ଓଡିଶା

odisha

ETV Bharat / state

ଓଡିଶା ପାଇଁ ଅଶୁଭ ଅକ୍ଟୋବର ! ବାତ୍ୟା ଆସିଲେ ମନେପଡେ ମହାବାତ୍ୟା ୧୯୯୯, ୩୦୦ କିମି ବେଗରେ ପବନ, ୮ ମିଟର ଉଚ୍ଚ ଜୁଆର ...

ତାଜା ହୋଇଛି ୨୫ ବର୍ଷ ତଳର ବିପର୍ଯ୍ୟୟ । ୧୯୯୯ ମହାବାତ୍ୟା ଦୋହଲାଇ ଦେଇଥିଲା ଓଡିଶାର ଆର୍ଥିକ ଓ ସାମାଜିକ ମେରୁଦଣ୍ଡ । ଛାଡି ଯାଇଥିଲା ଦୁର୍ଦ୍ଦଶା ଓ ଯନ୍ତ୍ରଣାର ଗଭୀର ଛାପ ।

By ETV Bharat Odisha Team

Published : 6 hours ago

Updated : 1 hours ago

ଓଡିଶା ଉପକୂଳ ପାଇଁ ଅଶୁଭ ଅକ୍ଟୋବର ! ମନେପଡେ ୧୯୯୯, ଆଜି ବି ମନୁରୁ ଲିଭିନି ମହାବାତ୍ୟାର ପ୍ରଳୟଙ୍କାରୀ କୋପ
ଓଡିଶା ଉପକୂଳ ପାଇଁ ଅଶୁଭ ଅକ୍ଟୋବର ! ମନେପଡେ ୧୯୯୯, ଆଜି ବି ମନୁରୁ ଲିଭିନି ମହାବାତ୍ୟାର ପ୍ରଳୟଙ୍କାରୀ କୋପ (ETV Bharat Odisha)

ହାଇଦ୍ରାବାଦ:ଓଡିଶା ଉପକୂଳରେ ପୁଣି ଏକ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ମୁକାବିଲା ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଲାଣି । ତେବେ ପୂର୍ବ-ଭାରତୀୟ ରାଜ୍ୟ ଓଡିଶା ପ୍ରତିବର୍ଷ ଏକାଧିକ ସାମୁଦ୍ରିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ୧୯୯୯ ମହାବାତ୍ୟା ଥିଲା ସର୍ବାଧିକ ପ୍ରଳୟଙ୍କାରୀ । ଛାରଖାର ହୋଇ ଯାଇଥିଲା ଉପକୂଳ, ଦୋହଲି ଯାଇଥିଲା ଓଡିଶାର ସାମାଜିକ ଓ ଆର୍ଥିକ ମେରୁଦଣ୍ଡ ।

ଓଡିଶା ଉପକୂଳ ପାଇଁ ଅଶୁଭ ଅକ୍ଟୋବର ! ବାତ୍ୟା ଆସିଲେ ମନେପଡେ ୧୯୯୯ (ETV Bharat Odisha)

ଛାତିଥରା ବାତ୍ୟା:

ବିଶେଷ ଭାବେ ପାରାଦ୍ବୀପ ଓ ଜଗତସିଂହପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରାଣ ହରାଇଥିଲେ ପ୍ରାୟ ୧୦ ହଜାର ଲୋକେ । ଏହି ସର୍ବଗ୍ରାସୀ ବାତ୍ୟାକୁ ଚଳିତବର୍ଷ ଦୀର୍ଘ ୨୫ ବର୍ଷ ପୂରଣ ହେବାକୁ ଯାଉଛି । ତଥାପି ଏହାର କରାଳ ଚିତ୍ରକୁ ଆଖିରେ ଦେଖିଥିବା ଲୋକେ ଏବେ ବି ଦୁର୍ଦ୍ଦଶା, ଯନ୍ତ୍ରଣାର ସେହି ଅଭିଶପ୍ତ ବର୍ଷକୁ ଭୁଲିପାରି ନାହାନ୍ତି । ଆଜି ବି ଓଡିଶା ଉପକୂଳରେ ବାତ୍ୟା ଆସିଲେ, ମନେ ପଡିଯାଏ ୧୯୯୯ ମହାବାତ୍ୟା କଥା ।

