ଓଡିଶା

odisha

ETV Bharat / state

ଟଙ୍କା ଲେଣଦେଣକୁ ନେଇ ସାଥି ବ୍ୟବସାୟୀଙ୍କୁ ବିଭତ୍ସ ହତ୍ୟା, ଏବେସୁଦ୍ଧା ୩ ଗିରଫ - MAYURBHANJ BUSINESS MAN MURDER

ମୟୂରଭଞ୍ଜରେ ଜମି ବିକ୍ରି ଟଙ୍କାକୁ ନେଇ ଅପହରଣ ଓ ହତ୍ୟା ଘଟଣା, ୫ ଦିନ ପରେ ଜଙ୍ଗଲରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ, ଘଟଣାସ୍ଥଳରେ ସିନ ରିକ୍ରିଏସନ କଲା ପୋଲିସ

Mayurbhanj business man murder case
Mayurbhanj business man murder case (ETV Bharat Odisha)

By ETV Bharat Odisha Team

Published : Feb 4, 2025, 5:54 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଜମି ବିକ୍ରି ଟଙ୍କାକୁ କେନ୍ଦ୍ର କରି ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇଛି । ଘଟଣାରେ ଏବେସୁଦ୍ଧା ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେପଟେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ସିନ ରିକ୍ରିଏସନ କଲା ପୋଲିସ ।

Mayurbhanj business man murder case (ETV Bharat Odisha)

ଭଞ୍ଜପୁର ଥାନା ଅତିରିକ୍ତ ଏସପି ଦୀପକ ଗୋଚ୍ଛାୟତ ହତ୍ୟାକାଣ୍ଡ ନେଇ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳର ଦର୍ଶନ କୁମାର ଭୂୟାଁ (୪୫), ଚାନ୍ଦୁଆର ପୂର୍ବତନ ସରପଞ୍ଚ ବିରେନ ସୋରେନ (୬୫) ଓ ଝାଡଖଣ୍ଡ ରାଜ୍ୟର ବହଡାଗୋଡା ଥାନା ଅନ୍ତର୍ଗତ ବେନଦା ଅଞ୍ଚଳର ଅମରନାଥ ପଣ୍ଡା (୩୬) । ବହଡାଗୋଡା ଥାନା ଅଞ୍ଚଳର ଅନ୍ୟ ଜଣେ ଅଭିଯୁକ୍ତ ଅଭିଜିତ ମଣ୍ଡଳକୁ ଗିରଫ କରିବା ସମୟରେ ସେ ଫେରାର ହୋଇଯାଇଥିଲା । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ଭଞ୍ଜପୁର ଥାନା ପୁଲିସ ପକ୍ଷରୁ କୁହାଯାଇଛି ।

business man Salkhu Marndi (ETV Bharat Odisha)

କାହିଁକି ହୋଇଥିଲା ହତ୍ୟା:

ଭଞ୍ଜପୁର ଥାନା ଅତିରିକ୍ତ ଏସପି ଦୀପକ ଗୋଚ୍ଛାୟତଙ୍କ କହିବାନୁଯାୟୀ, କିଛି ଟଙ୍କା ଲେଣଦେଣ ମାମଲାକୁ ନେଇ ଏହି ହତ୍ୟାକାଣ୍ଡ କରାଯାଇଥିବା ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡିଛି । ତେବେ ଦାମୋଦରପୁର ଅଞ୍ଚଳର ସାଲଖୁ ମାର୍ଣ୍ଡି ବାରିପଦାର ୱାର୍ଡ ନମ୍ବର ୧୯ ବଢ଼େଇସାହି ଅଞ୍ଚଳରେ ଭଡାରେ ରହୁଥିଲେ । ସେ ଦାମୋଦରପୁର ଅଞ୍ଚଳର ଦର୍ଶନ କୁମାର ଭୂୟାଁ ଓ ଅନ୍ୟମାନଙ୍କ ସହିତ ମିଶି ଜମି କିଣା ବିକା ବ୍ୟବସାୟ କରୁଥିଲେ । ସେମାନଙ୍କ ଜମି ବ୍ୟବସାୟୀରେ ସାଲଖୁ ଟଙ୍କା ବିନିଯୋଗ କରୁଥିଲେ। ଏକ ଜମି ବ୍ୟବସାୟୀ ପାଇଁ ସାଲଖୁ ଘରୋଇ ସୁଧରେ ପାଖାପାଖି ଅଢେଇ କୋଟି ଟଙ୍କା ଦର୍ଶନଙ୍କୁ ଦେଇଥିଲେ । ଏନେଇ ଦର୍ଶନଙ୍କ ଦସ୍ତଖତ ଥିବା ଏକ ବ୍ୟାଙ୍କ ଚେକ ସାଲଖୁ ରଖିଥିଲେ । ସୁଧ ବାବଦରେ ମାସକୁ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଉଥିଲେ । ବହୁ ଦିନ ହେବ ଦର୍ଶନ ସୁଧ ଟଙ୍କା ଦେଇ ନଥିବା ବେଳେ ମୂଳ ଓ ସୁଧ ଟଙ୍କା ଫେରସ୍ତ କରିବାକୁ ସାଲଖୁ କହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

Mayurbhanj business man murder accused (ETV Bharat Odisha)

ସାଥି ବ୍ୟବସାୟୀ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ୍:

