗଡ଼ ଧନୁଯାତ୍ରା: ଶ୍ରୀକୃଷ୍ଣଙ୍କ ବସ୍ତ୍ରହରଣ ଲୀଳା, କଂସ ଡାକିଲେ ରଙ୍ଗସଭା - BARGARH DHANU YATRA 2025

ଦୈବ୍ୟବାଣୀରେ ବିବ୍ରତ ମହାରାଜ କଂସ । ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଲେ ଷଢ଼ଯନ୍ତ୍ର । ଧନୁଯାତ୍ରା ଆୟୋଜନ ପାଇଁ ଦେଲେ ନିର୍ଦ୍ଦେଶ ।

BARGARH DHANU YATRA 2025
BARGARH DHANU YATRA 2025 (ETV Bharat Odisha)

By ETV Bharat Odisha Team

Published : 8 hours ago

ବରଗଡ଼:କୃଷ୍ଣଙ୍କ ପ୍ରେମରେ ମଗ୍ନ ପୂରା ଗୋପପୁରବାସୀ । ମହାରାଜ କଂସ ଡ଼ାକିଲେ ରଙ୍ଗସଭା । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଗତକାଲି (ଗୁରୁବାର) ଷଷ୍ଠ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ରାସଲୀଳା ଓ ଗୋପୀ ଗୋପାଙ୍ଗନାଙ୍କ ସହ ନଟଖଟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋପୀଙ୍କ ବସ୍ତ୍ରହରଣ ଓ ଶ୍ରୀକୃଷ୍ଣଙ୍କ ବାଣୀ ଜନମାନସରେ କୃଷ୍ଣପ୍ରେମ ଓ କୃଷ୍ଣ ଚେତନା ଭରି ଦେଇଥିଲା ।

ଗୋପୀଙ୍କ ବସ୍ତ୍ରହରଣ:
ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାସଲୀଳା ଲାଗିଥିବା ବେଳେ ଗୋପୀମାନେ ଯମୁନା ପାରି ହୋଇ ମଥୁରାକୁ ଦହି ବିକିବାକୁ ଯାଉଛନ୍ତି । ଏହି ସମୟରେ ଗୋପୀ ଓ ରାଧାଙ୍କ ସହ ନଟଖଟିଆ କାହ୍ନୁ ନୃତ୍ୟ ଗୀତରେ ବେଶ ମସଗୁଲ ହୋଇଯାଇଥିଲେ l କେତେବେଳେ ରାଧାଙ୍କଠାରୁ ଦୂରେଇ ଯାଉଛନ୍ତି ତ କେତେବେଳେ ରାଧାଙ୍କୁ କରୁଛନ୍ତି ପ୍ରେମ ନିବେଦନ । ତେବେ ଏମିତି ଦିନେ ଯମୁନା ନଈରେ ଗୋପୀମାନେ ବିବସନ ହୋଇ ସ୍ନାନ କରୁଥିବା ବେଳେ ସେମାନଙ୍କ ବସ୍ତ୍ରହରଣ କରିଛନ୍ତି ନଟବର କୃଷ୍ଣ । ପରେ ଗୋପୀମାନେ ବହୁ କାକୁତିମିନତି ହୋଇ କୃଷ୍ଣଙ୍କୁ ନିବେଦନ କରିବାପରେ ସେ ଗୋପୀଙ୍କ ବସ୍ତ୍ର ଫେରାଇଦେବା ସହ ଏପରି ନକରିବାକୁ ଉପଦେଶ ଦେଇଥିଲେ ।

BARGARH DHANU YATRA 2025 (ETV Bharat Odisha)

ଗୋପପୁରରେ କୃଷ୍ଣଲୀଳା:

୧୧ ଦିନ ଧରି ଚାଲୁଥିବା ଧନୁଯାତ୍ରାର ପ୍ରମୁଖ ଭାଗ ହେଉଛି ଗୋପପୁର ଅମ୍ବାପାଲିରେ କୃଷ୍ଣଲୀଳା । ଦ୍ୱାପର ଯୁଗର ସେଇ ପୁରାଣ ବଣ୍ଣିତ କୃଷ୍ଣଲୀଳାକୁ ଅଭିନୟ ମାଧ୍ୟରେ ପ୍ରଦର୍ଶିତ କରାଯାଇଥାଏ । ଏଠାରେ ଲୋକମାନଙ୍କ ପ୍ରଭୁଙ୍କ ପ୍ରତି ଥିବା ପ୍ରେମର ଝଳକ ଦେଖିବାକୁ ମିଳିଥାଏ । ଏହି ଧରାପୃଷ୍ଠରେ ଶ୍ରୀକୃଷ୍ଣଙ୍କ ବାଣୀ ଜନମାନସରେ କୃଷ୍ଣପ୍ରେମ ଓ କୃଷ୍ଣ ଚେତନା ଆହୁରି ରୁଧିମନ୍ତ କରିଥାଏ । ଏହାକୁ ଦେଖିବା ପାଇଁ ଦୂର ଦୂରାନ୍ତାରୁ ଅନେକ କୃଷ୍ଣପ୍ରେମୀ ଗୋପପୁର ମାଟିକୁ ଛୁଟି ଆସନ୍ତି । ଅନ୍ୟପଟେ ମଥୁରାରେ ଦୈବବାଣୀରେ ବ୍ୟସ୍ତବିବ୍ରତ ହୋଇପଡ଼ୁଥିବା ମହାରାଜ କଂସ,ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର । ସେଥିପାଇଁ ଆୟୋଜନ କରିଛନ୍ତି ରଙ୍ଗସଭା ।

BARGARH DHANU YATRA 2025 (ETV Bharat Odisha)