ଓଡିଶା ଉପକୂଳ ପାଇଁ ଅଶୁଭ ଅକ୍ଟୋବର ! ବାତ୍ୟା ଆସିଲେ ମନେପଡେ ୧୯୯୯, ଆଜି ବି ମନୁରୁ ଲିଭିନି ମହାବାତ୍ୟାର ପ୍ରଳୟଙ୍କାରୀ କୋପ (ETV Bharat Odisha)
  • ଅକ୍ଟୋବର ୨୯ କାଳ ରାତି

ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ବଙ୍ଗୋପସାଗରରେ ସୃଷ୍ଟ ଅତିଭୀଷଣ ସାମୁଦ୍ରିକ ଝଡ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଥିଲା । ଏହା ଲ୍ୟାଣ୍ଡଫଲ୍‌ ପଏଣ୍ଟ ଥିଲା ଜଗତସିଂହପୁର । ବନ୍ଦରନଗରୀ ପାରାଦ୍ବୀପ ସମେତ, କୁଜଙ୍ଗ, ଏରସମା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପାର୍ଶ୍ବବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ପୁରୀ ଓ ଖୋର୍ଦ୍ଧା ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଢେଙ୍କାନାଳ, ନୟାଗଡ ପରି ଆଭ୍ୟନ୍ତରୀଣ ଜିଲ୍ଲା ମଧ୍ୟ ଆଶିଂକ ପ୍ରଭାବିତ ହୋଇଥିଲା ।

ଓଡିଶା ଉପକୂଳ ପାଇଁ ଅଶୁଭ ଅକ୍ଟୋବର ! ବାତ୍ୟା ଆସିଲେ ମନେପଡେ ୧୯୯୯ (ETV Bharat Odisha)
  • ୩ ଶହ କିଲୋମିଟର ବେଗରେ ପବନ, ୮ ମିଟର ଉଚ୍ଚ ଜୁଆର

ପୂର୍ବ ଆଶଙ୍କା ଓ ସମସ୍ତ ଆକଳନଠାରୁ ଢେର ଗୁଣା ଅଧିକ ପ୍ରଳୟଙ୍କାରୀ ରୂପ ନେଇଆସିଥିଲା ମହାବାତ୍ୟା । ଘଣ୍ଟାପ୍ରତି ୩ ଶହ କିଲୋମିଟର ଟପିଥିଲା ପବନର ବେଗ । ସମୁଦ୍ରରେ ଉଠିଥିଲା 6ରୁ 8 ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର । ନିଚିହ୍ନ ହୋଇଯାଇଥିଲା ଉପକୂଳ ଜଗତସିଂହପୁର ଜିଲ୍ଲା । ଏହାର ପ୍ରଭାବରେ 29 ଅକ୍ଟୋବରରୁ ନଭେମ୍ବର 1 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ 447 ମିଲି ମିଟରରୁ 955 ମି.ମି ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ବନ୍ୟା ସୃଷ୍ଟି କରିଥିଲା । ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀ ଅବବାହିକାରେ ପ୍ରବଳ ବର୍ଷା ହେବା ଫଳରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର ଓ ମୟୂରଭଞ୍ଜ ପରି ଜିଲ୍ଲା ବନ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲେ ।

