ଭୁବନେଶ୍ବର :୧୮ ତମ ପ୍ରବାସୀ ଭାରତୀୟ ଦିବସର ଆଜି ଦ୍ବିତୀୟ ଦିନ । ଆଲୋକମାଳାରେ ଝଲସୁଛି ମନ୍ଦିରମାଳିନୀ ସହର ଭୁବନେଶ୍ୱର । ଗତକାଲି ପ୍ରବାସୀ ଭାରତୀୟ ଦିବସ ସାଂସ୍କୃତିକ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହୋଇଥିଲ ନୃତ୍ୟ ନାଟିକା 'ଗାଥା ଓଡ଼ିଶାର : ବନ୍ଦେ ଉତ୍କଳ ଜନନୀ' । ଓଡ଼ିଆ ଅସ୍ମିତାକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏହି ନୃତ୍ୟ ନାଟିକା ସମସ୍ତ ଦର୍ଶକମାନଙ୍କୁ ବିମୋହିତ କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
'ଗାଥା ଓଡ଼ିଶାର'
ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ ନେଇ ପ୍ରସ୍ତୁତ ହୋଇଥିଲା 'ଗାଥା ଓଡ଼ିଶାର' ନୃତ୍ୟ ନାଟିକା । ପ୍ରାଚୀନ ଇତିହାସରୁ ଆରମ୍ଭ କରି ଆଧୁନିକ ଇତିହାସ, କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବା ପର୍ଯ୍ୟନ୍ତ ଓଡ଼ିଶାର ଏହି ଗୌରବମୟ ଗାଥାକୁ'ଗାଥା ଓଡ଼ିଶାର' ନୃତ୍ୟ ନାଟିକା ମାଧ୍ୟମରେ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଏଥି ସହିତ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା, ପର୍ବପର୍ବାଣୀ ଆଦିକୁ ନୃତ୍ୟଶିଳ୍ପୀମାନେ ମୁକ୍ତାକାଶ ମଞ୍ଚରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି । ଯାହା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି । ନୃତ୍ୟନାଟିକାରେ ଆଧୁନିକ ଓଡ଼ିଶାର ଶିଳ୍ପ, ସ୍ଥାପତ୍ୟ, ହସ୍ତତନ୍ତ, ବୟନଶିଳ୍ପ ଆଦି ପ୍ରଦର୍ଶିତ ହୋଇଛି । ଏହାସହ ନାରୀ ସଶକ୍ତିକରଣ ଏବଂ ଓଡ଼ିଶାର ନିର୍ମାଣରେ ମହିଳାମାନଙ୍କର ଭୂମିକାକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଦାନ କରୁଥିବା ଏହି ନୃତ୍ୟ ନାଟିକାରେ ପ୍ରାୟ ୩୫୦ ନୃତ୍ୟ ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି ।