ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ସ୍କୁଲ ଲୋକାର୍ପିତ ହୋଇଛି । ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡା ଓ ବଲାଙ୍ଗୀର ଜିଲ୍ଲାର ସ୍କୁଲ ଲୋକାର୍ପଣ ହୋଇଛି । ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ମୟୂରଭଞ୍ଜ ଜିଲ୍ଲାର ୧୦୫ଟି, ସମ୍ବଲପୁରର ୬୩ଟି, ନୂଆପଡାର ୩୩ଟି, ରାୟଗଡାର ୬୦ଟି ଓ ବଲାଙ୍ଗୀର ୧୦୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଏବେ ସରକାରୀ ସ୍କୁଲ ଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି । ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି ଯେ, ପ୍ରଥମରୁ ସ୍କୁଲ ରୂପାନ୍ତର ଏକ ସ୍ବପ୍ନ ଭଳି ଥିଲା । ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଅଭିଭାବକଙ୍କ ସହଯୋଗ, ଟିମ ୱାର୍କରେ ଏହା ଅଭୂତପୂର୍ବ ସଫଳତା ପାଇଛି । ବର୍ତ୍ତମାନ ରୂପାନ୍ତରିତ ସ୍କୁଲଗୁଡିକର ରକ୍ଷଣାବେକ୍ଷଣ ଖୁବ ଗୁରୁତ୍ବପୂର୍ଣ୍ଣ । ଏଥି ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।