  • ପ୍ରାଣ ହରାଇଥିଲେ ୧୦ ହଜାର ଲୋକ:-

ରାସ୍ତାଘାଟ, ଗ୍ରାମ, ଜନବସତି, ସହର ଓ ଭିତ୍ତିଭୂମିକୁ ପୂରା ଧ୍ବଂସସ୍ତୂପରେ ପରିଣତ କରିଦେଇଥିଲା ଏହି କରାଳ ବାତ୍ୟା । ମୃତ୍ୟୁସଂଖ୍ୟା ଏତେ ଅଧିକ ଥିଲା ଯେ, ସରକାରୀ- ବେସରକାରୀ ସ୍ତରରେ ଏହାକୁ ନେଇ ଦ୍ବନ୍ଦ୍ବ ମଧ୍ୟ ରହିଛି । ତଥାପି ସରକାରୀ ଭାବେ ରାଜ୍ୟରେ ମୋଟ 9 ହଜାର 8 ଶହ 85 ଜଣଙ୍କ ଜୀବନ ଯାଇଥିବା ଦର୍ଶାଯାଏ । ମୋଟ ମୃତ୍ୟୁସଂଖ୍ୟାର ପ୍ରାୟ 8,119 ଜଣ କେବଳ ଜଗତସିଂହପୁର ଜିଲ୍ଲାର ଥିଲେ । ତଥାପି ବର୍ଷ ବର୍ଷ ପର୍ଯ୍ୟନ୍ତ ଶତାଧିକ ନିଖୋଜଙ୍କ ପତ୍ତା ମିଳିନଥିଲା । ଅନେକ ଚିହ୍ନଟ ହୋଇପାରିନଥିବା ମୃତଦେହ ମଧ୍ୟ ଉଦ୍ଧାର ହୋଇଥିଲା । ସରକାରୀ ତଥ୍ୟଠାରୁ ମୃତ୍ୟୁ ସଂଖ୍ୟା ଢେର ଅଧିକ ବୋଲି ମଧ୍ୟ ଚର୍ଚ୍ଚା ହୁଏ ।

ଓଡିଶା ଉପକୂଳ ପାଇଁ ଅଶୁଭ ଅକ୍ଟୋବର ! ମନେପଡେ ୧୯୯୯, ଆଜି ବି ମନୁରୁ ଲିଭିନି ମହାବାତ୍ୟାର ପ୍ରଳୟଙ୍କାରୀ କୋପ (ETV Bharat Odisha)
  • ପ୍ରଭାବିତ ହୋଇଥିଲେ ପ୍ରାୟ ୨ କୋଟି ଓଡିଆ

ଏହି ପ୍ରଳୟଙ୍କାରୀ ବାତ୍ୟା ଉପକୂଳ ଓଡିଶା ସମେତ ରାଜ୍ୟର ମୋଟ 128ଟି ବ୍ଲକରେ ବ୍ୟାପକ କ୍ଷତି ଘଟାଇଥିଲା । ମୋଟ 1.89 କୋଟି ଲୋକ ପ୍ରଭାବିତ ହୋଇଥିଲେ । 46ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, 2,399 ଗ୍ରାମ ପଞ୍ଚାୟତ ଏବଂ 14ଟି ଜିଲ୍ଲାର 17,993 ଟି ଗ୍ରାମ ବାତ୍ୟାରେ ଗଭୀର ଭାବେ ପ୍ରଭାବିତ ହୋଇଥିଲା । 4.45 ଲକ୍ଷ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିଲା । ମୋଟ 15,79582 ପକ୍କା ଓ କଚ୍ଚା ଘର ନଷ୍ଟ ହୋଇଥିଲା । 18.43 ଲକ୍ଷ ହେକ୍ଟରରେ ଫସଲ ନଷ୍ଟ ହୋଇଥିଲା । ଭିତ୍ତିଭୂମିର ମୋଟ କ୍ଷତି ପ୍ରାୟ 6243.96 କୋଟି ବୋଲି ସେତେବେଳର ଆକଳନରୁ ଜଣାପଡେ ।

  • ରାଜ୍ୟ ସରକାର ପ୍ରତିଷ୍ଠା କରିଥିଲେ OSDMA

1999 ର ପ୍ରଳୟଙ୍କାରୀ ମହାବାତ୍ୟା ପରେ ଓଡିଶା ଭାରତର ପ୍ରଥମ ରାଜ୍ୟ ଭାବରେ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପ୍ରତିଷ୍ଠା କରିଥିଲା । ବର୍ଷ 2005ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ପ୍ରତିଷ୍ଠା ପୂର୍ବରୁ ଓଡିଶା ‘ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ’ (OSDMA) ପ୍ରତିଷ୍ଠା ହୋଇଥିଲା । ଯାହା ଥିବା ପ୍ରାଦେଶିକ ସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ପ୍ରଥମ ପଦକ୍ଷେପ । ଯାହା ଏବେ ବାତ୍ୟା ମୁକାବିଲା ଦିଗରେ ପ୍ରଭାବୀ ଭାବେ କାମ କରୁଛି ।

