ବ୍ରହ୍ମପୁର: ଗର୍ଭବତୀ ମହିଳାମାନେ ପ୍ରସବ ପୂର୍ବରୁ କିପରି ନେବେ ନିଜର ଯତ୍ନ ? କେଉଁ ସମୟରେ ଓ କେତେ ଥର ସେମାନଙ୍କୁ ଅଲଟ୍ରାସାଉଣ୍ଡ (ୟୁଏସଜି ) କରିବା ଆବଶ୍ୟକ? ପ୍ରସବ ପୂର୍ବରୁ ଉଭୟ ମାଆ ଏବଂ ତାର ଗର୍ଭାଶୟରେ ବଢୁଥିବା ଶିଶୁ ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ଅଲଟ୍ରାସାଉଣ୍ଡ (ୟୁଏସଜି ) କରାଯାଇଥାଏ । ତେବେ ଏଭଳି ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ଜିଲ୍ଲାର ପ୍ରଶାସନ ଓ ସ୍ୱାସ୍ଥବିଭାଗ ପକ୍ଷରୁ କରାଯାଉଛି ନିରୀକ୍ଷଣ କାର୍ଯ୍ୟକ୍ରମ । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କଣ ରହିଛି ପରାମର୍ଶ ଆସନ୍ତୁ ଜାଣିବା...
ଗର୍ଭବତୀ କିପରି ନେବେ ସ୍ୱାସ୍ଥ୍ୟର ଯତ୍ନ:
ଗର୍ଭବତୀ ମହିଳାମାନେ ପ୍ରସବ ପୂର୍ବରୁ କିପରି ନେବେ ସ୍ୱାସ୍ଥ୍ୟର ଯତ୍ନ ? ଗର୍ଭଧାରଣ ଠାରୁ ଆରମ୍ଭ କରି ଶିଶୁକୁ ଜନ୍ମଦେବା ପର୍ଯ୍ୟନ୍ତ ମାଆକୁ ନିଜର ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି କାର୍ଯ୍ୟ କରିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିଥାଏ । ଏଥିସହ ଡାକ୍ତରଙ୍କ ନିକଟରେ ଯାଞ୍ଚ କରିବା ତାଙ୍କ ପରାମର୍ଶ ନେବା ଅତି ଆବଶ୍ୟକ ଅଟେ । ତେବେ ଗର୍ଭଧାରଣ ସମୟରେ ଶିଶୁର ଗତିବିଧି ଓ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବାକୁ ଡାକ୍ତର ଅଲଟ୍ରାସାଉଣ୍ଡ୍ (USG) କରିଥାନ୍ତି ।
ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରହିଛି ନିରୀକ୍ଷଣ କାର୍ଯ୍ୟକ୍ରମ । ଗର୍ଭବତୀମାନଙ୍କ ପ୍ରତି ବିପଦ ରହିଥିଲେ ତଥା ଗର୍ଭସ୍ଥ ଶିଶୁଟି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବତୀମାନଙ୍କର ମାଗଣାରେ ୩ ଥର ଅଲଟ୍ରାସାଉଣ୍ଡ କରାଯାଉଛି ।
ଗର୍ଭବତୀମାନେ କେଉଁ ସମୟରେ ଅଲଟ୍ରାସାଉଣ୍ଡ କରିବା ଜରୁରୀ:
ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରିଣୀ (ଏଡିପିଏଚଓ) ଡାକ୍ତର ଭି.ସରୋଜିନୀ ଦେବୀ କହିଛନ୍ତି, "ପ୍ରସବ ପୂର୍ବରୁ ପ୍ରତ୍ୟେକ ଗର୍ଭବତୀମାନେ ଅଲଟ୍ରାସାଉଣ୍ଡ ବା ସୋନୋଗ୍ରାଫି କରିବାର ଆବଶ୍ୟକତା ରହିଛି । ପିଲା ଗର୍ଭରେ ରହିବାଠୁ ଜନ୍ମ ହେବା ମଧ୍ୟରେ ଅତିକମରେ ୩ ଥର ଅଲଟ୍ରାସାଉଣ୍ଡ କରିବା ଜରୁରୀ ।"
ପ୍ରଥମତଃ, ମହିଳା ଗର୍ଭଧାରଣ କରିବାର ତିନିରୁ ଚାରି ମାସ ମଧ୍ୟରେ ଅଲଟ୍ରାସାଉଣ୍ଡ କରିବା ଜରୁରୀ । ଏହାଦ୍ୱାରା ଗର୍ଭାଶୟରେ ରହିଥିବା ଶିଶୁଟି ସାଧାରଣ ଭାବରେ ବଢୁଛି କି ନାହିଁ ଜଣାପଡିଥାଏ ।
