ଓଡିଶା

odisha

ETV Bharat / state

ବାଟବଣା 5ଟି ସ୍କୁଲ: ଅଧାରୁ କାମ ବନ୍ଦ, ବାରାଣ୍ଡାରେ ଚାଲିଛି ପାଠପଢା, ନାହିଁ ଶୌଚାଳୟ - 5 T SCHOOL TRANSFORMATION

5ଟି ସ୍କୁଲ ରୂପାନ୍ତରଣ ବାଟବଣା । ସମ୍ପୂର୍ଣ୍ଣ ହୋଇନପାରି ଅଧାରେ ପଡିଛି ନିର୍ମାଣ । ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ।

ବାଟବଣା 5ଟି ସ୍କୁଲ: ଅଧାରୁ କାମ ବନ୍ଦ, ବାରାଣ୍ଡାରେ ଚାଲିଛି ପାଠପଢା, କ୍ୟାମ୍ପସରେ ନାହିଁ ଶୌଚାଳୟ
ବାଟବଣା 5ଟି ସ୍କୁଲ: ଅଧାରୁ କାମ ବନ୍ଦ, ବାରାଣ୍ଡାରେ ଚାଲିଛି ପାଠପଢା, କ୍ୟାମ୍ପସରେ ନାହିଁ ଶୌଚାଳୟ (ETV Bharat odisha)

By ETV Bharat Odisha Team

Published : Nov 3, 2024, 2:08 PM IST

ପାରେଳାଖେମୁଣ୍ଡି (ଗଜପତି): ଭିତ୍ତିଭୂମିର ବିକାଶ ପାଇଁ ପୂର୍ବ ସରକାର (ନବୀନ ସରକାର) ୫-ଟି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ଆଜି ବି ଅନେକ ବିଦ୍ୟାଳୟର ରୂପାନ୍ତରଣ କାମ ଅଧପନ୍ତରିଆ ହୋଇ ରହିଥିବା ବେଳେ କେଉଁଠି ଛାତ୍ରଛାତ୍ରୀମାେନ ବାରଣ୍ଡାରେ ବସି ପଢୁଛନ୍ତି ତ, ଆଉ କେଉଁଠି ପିଲାଏ ଶୌଚ ପାଇଁ ଏଣେ ତେଣେ ଯାଉଛନ୍ତି । ଏଭଳି ଏକ ବିଦ୍ୟାଳୟ ହେଉଛି ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗଜପତି ଜିଲା ଗୋଷାଣୀ ବ୍ଲକର ବି.ସୀତାପୁର ସ୍ଥିତ ଗୋପୀନାଥ ନନ୍ଦ ଉଚ୍ଚ ବିଦ୍ୟାଳୟ । ଏଠାରେ ଶ୍ରେଣୀ କକ୍ଷ ଅଭାବରୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢୁଛନ୍ତି । ହେଲେ ଅର୍ଥ ଅନୁମୋଦନ ହେବା ପରେ ମଧ୍ୟ ସ୍କୁଲ ଅଟ୍ଟାଳିକା କାମ ଶେଷ ନହୋଇପାରିବା ନେଇ କାହା ପାଖରେ ସନ୍ତୋଷଜନକ ଉତ୍ତର ନାହିଁ ।

  • 5 କ୍ଲାସରେ ଦେଢଶହ ପିଲା, 2 ଶ୍ରେଣୀକକ୍ଷ

ପାରଳାଖେମୁଣ୍ଡି ଉପକଣ୍ଠ ଗୋଷାଣୀ ବ୍ଲକ ବି.ସୀତାପୁର ସ୍ଥିତ ଗୋପୀନାଥ ନନ୍ଦ ଉଚ୍ଚ ବିଦ୍ୟାଳୟ । ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ରହିଥିବା ବେଳେ ଛାତ୍ରଛାତ୍ରୀ ସଂଖ୍ୟା ଦେଢଶହରୁ ଅଧିକ । ଏତେ ସଂଖ୍ୟକ ପିଲାଙ୍କ ପାଇଁ ରହିଛି ମାତ୍ର ୪ଟି ପ୍ରକୋଷ୍ଠ । ସେଥିମଧ୍ୟରୁ ଦୁଇଟି ଛୋଟ ପ୍ରକୋଷ୍ଠ ମଧ୍ୟରୁ ଗୋଟିଏରେ ବିଦ୍ୟାଳୟର କାର୍ଯ୍ୟାଳୟ ଚାଲିଥିବା ବେଳେ ଅନ୍ୟଟି ଷ୍ଟୋର ରୁମ୍ ଭାବେ ବ୍ୟବହାର ହେଉଛି । ଆଉ ଦୁଇଟି ପ୍ରକୋଷ୍ଠ ଏବଂ ବାରଣ୍ଡାରେ ବସି ପିଲା ପଢୁଛନ୍ତି । କେବଳ ସେତିକି ନୁହେଁ, ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଖୋଲା ଆକାଶ ତଳେ କରାଯାଉଛି ।

