ଭୁବନେଶ୍ବର: ସଫେଇ କର୍ମଚାରୀଙ୍କ ଝାଡ଼ୁଛାଡ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ନିଜର ଦୁଇ ଦଫା ଦାବି ନେଇ ସେମାନେ ଆଜି ବିଏମ୍ସି ଅଫିସ ଘେରାଉ କରିଥିଲେ । ପରେ ଉଭୟ ମେୟର ଓ କମିଶନର କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଦରମା ବୃଦ୍ଧି ଆମ ହାତରେ ନଥିବାବେଳେ ଆମେ ଏନେଇ ସରକାରଙ୍କୁ ଜଣାଇଛୁ ବୋଲି ବିଏମସି ମେୟର କହିଛନ୍ତି । ତେବେ ତିନିଦିନ ମଧ୍ୟରେ ବର୍ଦ୍ଧିତ ଦରମାର ଘୋଷଣା କରାଯିବ ବୋଲି ରାଜ୍ୟ ସରକାର କହିଥିବା ସୂଚନା ମିଳିଛି । ସେପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସି ରହିବ ବୋଲି ସଂଘ ଚେତାବନୀ ଦେଇଛି ।
କର୍ମଚାରୀଙ୍କ ଆନ୍ଦୋଳନ ଓ ଘେରାଉ ପରେ ବିଏମ୍ସି କମିଶନର ଓ ମେୟର ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାର ନିଷ୍ପତ୍ତି ସନ୍ତୋଷଜନକ ହୋଇନଥିବା ଆନ୍ଦୋଳନକାରୀ କହିଛନ୍ତି । ତେବେ ହୋଇଥିବା ନିଷ୍ପତ୍ତି ପୁଣିଥରେ କେବଳ ପ୍ରତିଶୃତି ଓ କାଗଜ କଲମରେ କଥାକୁ ଅନୁସୂଚିତ କରୁଥିବା କୁହାଯାଇଛି । ଯେପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଝାଡୁଛାଡ ଆନ୍ଦୋଳନ ଜାରିରହିବ ଓ ସହରରୁ ଅଳିଆ ଉଠାଯିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି କର୍ମଚାରୀ । ଏନେଇ ସଂଘର ସମ୍ପାଦକ କହିଛନ୍ତି, ‘‘ଯେଉଁଦିନ ବର୍ଦ୍ଧିତ ଦରମା ସରକାର ଘୋଷଣା କରିବେ ସେହିଦିନ ଠାରୁ ଆମେ କାର୍ଯ୍ୟକରିବୁ । ବିଏମ୍ସିର ବାରମ୍ବାର ପ୍ରତାରଣା ପରେ ଯଦି ସରକାର ମଧ୍ୟ ଦେଇଥିବା ପ୍ରତିଶୃତି ଭୁଲିଯାଆନ୍ତି, ତାହେଲେ ଆଗାମୀ ଦିନରେ ସହରରେ ବିଗିଡ଼ିବାକୁ ଯାଉଥିବା ପରିମଳ ପାଇଁ ରାଜ୍ୟ ସରକାର ଓ ବିଏମ୍ସି ଦାୟୀ ରହିବେ ।’’