ମହାରାଜ କଂସ ଡ଼ାକିଲେ ରଙ୍ଗସଭା:

ଗତକାଲି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଞ୍ଚଭରା । ମଥୁରା ନରେଶ ମହାରାଜ କଂସଙ୍କୁ ବିବ୍ରତ କରି ପକାଉଛି ଦୈବବାଣୀ । "ତତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ" ଏହି ଦୈବ ବାଣୀ ମନେ ପଡ଼ିଯାଉଛି କଂସଙ୍କର । ଆଉ ଏହାପରେ ମହାରାଜ କଂସ , ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର ଏବଂ ଆୟୋଜନ କରିଛନ୍ତି ରଙ୍ଗସଭା । ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି ଆୟୋଜନ କରିଛନ୍ତି ଏହି ରଙ୍ଗସଭା । ଏହି ସଭାରେ ମହାରାଜଙ୍କ ନିମନ୍ତ୍ରଣ ପାଇ ମିତ୍ରପକ୍ଷ ରାଜ୍ୟର ବହୁ ରାଜା ମଥୁରା ରାଜଦରବାରକୁ ଆସିଛନ୍ତି । ମଗଧ ରାଜା ଜରାସନ୍ଧଙ୍କ ସହ ଶିଶୁପାଳ , ନରକାସୁର ପରି ବଡ଼ ବଡ଼ ଯୋଦ୍ଧାମାନେ ମହାରାଜ କଂସଙ୍କୁ ଆଶ୍ୱାସନା ଦେଇଛନ୍ତି ।

BARGARH DHANU YATRA 2025 (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ଗୋପପୁରକୁ ଛୁଟିଛି ଦର୍ଶକଙ୍କ ସୁଅ - BARGARH DHANU YATRA 2025

ଏହା ମଧ୍ୟ ପଢନ୍ତୁ...ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ - DHANU YATRA 2025

ଏହା ମଧ୍ୟ ପଢନ୍ତୁ...ମଥୁରାରେ ଚାଲିଛି କଂସ ରାଜୁତି, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିଲା ଗୋପପୁର - DHANU YATRA 2025

BARGARH DHANU YATRA 2025 (ETV Bharat Odisha)

ଧନୁଯାତ୍ରା ଆୟୋଜନ ପାଇଁ ନିର୍ଦ୍ଦେଶ ଦେଲେ ମହାରାଜ କଂସ:

କୃଷ୍ଣଙ୍କୁ ମାରିବା ପାଇଁ ପ୍ରେରିତ ହୋଇଥିବା ରାକ୍ଷସ ଗୋପପୁରରେ ଶ୍ରୀକୃଷ୍ଣଙ୍କ ହାତରେ ଗୋଟିଏ ପରେ ଗୋଟିଏ ନିହତ ହେବା ଖବର କଂସକୁ ଚିନ୍ତିତ କରିଛି । ବାରମ୍ବାର କୃଷ୍ଣ ନାମ ଶୁଣିବାକୁ କଂସ ବାରଣ କରି ଭଣଜାକୁ କଳେବଳେ କୌଶଳେ ମାରିବାକୁ ଯୋଜନା କରିଛନ୍ତି । ପଡ଼ୋଶୀ ରାଜ୍ୟର ରାଜା ମାନେ କଂସଙ୍କୁ ଆଶ୍ୱାସନା ଦେବା ସହ କୃଷ୍ଣଙ୍କୁ ମାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏମାନଙ୍କ ଆଶ୍ୱାସନାରେ ଉତଫୁଲ୍ଲିତ ହୋଇ ମହାରାଜ କଂସ ରାଜଦରବାରରେ ନୃତ୍ୟଗୀତର ଆୟୋଜନ କରିଛନ୍ତି । କୃଷ୍ଣଙ୍କୁ ପରାସ୍ତ ନକରି ଛଳନାରେ ମଥୁରା ନିମନ୍ତ୍ରଣ କରିବା ପ୍ରସ୍ତାବ ଦେବା ପରେ ଧନୁଯାତ୍ରା ଆୟୋଜନ ପାଇଁ କଂସ ମହାରାଜ ନିର୍ଦ୍ଦେଶ ଦେଇଛନ୍ତି ପରିଷଦ ବର୍ଗଙ୍କୁ ।

ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ମହାରାଜ କଂସ:

ବିଭିନ୍ନ ସମସ୍ୟା ଉପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମହାରାଜ କଂସ । ଏନେଇ ଜିଲ୍ଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି, "ବରଗଡ଼଼ର ସମସ୍ୟାକୁ ନେଇ ପ୍ରଜାଙ୍କ ପାଖରୁ ଆସିଥିବା ଅଭିଯୋଗ ପତ୍ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମହାରାଜ କଂସ । କିପରି ସବୁ ସମସ୍ୟାର ସମାଧାନ ହେବ ସେଥିପାଇଁ ଅଧିକାରୀମାନେ ଉତ୍ତର ଦେଇଛନ୍ତି ।"

ମନ୍ତ୍ରୀ ଅକ୍ରୁରଙ୍କ ଗୋପପୁର ଗମନ :

ଧନୁଯାତ୍ରାର ସପ୍ତମ ଦିନରେ ମଥୁରାରେ ଧନୁଯାତ୍ରା ପାଇଁ କୃଷ୍ଣ ବଳରାମଙ୍କୁ ଧରି ଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜ କଂସଙ୍କ ଚିଟାଉ ପ୍ରସ୍ତୁତ । ଚିଟାଉ ନେଇ ମନ୍ତ୍ରୀ ଅକ୍ରୁରଙ୍କ ଗୋପପୁର ଗମନ ଏବଂ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟ ଅଭିନୀତ ହେବ ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details