ଭୁବନେଶ୍ବର: ରାଜଧାନୀରେ ଚାଲିଛି ୧୭ତମ କଳିଙ୍ଗ ହର୍ବାଲ ମେଳା ୨୦୨୪ । ଏହି ମେଳା ମାଧ୍ୟମରେ ଜଡ଼ିବୁଟି, ପ୍ରାକୃତିକ ଔଷଧ ଓ ପ୍ରକୃତିଜାତ ଦ୍ରବ୍ୟ ଭଳି ବହୁ ମୂଲ୍ୟବାନ ଜିନିଷକୁ ହାତପାହାନ୍ତାରେ ପାଇବାର ସୁଯୋଗ ପାଉଛନ୍ତି ରାଜଧାନୀବାସୀ । ଆୟୁର୍ବେଦ ଚିକିତ୍ସା ଓ ଔଷଧର ପ୍ରଚାର ପ୍ରସାର କରିବାର ଲକ୍ଷ୍ୟ ରଖି ଏହି ମେଳା ଆୟୋଜିତ କରାଯାଇଛି । ଏହାଦ୍ବାରା ଲୋକମାନେ ଅତି ସହଜରେ ବିଭିନ୍ନ ପ୍ରକୃତି ଜାତ ଦ୍ରବ୍ୟକୁ ଗୋଟିଏ ଯାଗାକୁ ପାଇପାରୁଛନ୍ତି ।
କଳିଙ୍ଗ ହର୍ବାଲ ମେଳା ୨୦୨୪:
୧୭ତମ କଳିଙ୍ଗ ହର୍ବାଲ ମେଳା ୨୦୨୪ ନଭେମ୍ବର ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ନେଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ମାନବ ସମ୍ବଳ ପାଇଁ ପ୍ରକୃତି ଅନେକ କିଛି ପ୍ରଦାନ କରିଛି । ତେଣୁ ଏହାର ପ୍ରଚାର ଏବଂ ବିସ୍ତାର ପାଇଁ ଏହି ମେଳାର ଆବଶ୍ୟକତା ରହିଛି । ହର୍ବାଲ ପଦ୍ଧତିରେ ପୂର୍ବ କାଳରୁ ବଇଦ ଏବଂ କବି ରାଜମାନେ ଚିକିତ୍ସା କରିଆସୁଛନ୍ତି । ତେଣୁ ଏହା ଭାରତର ସଂସ୍କୃତି ଏବଂ ପରମ୍ପରା ସହ ଜଡିତ । ଆଉ ଏଭଳି ମେଳାକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରାଯିବା ସହ ପ୍ରକୃତିଜାତ ଦ୍ରବ୍ୟରୁ ପ୍ରସ୍ତୁତ ସାମଗ୍ରୀ ମଣିଷ ସମାଜ ପାଇଁ ବିଶେଷ ଉପଯୋଗୀ ହୋଇଥାଏ । ତେଣୁ ପ୍ରାକୃତିକ ଉପଚାର ସମ୍ପର୍କରେ ସଚେତନ କରିବାରେ ସହାୟକ ହେବା ସହ ଏହି ମେଳାରେ ପ୍ରକୃତି ଜାତ ସମଗ୍ର ସାମଗ୍ରୀ ଗୋଟିଏ ଜାଗାରେ ମିଳିପାରୁଛି ।
ଗ୍ରାହକଙ୍କ ହାତପାହାନ୍ତାରେ ପ୍ରକୃତିଜାତ ଦ୍ରବ୍ୟ:
ଅଧିକରୁ ଅଧିକ ଔଷଧୀୟ ବୃକ୍ଷରୋପଣ କରି ବୃକ୍ଷଲତାର ଔଷଧୀୟ ଗୁଣକୁ ବ୍ୟାଧି ନିରାକରଣରେ ବ୍ୟବହାର କରିବା ପାଇଁ ଆସିଥିବା ବ୍ୟବସାୟୀ ଓ ବୈଦ୍ୟମାନେ ଲୋକଙ୍କୁ ବୁଝାଉଥିବା ବେଳେ ହର୍ବାଲ ସାମଗ୍ରୀ ନେବାକୁ ପଦର୍ଶନୀ ପଡିଆରେ ସନ୍ଧ୍ୟା ହେଲେ ଲୋକଙ୍କ ଭିଡ ଲାଗୁଛି । ଗୋଟିଏ ଜାଗାରେ ଜଙ୍ଗଲ ବା ପ୍ରକୃତି ଜାତ ଖାଦ୍ୟ ସାମଗ୍ରୀ ସହ ଜଡିବୁଟି ଜିନିଷ ମିଳୁଥିବାରୁ ଲୋକମାନେ ବିନା ରସାୟନର ପ୍ରସାଦନ ଠାରୁ ଆରମ୍ଭ କରି ରୋଷେଇ ଉପକରଣ କିଣୁଥିବା ଦେଖିବାକୁ ମିଳିଛି । ଆଧୁନିକତାର ଜୀବନଶୈଳୀ ଭିତରେ ମଣିଷ ଯନ୍ତ୍ର ସହ ରାସାୟନଯୁକ୍ତ ସାମଗ୍ରୀ ଉପରେ ନିର୍ଭର ହେଉଥିବା ବେଳେ ପ୍ରକୃତି ଜାତ ଦ୍ରବ୍ୟକୁ ହାତ ପାହାନ୍ତାରେ ପାଇଁ ଖୁସି ହୋଇ କିଣି ନେଉଛନ୍ତି ଗ୍ରାହକ । ରାଜଧାନୀ ସମେତ ଆଖପାଖ ଅଞ୍ଚଳରୁ ଲୋକମାନେ ଆସି ହର୍ବାଲ ସାମଗ୍ରୀ ନେଉଥିବା ବେଳେ ବ୍ୟବସାୟା ବି ଭଲ ହେଉଛି । ଆଗକୁ ଭିଡ ବଢିବା ଓ ବ୍ୟବସାୟ ଭଲ ହେବା ବୋଲି କହିଛନ୍ତି ବ୍ୟବସାୟୀ ।