ଖୋର୍ଦ୍ଧା: ଜିଲ୍ଲାରେ ୧୬ ଅତିରିକ୍ତ ମତଦାନ କେନ୍ଦ୍ର ଗଠିତ ହୋଇଛି । ଭୁବନେଶ୍ୱର ମଧ୍ୟରେ ଗୋଟିଏ, ଭୁବନେଶ୍ୱର ଉତ୍ତରରେ ୫ଟି, ଏକାମ୍ର ଭୁବନେଶ୍ୱରରେ ୯ଟି ଏବଂ ଖୋର୍ଦ୍ଧା ବିଧାନସଭା ଅଧୀନରେ ଗୋଟିଏ ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି । ଏହି ୪ଟି ବିଧାନସଭା କ୍ଷେତ୍ରରେ ମୋଟି ୯୩୨ଟି ମତଦାନ କେନ୍ଦ୍ର ଥିବାବେଳେ ଆଉ ୧୬ଟି ଅତିରିକ୍ତ ବୁଥ୍ ବୃଦ୍ଧି ହେବା ଦ୍ୱାରା ମୋଟ ବୁଥ୍ ସଂଖ୍ୟା ୯୪୮ରେ ପହଞ୍ଚିଛି । ସହରାଞ୍ଚଳରେ ୧୬ ଶହରୁ ଅଧିକ ମତଦାତା ରହିଛନ୍ତି । ଗ୍ରାମାଞ୍ଚଳରେ ୧୫ ଶହରୁ ଅଧିକ ଭୋଟର ଥିବା ପୂର୍ବ ମତଦାନ କେନ୍ଦ୍ରରୁ ପୃଥକ କରାଯାଇ ଏହି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ଏ ସଂକ୍ରାନ୍ତରେ ବିିଭିନ୍ନ ରାଜନୈତିକ ଦଳ ଏବଂ ଅଂଶୀଦାରମାନଙ୍କ ସହ ହୋଇଥିବା ବିଚାରବିମର୍ଶକୁ ଆଧାର କରି ପଠାଯାଇଥିବା ପ୍ରସ୍ତାବକୁ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ଏହାପରେ ୧୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି ।
ଏହି ମତଦାନ କେନ୍ଦ୍ରଗୁଡ଼ିକ ପୂର୍ବରୁ ଥିବା କ୍ୟାମ୍ପସ ମଧ୍ୟରେ ହିଁ ରହିବ । ୧୧୨-ଭୁବନେଶ୍ୱର ମଧ୍ୟ ବିଧାନସଭା ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଝାରପଡ଼ା(ବୁଥ୍ ନଂ ୧୮୦), ୧୧୩-ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଳାରାହାଙ୍ଗ (ବୁଥ୍ ନଂ ୨୩)ରେ କେନ୍ଦ୍ର କରାଯାଇଛି । ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟ, ପଟିଆ (ବୁଥ ନଂ ୨୯), ମହର୍ଷି ମହିଳା ମହାବିଦ୍ୟାଳୟ, ଶୈଳଶ୍ରୀବିହାର (ବୁଥ୍ ନଂ-୬୯), ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜନତାନଗର, ସାଲିଆସାହି (ବୁଥ୍ ନଂ-୧୪୫), ସରକାରୀ ଉଚ୍ଚ ବିଦ୍ୟାଳୟ, ପଳାଶୁଣି (ବୁଥ୍ ନଂ ୨୨୬)ରହିଛି ।