ଓଡିଶା

odisha

ETV Bharat / state

ସରିଲା ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ଉମଙ୍ଗ

Youth Festival Umang 2024: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ ପାଞ୍ଚ ଦିନ ଧରି ଆୟୋଜିତ ହୋଇଆସୁଥିବା ୩୭ତମ ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ "ଉମଙ୍ଗ-୨୦୨୪" ଉଦଯାପିତ ହୋଇଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 21, 2024, 8:33 AM IST

ଯୁବ ମହୋତ୍ସବ ଉମଙ୍ଗ-୨୦୨୪
ଯୁବ ମହୋତ୍ସବ ଉମଙ୍ଗ-୨୦୨୪

ଯୁବ ମହୋତ୍ସବ ଉମଙ୍ଗ-୨୦୨୪

ବ୍ରହ୍ମପୁର:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ ପାଞ୍ଚ ଦିନ ଧରି ଆୟୋଜିତ ହୋଇଆସୁଥିବା ୩୭ତମ ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ "ଉମଙ୍ଗ-୨୦୨୪" ଉଦଯାପିତ ହୋଇଯାଇଛି । ଭାରତର ପୂର୍ବାଞ୍ଚଳର 4ଟି ରାଜ୍ୟର 16ଟି ବିଶ୍ବବିଦ୍ୟାଳକୁ ନେଇ ଆୟୋଜିତ ହୋଇଥିବା ଏହି ଉତ୍ସବରେ ମୋଟ ୨୮ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହୋତ୍ସବର ଉଦଯାପନୀ ଉତ୍ସବରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜେତା ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ପ୍ରତ୍ୟେକ ବିଭାଗରେ ଚମ୍ପିୟାନ ହୋଇଥିବା ବିଶ୍ଵବିଦ୍ୟାଳୟମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଛି । ଏହାସହ ଆୟୋଜକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସହିତ ଜନଜାତି ଦଳ ନୃତ୍ୟ ଏବଂ ଭାରତୀୟ ଦଳ ସଙ୍ଗୀତ ପ୍ରସ୍ତୁତ କରାଯାଇଥିଲା । ଏହି ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ନିଜର ଅନ୍ତଃର୍ନିହିତ କଳାକୁ ପ୍ରଦର୍ଶିତ କରିବା ପାଇଁ ଗଞ୍ଜାମ ହେଉଛି ଉପଯୁକ୍ତ ସ୍ଥାନ ବୋଲି ମତବ୍ୟକ୍ତ କରିଥିଲେ ।

ପୁରସ୍କାର ବିତରଣୀ ଉତ୍ସବରେ ମହୋତ୍ସବର ପ୍ରଥମ ଦିନରେ ହୋଇଥିବା ସାଂସ୍କୃତିକ ଶୋଭାଯାତ୍ରାରେ ବିଜେତା ହୋଇଥିବା 4ଟି ବିଶ୍ଵବିଦ୍ୟାଳୟକୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ବିଜେତା ଘୋଷଣା କରାଯାଇଥିଲା । ଏହି ଶୋଭାଯାତ୍ରାରେ ପଶ୍ଚିମବଙ୍ଗର “ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟ” ପ୍ରଥମ ସ୍ଥାନ, ଝାଡ଼ଖଣ୍ଡର “ରାଞ୍ଚି ବିଶ୍ଵବିଦ୍ୟାଳୟ” ଦ୍ୱିତୀୟ, ଓଡ଼ିଶାର “ଉତ୍କଳ ବିଶ୍ଵବିଦ୍ୟାଳୟ ଅଫ କଲ୍ଚର୍” ତୃତୀୟ ସ୍ଥାନରେ ଥିବାବେଳେ ଚତୁର୍ଥ ସ୍ଥାନରେ ଆୟୋଜକ “ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ” ସ୍ଥାନ ପାଇଥିଲା ।

ସେହିପରି ଏବର୍ଷର ଅନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବର ଚମ୍ପିୟାନ ହୋଇଥିବା ପ୍ରଥମ, ଦ୍ଵିତୀୟ , ତୃତୀୟ , ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଥିବା ବିଶ୍ଵବିଦ୍ୟାଳୟକୁ ଟ୍ରଫି ପ୍ରଦାନ କରାଯାଇଥିଲା ‌। ଝାଡ଼ଖଣ୍ଡର ଦୁଇଗୋଟି ବିଶ୍ଵବିଦ୍ୟାଳୟ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଚତୁର୍ଥ ସ୍ଥାନରେ “ବିନୋଦ ବିହାରି ମହୋତ ବିଶ୍ଵବିଦ୍ୟାଳୟ” ଓ ପଞ୍ଚମ ସ୍ଥାନରେ “ବିନୋବା ଭାବେ ବିଶ୍ଵବିଦ୍ୟାଳୟ” ରହିଥିଲେ ।

ବିଶ୍ଵବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁରର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତିଶଗଡର ହେମ୍ ଚାନ୍ଦ ଯାଦବ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅରୁଣା ପଲ୍ଟା ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଯୋଗ ଦେଇଥିଲେ । ଏହା ସହିତ ଏ.ଆଇ.ୟୁ ଦ୍ଵାରା ନିୟୋଜିତ ଦୁଇଜଣ ପର୍ଯ୍ୟବେକ୍ଷକ ପ୍ରଫେସର ସୋରୋଭ ଲଖନପାଲ୍ ଓ ଯାନ୍ତ୍ରିକ ପର୍ଯ୍ୟବେକ୍ଷକ ପ୍ରଫେସର ଦୀପକ ମିଶ୍ର ମଧ୍ୟ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି ରାଷ୍ଟ୍ରପତି, ୨୫ତମ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

ସୂଚନା ଅନୁଯାୟୀ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ତରଫରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପାଞ୍ଚ ଦିନ (ଗତ ୧୬ରୁ ୨୦ ପର୍ଯ୍ୟନ୍ତ) ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଯୁବ ମହୋତ୍ସବରେ ଭାରତର ପୂର୍ବାଞ୍ଚଳର ଚାରୋଟି ରାଜ୍ୟ ଓଡ଼ିଶା, ବିହାର, ଝାଡଖଣ୍ଡ , ପଶ୍ଚିମବଙ୍ଗରୁ ୧୬ଟି ବିଶ୍ଵବିଦ୍ୟାଳୟରୁ ପାଖାପାଖି ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଟିମ୍ ମ୍ୟାନେଜର, ଅଧ୍ୟାପକମାନେ ଯୋଗ ଦେଇଥିଲେ । ଏହି ମହୋତ୍ସବ ପାଇଁ 4ଟି ରାଜ୍ୟର ୧୧୫ଟି ବିଶ୍ଵବିଦ୍ୟାଳୟ ଓ ସେମାନଙ୍କ ମଧ୍ୟରେ ଅନୁବନ୍ଧିତ ଥିବା ୪୫,୦୦୦ ମହାବିଦ୍ୟାଳୟଗୁଡ଼ିକୁ ନିମନ୍ତ୍ରଣ କରାଯାଇଥିଲା । ଏଥିମଧ୍ୟରୁ ୧୬ଟି ବିଶ୍ଵବିଦ୍ୟାଳୟ ଯୋଗ ଦେଇଥିଲେ । ମହୋତ୍ସବରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଯୁବ ପ୍ରତିଭା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ନିଜ ନିଜ ରାଜ୍ୟର ସଂସ୍କୃତି ଓ ଲୋକକଳାକୁ ପ୍ରଦର୍ଶନ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details