ବରଗଡ:ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନ ଗୁଣରେ ଗଣିବା ଅଜ୍ଞାନୀ ରହିବେ କାହିଁ । ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଯେଉଁ କେତେକ ଆଗଧାଡିର ସାହିତ୍ୟକ ଥିଲେ ସେମାନଙ୍କ ମଧ୍ୟରେ ଆଗରେ ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର । ଆଜି ସେହି ମହାନ ବ୍ୟକ୍ତିତ୍ବ ଓଡିଶାର ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ । ତାଙ୍କ ଲେଖନୀ ମୁନରୁ ଝରି ପଡୁଥିବା ଅକ୍ଷର ସବୁ ଓଡିଶା ସାହିତ୍ୟର ଅମ୍ଲାନ କୀର୍ତ୍ତି ହୋଇରହିଛି । ସେ ତାଙ୍କ କାବ୍ୟ କବିତା ପାଇଁ ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଆସିଥିବାବେଳେ ଏବେ ମଧ୍ୟ ମଧ୍ୟ ସମସ୍ତଙ୍କ ହୃଦୟରେ ବନ୍ଦନୀୟ ହୋଇ ରହିଛନ୍ତି । ତେବେ ଚଳିତ ବର୍ଷ ତାଙ୍କର 163ତମ ଜୟନ୍ତୀ ପାଇଁ ଓଡ଼ିଶା ସାରା ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଏଥିପାଇଁ କବିଙ୍କ ଜନ୍ମ ପୀଠ ବରପାଲି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି ।
ବରପାଲିର ବରପୁତ୍ର:
୦୯.୦୮.୧୮୬୨ ମସିହା ଶ୍ରାବଣ ପୂର୍ଣ୍ଣିମା ଦିନ ଗଙ୍ଗାଧର ମେହେରଙ୍କ ଜନ୍ମ । ଅବିଭକ୍ତ ସମ୍ବଲପୁର ଜିଲ୍ଲା ବରପାଲି ଗ୍ରାମର ଏକ ଗରିବ ତନ୍ତୀ ପରିବାରରେ ଜନ୍ମଗ୍ରହଣ କରିଥିବା ଗଙ୍ଗାଧର ଯେ କେବେ କବି ହୋଇ ପୂଜା ପାଇବେ ତାହା କେହିବି ଭାବି ନଥିଲେ । କାରଣ ଗଙ୍ଗାଧରଙ୍କ ପିତା ଚୈତନ୍ୟ ମେହେର ଓ ମାଆ ସେବତୀ ଦେବୀ ଗରିବ ଥିବାରୁ ଗଙ୍ଗାଧର ଉଚ୍ଚ ଶିକ୍ଷା ଗ୍ରହଣ କରିପାରି ନଥିଲେ । ତଥାପି ସ୍ବଳ୍ପ ଶିକ୍ଷା ଲାଭ କରିଥିବା ଗଙ୍ଗାଧର ନିଜସ୍ବ ଅଧ୍ୟବସାୟ ବଳରେ ଓଡିଆ ଓ ସଂସ୍କୃତ ଭାଷାରେ ହାସଲ କରିପାରିଥିଲେ ବିଚକ୍ଷଣ ପ୍ରତିଭା ।
ଯୁଗ ଯୁଗ ପାଇଁ ମନେ ରହିବ ଗଙ୍ଗାଧର ମେହେରଙ୍କ ଅମ୍ଲାନ ଲେଖନୀ:
ଆଧୁନିକ ଶ୍ରେଣୀରେ ସେ ନିଜ ଲେଖନୀ ମୁନରୁ ଇନ୍ଦୁମତି କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟରେ ନିଜକୁ ପ୍ରତିଷ୍ଠା କରିବା ପରେ ଅଯୋଧ୍ୟା ଦୃଶ୍ୟ, ତପସ୍ବନୀ, ପ୍ରଣୟ ବଲ୍ଲରୀ ଭଲି କାବ୍ୟ ରଚନା କରି ସମସ୍ତଙ୍କର ହୃଦୟସ୍ପର୍ଶୀ ହୋଇପାରିଥିଲେ । ଏଥି ମଧ୍ୟରୁ ‘ତପସ୍ୱିନୀ’ କାବ୍ୟ ପାଇଁ ସର୍ବାଧିକ ଲୋକପ୍ରିୟ ହୋଇପାରି ଥିବାବେଳେ ‘ଅର୍ଘ୍ୟଥାଳି’ ହେଉଛି ତାଙ୍କର ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ । କବିଙ୍କ ଲେଖାରେ ପ୍ରକୃତିର ବାହ୍ୟରୂପକୁ ଯେମିତି କଳାତ୍ମକ ଭାବରେ ବର୍ଣ୍ଣନା କରାଯାଇଛି ଅନ୍ତରୂପକୁ ମଧ୍ୟ ଅଧିକ ବର୍ଣ୍ଣନା କରିଛନ୍ତି । ସେଥିପାଇଁ ତ ସେ ସ୍ବଭାବ କବିର ମାନ୍ୟତା ପଇଥିବା ବେଳେ ଆଜି ମଧ୍ୟ ସେ କବିତା ମଧ୍ୟରେ ସମସ୍ତଙ୍କ ହୃଦୟରେ ବନ୍ଦନୀୟ ହୋଇ ରହିଛନ୍ତି । ତେବେ କବିଙ୍କ ଲେଖନୀରେ କେବଳ ଆଦର୍ଶ ଯେ ଉଚ୍ଚସ୍ଥାନ ପାଇଛି ତା ନୁହେଁ । ସେ ମାନବିକତା ର ମଧ୍ୟ ଜୟଗାନ କରିଛନ୍ତି ।
ନିଜ ମାତୃଭୂମି କବିତାରେ ସେ ଲେଖିଥିଲେ , “ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନ ଗୁଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ” ତେବେ ସ୍ବଭାବ କବିଙ୍କ କବିତା ଯେତିକି ସୁନ୍ଦ, ତାଙ୍କ ଜୀବନ ଶୈଳି ବି ଥିଲା ବେଶ ଉଚ୍ଚକୋଟିର । ତାଙ୍କର ଚାଲିଚଳଣି, କଥାବାର୍ତ୍ତା, ଆଚାର ବ୍ୟବହାର ଥିଲା ସମସ୍ତଙ୍କ ପାଇଁ ଆଦରଣୀୟ ଏବଂ ଗ୍ରହଣୀୟ । ସେଥିପାଇଁ ସେ କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ବରେ ବନ୍ଦନୀୟ ।
ଆର୍ଥିକ ଅନାଟନରେ କଟିଥିଲା ଜୀବନ:
ସ୍ବଭାବ କବି ଗଙ୍ଗାଧରଙ୍କ ଜୀବନ କଟିଥିଲା ବହୁତ ଅଭାବ ଅନାଟନ ମଧ୍ୟରେ । ତା ସତ୍ତ୍ବେ ମଧ୍ୟ ସାମାଜିକ ଜୀବନରେ ସେ ଥିଲେ ବେଶ ଅଗ୍ରଣୀ । ନିଜର ଜୀବନ କାଳରେ ସେ ଅମିନ ଭାବେ କାର୍ଯ୍ୟ କରି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସମ୍ବଲପୁର, ପଦ୍ମପୁର, ବିଜେପୁର ରେ ବହୁଦିନ ବସବାସ କରିଥିଲେ । ଏହା ସତ୍ତ୍ବେ ମଧ୍ୟ ସେ ପରିବାରର ସମସ୍ତଙ୍କୁ ବାନ୍ଧି ରଖିଥିଲେ ସ୍ନେହ ପ୍ରେମ ପରିବେଶରେ । ଯାହା ଏବେ ବି ତାଙ୍କ ପରିବାରରେ ପରିଲକ୍ଷିତ ହୋଇ ରହିଥିବା ବେଳେ କବିପୁତ୍ର ଭଗବାନ ମେହେରଙ୍କ ଠାରୁ ଆରମ୍ଭ କରି ମଣିନ୍ଦ୍ର ମେହେର ଓ ତପସ୍ବିନୀ ମେହେର ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ପ୍ରତି ରହିଛି ସମସ୍ତଙ୍କର କିଛି ନା କିଛି ଅବଦାନ । ବର୍ତ୍ତମାନ ଗଙ୍ଗାଧର ନାହାନ୍ତି ସତ କିନ୍ତୁ ଏବେ ମଧ୍ୟ କବିଙ୍କ ବ୍ୟବହୃତ ଲୁଗାବୁଣା ମଙ୍ଗା, କଠଉ, ଧୋତି, କୁର୍ତ୍ତା , କୋର୍ଟ, ଲେଖନି ଦୁଆତ ଏବଂ ବିଭିନ୍ନ କବିଙ୍କ ଚିଠିପତ୍ର ସହ କବିଙ୍କ ଲିଖିତ କବିତା ଗୁଡିକ ସଂଗ୍ରହିତ କରି ରଖିଛନ୍ତି ପରିବାର ବର୍ଗ ବରପାଲି ସ୍ଥିତ ଗଙ୍ଗାଧର ସ୍ମୃତି ଭବନ ଠାରେ ।