  • ପ୍ରଭାବୀ ମୁକାବିଲା ପାଇଁ ଉଠାଯାଇଥିଲା ଏକାଧିକ ପଦକ୍ଷେପ:-

ବାତ୍ୟାପ୍ରବଣ ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଆରମ୍ଭ ହୋଇଥିଲା ଦୀର୍ଘମିଆଦି ଯୋଜନା । ଉପକୂଳ ଜିଲ୍ଲାଗୁଡିକରେ 8ଶହରୁ ଅଧିକ ‘ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ’ ନିର୍ମାଣ କରିଥିଲେ ରାଜ୍ୟ ସରକାର । ସମୁଦ୍ରକୂଳିଆ ଗ୍ରାମଗୁଡ଼ିକୁ ସମୁଦ୍ରର ଢେଉରୁ ରକ୍ଷା କରିବା ପାଇଁ ବନ୍ଧ ନିର୍ମାଣ କରାଯିବା ସହ ଅନେକ ଅସୁରକ୍ଷିତ ଗ୍ରାମକୁ ଅନ୍ୟତ୍ର ଥଇଥାନ କରିବା ପାଇଁ ସରକାର ଏକାଧିକ ଯୋଜନା ଗ୍ରହଣ କରିଥିଲେ । ଏହା ପରଠାରୁ ରାଜ୍ୟରେ ବାତ୍ୟା ମୁକାବିଲା ରଣନୀତି ନୂଆ ଗତି ପାଇଛି । ସଠିକ ସୂଚନା, ମୁକାବିଲା ରଣନୀତି ଓ ପ୍ରଭାବୀ କାର୍ଯ୍ୟପନ୍ଥା ଧନ-ଜୀବନ ଓ କ୍ଷୟକ୍ଷତି ହ୍ରାସ କରିଥିଲେ ସୁଦ୍ଧା ଓଡିଶା ପ୍ରତ୍ୟେକ ବର୍ଷ ବାତ୍ୟାର ସମ୍ମୁଖୀନ ହେଉଛି ।

ଏହା ମଧ୍ୟ ପଢନ୍ତୁ:- ଆସୁଛି 'ଦାନା'; ୧୦୦ରୁ ୧୨୦ କିମି ବେଗରେ ବହିବ ପବନ, ବର୍ଷା ପାଇଁ 4 ଜିଲ୍ଲାକୁ ରେଡ୍ ଆଲର୍ଟ

ଏହା ମଧ୍ୟ ପଢନ୍ତୁ:- ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଆସୁଛି ‘ଦାନା’; ସତର୍କତା ହିଁ ସୁରକ୍ଷା, ବାତ୍ୟା ପାଇଁ ଏହି ସତର୍କତା ଅବଲମ୍ବନ କରନ୍ତୁ

ମନେପଡ଼େ ମହାବାତ୍ୟା, ଅକ୍ଟୋବର କାଳ ରାତିକୁ ଭୁଲିନି ଗଞ୍ଜାମ, ରାତି ୯ରୁ ବଢ଼ିଥିଲା ପବନ ବେଗ...

ତେବେ ନିକଟ ଅତୀତରେ ମଧ୍ୟ ଏକାଧିକ ସାମୁଦ୍ରିକ ଝଡ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରି ପ୍ରଭୁତ କ୍ଷତି ଘଟାଇଛନ୍ତି । ନଜର ପକାନ୍ତୁ ସେ ସମ୍ପର୍କରେ...