ଦ୍ୱିତୀୟତଃ, ୫ ରୁ ୬ ମାସ ମଧ୍ୟରେ ଅଲଟ୍ରାସାଉଣ୍ଡ କରିବା ଆବଶ୍ୟକ । ଏହାଦ୍ୱାରା ଗର୍ଭାଶୟରେ ଶିଶୁଟି ଠିକ ଭାବେ ବଢୁଛି କି ନାହିଁ, ଗର୍ଭାଶୟରେ ପାଣି ସ୍ତର (ଓ୍ୱାଟର ଲେବୁଲ) ସଠିକ ଅଛି କି ନାହିଁ, ପିଲାର ଅଙ୍ଗଗୁଡିକ କିପରି ବୃଦ୍ଧି ପାଇଛି ଏସବୁ ବିଷୟରେ ଜାଣିହୁଏ ।
ତୃତୀୟରେ, ନଅ ମାସରେ ଆଉ ଥରେ ଅଲଟ୍ରାସାଉଣ୍ଡ କରାଯାଇଥାଏ । ଗର୍ଭବତୀଙ୍କ ପ୍ରସବ କିପରି ସୁରୁଖୁରୁରେ ହେବ ଏବଂ ଗର୍ଭାଶୟରେ ତାର ସ୍ଥିତି ଜାଣିବା ପାଇଁ ଏହା କରାଯାଇଥାଏ ।
ଆଉମଧ୍ୟ ଅସୁସ୍ଥତା ଅନୁଭବ କଲେ ମଧ୍ୟ ଅଲଟ୍ରାସାଉଣ୍ଡ କରିବା ଆବଶ୍ୟକ । ଅତିକମରେ ୩ ଥର ଅଲଟ୍ରାସାଉଣ୍ଡ କରାଯାଉଥିବା ବେଳେ ଯଦି ଗର୍ଭବତୀ କିଛି ଅସୁସ୍ଥତା ଅନୁଭବ କରନ୍ତି କିମ୍ବା ପେଟ କାଟିବା, ରକ୍ତସ୍ରାବ ହେବା ଭଳି ଯଦି ଲକ୍ଷଣ ଦେଖାଯାଏ ତେବେ ଅଲଟ୍ରାସାଉଣ୍ଡ କରାଯାଏ । ଏହି ଅଲଟ୍ରାସାଉଣ୍ଡ କରିବା ଦ୍ୱାରା ଗର୍ଭବତୀମାନଙ୍କର କୌଣସି ଜଟିଳତା ରହିଛି କି ନାହିଁ ତାହା ଜଣାପଡିଥାଏ ବୋଲି କହିଛନ୍ତି ଡକ୍ଟର ଭି ସରୋଜିନୀ ଦେବୀ ।
ଗଞ୍ଜାମ ନିରୀକ୍ଷଣ କାର୍ଯ୍ୟକ୍ରମ:
୨୦୨୨ ମସିହା ସେପ୍ଟେମ୍ବର ମାସରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ଏହି ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଭିତ୍ତିକ ନିରୀକ୍ଷଣ କାର୍ଯ୍ୟକ୍ରମ । ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଉତ୍ତମ ଯାଞ୍ଚ ଥିଲା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି ଯୋଜନା ମାଧ୍ୟମରେ ଗର୍ଭବତୀମାନେ ୩ ଥର ମାଗଣାରେ ଅଲଟ୍ରାସାଉଣ୍ଡ କରିପାରିବେ । ବିଶେଷ କରି ଅପହଞ୍ଚ ତଥା ଗ୍ରାମୀଣ ଅଞ୍ଚଳରେ ଗର୍ଭବତୀମାନେ କିଭଳି ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ ସେନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୮୫ ହଜାରରୁ ଅଧିକ ଗର୍ଭବତୀମାନେ ଅଲଟ୍ରାସାଉଣ୍ଡ ସୁବିଧା ପାଇପାରିଛନ୍ତି ।
ଏହାମଧ୍ୟ ପଢନ୍ତୁ... ଗର୍ଭାବସ୍ଥାରେ ଖାଆନ୍ତୁ ଏହି 7 ଖାଦ୍ୟ, ଶିଶୁ ରହିବ ସୁସ୍ଥ କାହିଁକି ଜନ୍ମ ହୁଅନ୍ତି ପ୍ରିମାଚ୍ୟୁର ଶିଶୁ, କ'ଣ ହୋଇଥାଏ ସମସ୍ୟା ? ପ୍ରସବ ପରର ଅବସାଦ କ'ଣ ? କିପରି ମୁକୁଳିବେ ମହିଳା, ପରାମର୍ଶ ଦେଲେ ଡାକ୍ତର |
ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ନିରୀକ୍ଷଣ ଆପ୍:
ଗୁଗଲ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି ଏହି ନିରୀକ୍ଷଣ ଆପ । ଏହାକୁ ଡାଉନଲୋଡ କରି ଗର୍ଭବତୀମାନେ ସ୍ୱାସ୍ଥ୍ୟସେବା ପାଇପାରିବେ । ତେବେ ନିଜ ଅଞ୍ଚଳର ଆଶା ଦିଦି ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଯୋଗାଯୋଗ କରି ଏହି ନିରୀକ୍ଷଣ କାର୍ଯ୍ୟକ୍ରମର ଲାଭ ନେଇପାରିବେ ।
ଇଟିଭି ଭାରତ, ବ୍ରହ୍ମପୁର