ବାଟବଣା 5ଟି ସ୍କୁଲ: ଅଧାରୁ କାମ ବନ୍ଦ, ବାରାଣ୍ଡାରେ ଚାଲିଛି ପାଠପଢା, କ୍ୟାମ୍ପସରେ ନାହିଁ ଶୌଚାଳୟ (ETV Bharat odisha)
  • 5ଟି ଅଧୀନରେ ରୂପାନ୍ତରଣ ପାଇଁ ଅନୁମୋଦନ ହୋଇଛି 51 ଲକ୍ଷ:-

ଏଭଳି ଦୟନୀୟ ସ୍ଥିତିରେ ପିଲାମାନେ ପଢୁଥିବା ବେଳେ ଏହାର ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ଦାବି ପରେ ପୂର୍ବ ସରକାର ଏହି ବିଦ୍ୟାଳୟର ଉନ୍ନତି ପାଇଁ ୫୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ୫ଟି ମାଧ୍ୟମରେ ରୂପାନ୍ତିରତ ହେବାକୁ ଥିବା ଏହି ବିଦ୍ୟାଳୟ କାମ ପାଇଁ ଆସିଥିବା ୫୧ଲକ୍ଷ ଟଙ୍କା ଗୋଷାଣି ବିଡିଓଙ୍କୁ ହସ୍ତାନ୍ତର କରାଯାଇଥିଲା । କାମ ଆରମ୍ଭ ମଧ୍ୟ ହୋଇଥିଲା । ହେଲେ କିଛି ଦିନ କାମ ହେବା ପରେ ବନ୍ଦ ହୋଇଯାଇଥିଲା । ଏହା ଭିତରେ ସରକାର ବଦଳିଛନ୍ତି, କିନ୍ତୁ ସଂପୃକ୍ତ ସ୍କୁଲ ସମସ୍ୟାର ସମାଧାନ ହୋଇପାରିନାହିଁ । ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ପ୍ରତିନିଧୀଙ୍କ ଯାଏଁ ସମସ୍ତଙ୍କ ନିକଟରେ ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗ କରି ଏହାର ସମାଧାନ ପାଇଁ ଗୁହାରୀ କରୁଥିଲେ ମଧ୍ୟ କୌଣସି ସୁଫଳ ମଳୁନାହିଁ । ଫଳରେ ପିଲାମାନେ ନାହିଁନଥିବା ଅସୁବିଧା ଭୋଗ କରୁଥିବା କହିଛନ୍ତି ।

ବାଟବଣା 5ଟି ସ୍କୁଲ: ଅଧାରୁ କାମ ବନ୍ଦ, ବାରାଣ୍ଡାରେ ଚାଲିଛି ପାଠପଢା, କ୍ୟାମ୍ପସରେ ନାହିଁ ଶୌଚାଳୟ (ETV Bharat odisha)

ଏହା ମଧ୍ୟ ପଢନ୍ତୁ :- ଉଦଘାଟନର ଦୁଇ ମାସରେ 5T ସ୍କୁଲ କାନ୍ଥ ଫାଟି ଆଁ

ଏହା ମଧ୍ୟ ପଢନ୍ତୁ :-ଏହାମଧ୍ୟ ପଢନ୍ତୁ: 5T ସ୍କୁଲ ଛାତରୁ ଖସିଲା ଅତଡା; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

  • ଜିଲ୍ଲା ମୁଖ୍ୟାଳୟ ନିକଟରେ ସ୍କୁଲ, ତଥାପି ଅବହେଳିତ:-

ଏହି ବିଦ୍ୟାଳୟ ଗଜପତି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର 3କିମି ଦୂରରେ ଥିବା ଏହି ବିଦ୍ୟାଳୟର ଉନ୍ନତି ପାଇଁ ଟଙ୍କା ଆସି ଇତି ମଧ୍ୟରେ 1 ବର୍ଷରୁ ଅଧିକ ସମୟ ହୋଇସାରିଥିଲେ ମଧ୍ୟ କାମ ହୋଇପାରୁନଥିବା ବେଳେ ପ୍ରଶାସନ ମଧ୍ୟ ଏହି କାର୍ଯ୍ୟକୁ କିଭଳି କରାଯିବ ନେଇ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ସ୍କୁଲ ରୂପାନ୍ତରଣ ପାଇଁ ଆସିଥିବା ପାଣ୍ଠି ବିଡିଓଙ୍କୁ ହସନ୍ତାନ୍ତର କରାଯାଇଛି । କାମ ଆଜି ଯାଏଁ କାହିଁକି ହେଉନାହିଁ ତାହା ସେ ବୁଝିପାରୁନାହାନ୍ତି । ଏପରିକି କାହାକୁ ପଚାରିଲେ ମଧ୍ୟ କେହି କିଛି କହିପାରୁନାହାନ୍ତି ବୋଲି ସେ କହିଛନ୍ତି । ଏନେଇ ଜିଲା ଶିକ୍ଷାଧିକାରୀ କହିଛନ୍ତି ଯେ, ବିଦ୍ୟାଳୟର ସମସ୍ୟା ନେଇ ସେ ଅବଗତ ଅଛନ୍ତି । ସମସ୍ୟାର ସମଧାନ କିଭଳି ହୋଇପାରି ସେ ଦିଗରେ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

ଟିଭି ଭରତ, ଗଜପତି

ABOUT THE AUTHOR

...view details