  • ଫାଇଲିନ:

2013 ମସିହା ଅକ୍ଟୋବର 12 ତାରିଖ ଓଡିଶା ଉପକୂଳରେ ତାଣ୍ଡବ ରଚିଥିବା ଅନ୍ୟତମ ବାତ୍ୟା ଥିଲା ‘ଫାଇଲିନ’ । ପାଣିପାଗ ବିଜ୍ଞାନ ଭାଷାରେ ଏହା ଭାରତର ଦ୍ୱିତୀୟ ଶକ୍ତିଶାଳୀ ଟ୍ରପିକାଲ୍ ସାଇକ୍ଲୋନ ଥିଲା । 1999 ସୁପର ସାଇକ୍ଲୋନନ୍ ତୂଳନାରେ ମୃତ୍ୟୁ ସଂଖ୍ୟା ବେଶ କମ ଥିଲେ ସୁଦ୍ଧା ବ୍ୟାପକ ଭିତ୍ତିଭୂମି ନଷ୍ଟ ହୋଇଥିଲା ।

  • ହୁଡହୁଡ:

ଫାଇଲିନର ପରବର୍ଷ ଅର୍ଥାତ 2014 ମସିହା ଅକ୍ଟୋବର ୧୨ ତାରିଖରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିଥିଲା । ଏହା ଓଡିଶା ଉପକୂଳରେ ସିଧା ଲ୍ୟାଣ୍ଡଫଲ ନକରି ଆନ୍ଧ୍ରର ଉପକୂଳ ସହର ବିଶାଖାପାଟନମରେ ଲ୍ୟାଣ୍ଡଫଲ କରି ବ୍ୟାପକ କ୍ଷତି ଘଟାଇଥିଲା । ପ୍ରାୟ 400,000 ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା । ଏହାର ପାର୍ଶ୍ବ ପ୍ରଭାବ ମଧ୍ୟ ଦକ୍ଷିଣ ଓଡିଶା ଜିଲ୍ଲାରେ ଦେଖିବାକୁ ମିଳିଥିଲା । କୋରାପୁଟ ଓ ଗଜପତି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ।

  • ତିତିଲି:

2018 ମସିହା ଅକ୍ଟୋବର 11 ତାରିଖରେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶାର ଉପକୂଳ ଅତିକ୍ରମ କରି ଅତି ଭୟଙ୍କର ସାଇକ୍ଲୋନିକ ଝଡ ଭାବରେ ତାଣ୍ଡବ ରଚିଥିଲା ‘ତିତିଲ’ । ଉଭୟ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇବା ସହ ପ୍ରାୟ 6 ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିଲା ଏହି ବାତ୍ୟା । ଏଥିରେ 77 ଜଣଙ୍କର ମୃତ୍ୟୁ ଘଟିଥିଲା । ଲ୍ୟାଣ୍ଡଫଲ ସମୟରେ ଦକ୍ଷିଣ ଓଡିଶାର ଗୋପାଳପୁର ଏବଂ ଉତ୍ତର ଆନ୍ଧ୍ରର କଳିଙ୍ଗପଟ୍ଟନମରେ ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଥିଲା । ଏହା ପରେ ବାତ୍ୟା ‘ଅମ୍ଫାନ’ ମଧ୍ୟ ଓଡିଶା ଓ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

  • ଓଡିଶା ଇତିହାସରେ କେତକ ପ୍ରମୁଖ ବାତ୍ୟା;-

ଓଡିଶା ଉପକୂଳରେ 1942, 1967, 1971, 1977, 1990 ରେ ସୃଷ୍ଟି ହୋଇଥିବା ଏକାଧିକ ସାମୁଦ୍ରିକ ଝଡ ବ୍ୟାପକ ଧନ-ଜୀବନ ନଷ୍ଟ କରିଛି । କିନ୍ତୁ 1999 ର ମହାବାତ୍ୟା କେବଳ ଓଡିଶା ନୁହେଁ ସମଗ୍ର ପୂର୍ବ-ଭାରତରେ ପ୍ରକୃତିକ ବିପର୍ଯ୍ୟୟର ସମସ୍ତ ରେକର୍ଡ ଅତିକ୍ରମ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 1 hours ago

ABOUT THE AUTHOR

...view details