ଗତ ଜାନୁଆରୀ ୨୯ ତାରିଖ ଦିନ ବକେୟା ଟଙ୍କା ଦେବା କହି ଦର୍ଶନ କୁମାର ଭୂୟାଁ, ସାଲଖୁଙ୍କୁ ଡାକିଥିଲା । ଯୋଜନାବଦ୍ଧ ଭାବେ ସାଲଖୁଙ୍କୁ ଘରୁ ଡାକି ଏକ କାରରେ ନେଇଥିଲେ । ଜାତୀୟ ରାଜପଥ ନମ୍ବର ୧୮ରେ ବେତନଟୀ ପଟକୁ ଯାଉଥିବା ବେଳେ ଦର୍ଶନ ତାଙ୍କ ସହଯୋଗୀଙ୍କ ସହିତ ମିଶି କାର ଭିତରେ ସାଲଖୁଙ୍କୁ ହତ୍ୟା କରିଥିଲେ । ହତ୍ୟା ପ୍ରମାଣ ନଷ୍ଟ କରିବା ପାଇଁ ବେତନଟୀ ଥାନା ଅନ୍ତର୍ଗତ ଜାମଶୋଳ ଜଙ୍ଗଲରେ ବର୍ଷା ଜଳ ସଂରକ୍ଷଣ ପାଇଁ ବନ ବିଭାଗର ନିର୍ମିତ ଗାତରେ ପକାଇ ଶୁଖିଲା ପତ୍ର ସବୁ ଢାଙ୍କି ଦେଇଥିଲେ । ତେବେ ୫ଦିନ ମଧ୍ୟରେ ମୃତଦେହ ଆଂଶିକ ପଚି ଯାଇଥିବାରୁ ସାଲଖୁଙ୍କ ମୃତଦେହରେ ଏସିଡ ପକାଯାଇଥିବାର ସନ୍ଦେହ କରାଯାଉଛି । ପଚା ଗନ୍ଧକୁ ଏଡାଇବା ପାଇଁ କିଛି ଦୂରରେ ୩ଟି କୁକୁଡା ମାରି ପକାଯାଇଥିଲା ।

Mayurbhanj business man murder case scene recreation (ETV Bharat Odisha)

ଘଟଣାର ରିକ୍ରିଏସନ କଲା ପୋଲିସ:

ଏପଟେ ସ୍ବାମୀଙ୍କୁ ଅପହରଣ କରାଯାଇଛି ବୋଲି ସାଲଖୁଙ୍କ ପତ୍ନୀ ଝାନସୀ ରାଣୀ ମାର୍ଣ୍ଡି ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଟଙ୍କା ପାଇଁ ସାଥି ବ୍ୟବସାୟୀମାନେ ହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିଥିଲା । ବାରିପଦା ସଦର ଏସଡିପିଓ ସୁଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଦର୍ଶନ ଓ ତାଙ୍କ ସହଯୋଗୀମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ଭଞ୍ଜପୁର ଥାନା ଓ ବେତନଟୀ ଥାନା ପୋଲିସ ବିଭିନ୍ନ ସ୍ଥାନରେ ତଲାସି କରିବା ପରେ ରବିବାର ସନ୍ଧ୍ୟାରେ ମୃତଦେହ ଠାବ କରିଥିଲା । ତେବେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ସିନ ରିକ୍ରିଏସନ କରି ଅଧିକ ତଥ୍ୟ ହାସଲ କରିଛି ।

Bhanjpur Police station (ETV Bharat Odisha)

ଏବେସୁଦ୍ଧା ୩ ଅଭିଯୁକ୍ତ ଗିରଫ:

ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ସାଲଖୁଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡ ନେଇ ଅଧିକ ତଥ୍ୟ ମିଳିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ୩ ଅଭିଯୁକ୍ତକୁ ଭଞ୍ଜପୁର ଥାନା ପୋଲିସ କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଏକାଧିକ ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ଆଜି(ମଙ୍ଗଳବାର) ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡ ଆଣି ତଦନ୍ତ କରିବ ବୋଲି କହିଛି ।

ଏହାମଧ୍ୟ ପଢନ୍ତୁ...

ସାମ୍ବାଦିକଙ୍କୁ କାର ଚଢାଇ ହତ୍ୟା କରିବାକୁ ଷଡଯନ୍ତ୍ର, ଯୋଜନା ପଣ୍ଡ କଲା ପୋଲିସ

ପୂର୍ବତନ ସମିତିସଭ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ - Suspicious Death of Khordha Man

ଟଙ୍କା ଲୋଭରେ ଆଚାର୍ଯ୍ୟ ବିହାର ଡବଲ ମର୍ଡର, ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ରସୁଲଗଡ ବୀଭତ୍ସ ହତ୍ୟାକାଣ୍ଡ, ଧରାପଡିଲେ 3 ଅଭିଯୁକ୍ତ


ଭଞ୍ଜପୁର ଥାନା ଅତିରିକ୍ତ ଏସପି ଦୀପକ ଗୋଚ୍ଛାୟତ କହିଛନ୍ତି, " ଝାନସୀ ରାଣୀ ମାର୍ଣ୍ଡିଙ୍କ ଅଭିଯୋଗରେ ମାମଲା ଦାୟର ହୋଇଥିଲା । ଟେକ୍ନିକାଲ ପ୍ରମାଣ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ପଚରାଉଚରା କରିଥିଲୁ । ସେମାନଙ୍କ କଥାରେ ତାଳମେଳ ରହୁନଥିଲା । ଲୋକେସନ ଟ୍ରାକ କରି ମୃତଦେହ ଠାବ କରିଥିଲୁ । ମୃତଦେହ ମିଳିବା ପରେ ଅଧିକ ପଚରାଉଚରା ପରେ ଅଭିଯୁକ୍ତମାନେ ସତ ମାନିଥିଲେ । ଏବେ ତଦନ୍ତ ଜାରି ରହିଛି । ସିନ ରିକ୍ରେସନ କରାଯାଇଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଟଙ୍କା ଲେଣଦେଣକୁ ନେଇ ଗଣ୍ଡଗୋଳ ଓ ଏହାପରେ ହତ୍ୟାକାଣ୍ଡ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।"

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details